ବିରାଜିବେ ମା’ ଗଜଲକ୍ଷ୍ମୀ: ମା’ଙ୍କ ପାଇଁ ଦ୍ୱାରକା ରାଜପ୍ରସାଦ

ଭୁବନେଶ୍ୱର: ଧରାରୁ ମେଲାଣି ନେଲେଣି ମା’ ଦୁର୍ଗା। ପାପୀ ଓ ପାପର ନାଶ ପରେ ଜନମାନସକୁ ଧନଧାନ୍ୟ ସମୃଦ୍ଧିରେ ଭରିଦେବାକୁ ଆସୁଛନ୍ତି ମା’ ଲକ୍ଷ୍ମୀ। ଶାନ୍ତି ପରେ ସମୃଦ୍ଧିକୁ ଆପଣେଇବା ପାଇଁ ରାଜଧାନୀବାସୀ ମଧ୍ୟ ଅଣ୍ଟା ଭିଡ଼ିଲେଣି। ଏଥିପାଇଁ ମା’ ଦୁର୍ଗାଙ୍କ ପରେ ମା’ ଗଜଲକ୍ଷ୍ମୀଙ୍କ ମଣ୍ଡପ ସଜା ହେଲାଣି। ମା’ଙ୍କ ଆଗମନ ପାଇଁ ରାଜଧାନୀ ଗଳିକନ୍ଦି ବି ଚଳଚଞ୍ଚଳ ହୋଇ ଉଠିଲାଣି।
ଲକ୍ଷ୍ମୀସାଗର ଗଜଲକ୍ଷ୍ମୀ ପୂଜା କମିଟିର ଲକ୍ଷ୍ମୀ ପୂଜା ଚଳିତ ବର୍ଷ ୨୭ବର୍ଷରେ ପଦାର୍ପଣ କରିଛି। କମିଟି ପକ୍ଷରୁ ମା’ଙ୍କ ପାଇଁ ଦ୍ୱାରକା ରାଜପ୍ରସାଦ ଢାଞ୍ଚାର ତୋରଣ ପ୍ରସ୍ତୁତ କରାଯାଉଛି। ତୋରଣର ଉଚ୍ଚତା ୮୦ଫୁଟ ଥିବା ବେଳେ ଚଉଡ଼ା ୬୪ଫୁଟ ରହିଛି। ସମ୍ପୂର୍ଣ୍ଣ ପୂଜା ପାଇଁ ପ୍ରାୟ ୮/୧୦ ଲକ୍ଷ ଟଙ୍କା ଖର୍ଚ୍ଚ ହେଉଛି ବୋଲି କମିଟି ସଭାପତି କିଶୋର କୁମାର ନାୟକ ନାୟକ ସୂଚନା ଦେଇଛନ୍ତି। ପ୍ରତିଦିନ ସଂଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ୧୨ ତାରିଖ ଦିନ ପ୍ରସାଦ ସେବନ ଓ ୧୩ରେ ଭସାଣୀ ଉତ୍ସବ ରହିଛି ବୋଲି କମିଟିର ସମ୍ପାଦକ ଜୟରାମ ସାହୁ କହିଛନ୍ତି।

 

ସଭିଏଁ ପାଇବେ ମା’ ଙ୍କ ପ୍ରସାଦ

ପୁରୁଣା ଭୁବନେଶ୍ୱର: ପ୍ରତିବର୍ଷ ଭଳି ଏବର୍ଷ ମଧ୍ୟ ପୋଖରୀପୁଟ ମା’ ଭୁଆସୁଣୀ ୟୁଥ୍‌ କ୍ଲବ୍‌ ପକ୍ଷରୁ ଗଜଲକ୍ଷ୍ମୀଙ୍କ ପୂଜା ଧୂମଧାମରେ ପାଳିତ ହେବ। ଚଳିତ ବର୍ଷ ମା’ଙ୍କ ରୂପା ମକୁଟ ସହ ରୂପା ପଦ୍ମ ପ୍ରସ୍ତୁତି ହୋଇଛି। ଖାଲି ସେତିକି ନୁହେଁ, ୫୫ଫୁଟ ଉଚ୍ଚ ବିଶିଷ୍ଟ ଏକ ଆଧୁନିକ ତୋରଣ କରାଯାଇଛି। ଏଥିସହ ୧୦ଫୁଟ ଉଚ୍ଚର ମୂର୍ତ୍ତି ତିଆରି ସରିଛି। ଚଳିତ ବର୍ଷ ୪ଲକ୍ଷ ଟଙ୍କାର ବଜେଟ୍‌ ହୋଇଛି। ଚଳିତ ବର୍ଷ ୫ଜଣ ବରିଷ୍ଠ ନାଗରିକଙ୍କୁ ସମ୍ମାନିତ କରାଯିବା ସହ ଛୋଟ ପିଲାଙ୍କ ଟ୍ୟାଲେଣ୍ଟ୍‌ ହଣ୍ଟ୍‌ ପ୍ରତିଯୋଗିତା କରାଯିବ। ୭ଦିନ ପୂଜା ମଧ୍ୟରୁ ଦୁଇ ଦିନ ଭଜନ ଓ ପାରମ୍ପରିକ ଲୋକନୃତ୍ୟ ପରିବେଷଣ କରାଯିବ। ପ୍ରତିଦିନ ମା’ଙ୍କ ପାଖରେ ସକାଳୁ ସୁଖୁଲି ଭୋଗ, ଦ୍ଵିପ୍ରହରେ କ୍ଷୀରି ଖେଚୁଡ଼ି ଓ ରାତିରେ ୭ଦିନ ୭ପ୍ରକାର ଭୋଗ କରାଯିବ। ତେବେ ଗୁରୁବାର ମା’ଙ୍କ ଅନ୍ନ ପ୍ରସାଦ ସମସ୍ତ ଭକ୍ତମାନଙ୍କୁ ବଣ୍ଟନ କରାଯିବ ବୋଲି କ୍ଲବ୍‌ର ସଭାପତି ହୃଦୟ ବଲ୍ଲଭ ସାମନ୍ତରାୟ ଓ ସମ୍ପାଦକ ତୋଫାନ ସାମନ୍ତରାୟ କହିଛନ୍ତି। ଆସନ୍ତା ୧୩ ତାରିଖରେ ବିଭିନ୍ନ ପାରମ୍ପରିକ ସହ ଆଧୁନିକ ଡିଜେ ବାଦ୍ୟରେ ମା’ଙ୍କୁ ମେଲାଣି ଦିଆଯିବ।

ସମ୍ବନ୍ଧିତ ଖବର