ରାଜନୈତିକ ସାହିତ୍ୟ ରଚନା ଏକ ନୂତନ ଭାରତୀୟ ସଉକ!

‘ଅ’ ଓଡ଼ିଶା ସାହିତ୍ୟ ମହୋତ୍ସବ ଷଷ୍ଠ ସଂସ୍କରଣ

ଭୁବନେଶ୍ୱର : ଭାରତକୁ ସ୍ୱାଧୀନତା ଆଣିଦେଇଥିବା ପ୍ରଖ୍ୟାତ ରାଜନୈତିକ ନେତାମାନେ ମଧ୍ୟ ଜଣେ ଜଣେ ବିଶିଷ୍ଟ ଲେଖକ ଥିଲେ। ମହାତ୍ମା ଗାନ୍ଧୀଙ୍କଠାରୁ ଆରମ୍ଭ କରି ବାଳଗଙ୍ଗାଧର ତିଳକଙ୍କ ପର୍ଯ୍ୟନ୍ତ, ସମସ୍ତେ ସାହିତ୍ୟ ସାଧନାରେ ଥିଲେ ବେଶ୍‌ ପାରଙ୍ଗମ। ତେଣୁ ରାଜନୈତିକ ଧାରାରେ ସାହିତ୍ୟ ରଚନାର ଆବଶ୍ୟକତା ବର୍ତ୍ତମାନ ବେଶ୍‌ ଅନୁଭୂତ ହେଉଛି। ତେଣୁ ବିଶିଷ୍ଟ ରାଜନୈତିକ ବ୍ୟକ୍ତିତ୍ୱଙ୍କର ଆତ୍ମଜୀବନୀ ରଚନା, ପରିବର୍ତ୍ତନଶୀଳ ରାଜନୈତିକ ସଂରଚନାର ଦସ୍ତାବିଜ୍‌ ସୃଷ୍ଟିର ଆବଶ୍ୟକତା ଯଥେଷ୍ଟ ରହିଛି। ଦି ନିୟୁ ଇଣ୍ଡିଆନ୍‌ ଏକ୍ସପ୍ରେସ୍‌ ଗ୍ରୁପ୍‌ ପକ୍ଷରୁ ଆୟୋଜିତ ‘ଅ’ ଓଡ଼ିଶା ସାହିତ୍ୟ ମହୋତ୍ସବର ପ୍ରଥମ ଅଧିବେଶନରେ ‘ରାଜନୈତିକ ସାହିତ୍ୟ ରଚନା ଏକ ନୂତନ ଭାରତୀୟ ସଉକ’ ଶୀର୍ଷକ ଆଲୋଚନାଚକ୍ରରେ ଏଭଳି ମତ ପ୍ରକାଶ ପାଇଛି। ଏହି ଅଧିବେଶନରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଜୟରାମ ରମେଶ, ମନୀଷ ତିଓ୍ଵାରୀ, ଡ. ଶ୍ୟାମାପ୍ରସାଦ ମୁଖାର୍ଜୀ ଗବେଷଣା କେନ୍ଦ୍ରର ନିର୍ଦ୍ଦେଶକ ଅନର୍ବାଣ ଗାଙ୍ଗୁଲି ପ୍ରମୁଖ ଉପସ୍ଥିତ ରହି ରାଜନୈତିକ ସାହିତ୍ୟ ରଚନାର ବିଭିନ୍ନ ଦିଗ, ଆବଶ୍ୟକତା ଉପରେ ଆଲୋଚନା କରିଥିଲେ। ଲେଖକ ତଥା ସାମ୍ବାଦିକ ଶଙ୍କର ଆୟର ଏହି ଅଧିବେଶନକୁ ସଂଯୋଜନା କରିଥିଲେ।

ସବୁ ରାଜନୈତିକ ନେତା ଯେ ଭଲ ରାଜନୈତିକ ସାହିତ୍ୟ ସୃଷ୍ଟି କରିପାରିବେ ସେନେଇ କୌଣସି ନିର୍ଦ୍ଦିଷ୍ଟତା ନାହିଁ। ମାତ୍ର ରାଜନୈତିକ ବ୍ୟକ୍ତିତ୍ୱଙ୍କର ଆତ୍ମଜୀବନୀ ରଚନା ବେଳେ ପ୍ରାଥମିକ ତଥ୍ୟର ସତ୍ୟତାକୁ ଗୁରୁତ୍ୱ ଦେବା ନିହାତି ଆବଶ୍ୟକ। ଏନେଇ ଲେଖକମାନେ ଜାତୀୟ ଅଭିଲେଖାଗାର ଭଳି ଅନୁଷ୍ଠାନର ସହାୟତା ନେବା ଆବଶ୍ୟକ ବୋଲି ଆଲୋଚନାବେଳେ ମତ ପ୍ରକାଶ ପାଇଥିଲା। ଇନ୍ଦିରା ଗାନ୍ଧୀଙ୍କ ଉପରେ ପୁସ୍ତକ ରଚନା ବେଳେ ଓଡ଼ିଶାର ଭିତରକନିକା, ସାତକୋଶିଆ, ଚିଲିକା ଆଦି ସଂପର୍କରେ ତାଙ୍କର ଭୂମିକାକୁ ନେଇ ଅନେକ ତଥ୍ୟ ସାମ୍ନାକୁ ଆସିପାରିଥିଲା। ରାଜନୈତିକ ସାହିତ୍ୟ ରଚନା ସମୟରେ ଶୁଣାକଥା, ମିଥ୍ୟା ପ୍ରଚାର ପ୍ରତି ଯଥେଷ୍ଟ ଯତ୍ନବାନ ହେବାକୁ ଜୟରାମ୍‌ ରମେଶ ମତଦେଇଥିଲେ।

ସେହିଭଳି ପୂର୍ବତନ କେନ୍ଦ୍ରମନ୍ତ୍ରୀ ମନୀଷ ତିଓ୍ଵାରୀ ୧୯୮୩ରୁ ୧୯୯୫ ମସିହା ମଧ୍ୟରେ ପଞ୍ଜାବରେ ହୋଇଥିବା ଖଲିସ୍ତାନ ଆନ୍ଦୋଳନ ତଥା ଆତଙ୍କବାଦ ଉପରେ ଏକ ପୁସ୍ତକ ରଚନା ନେଇ ଆଗ୍ରହ ପ୍ରକାଶ କରିଥିଲେ। ସେହିପରି ଦକ୍ଷିଣପନ୍ଥୀ ବିଚାରଧାରା ଉପରେ ଗବେଷଣା କରୁଥିବା ଅନିର୍ବାଣ ଗାଙ୍ଗୁଲି ରାଜନୈତିକ ଦଳଗୁଡ଼ିକ ସମୟ ଅନୁସାରେ ପରିବର୍ତ୍ତନ କରୁଥିବା ବିଚାରଧାରା ସମ୍ପର୍କରେ ମତ ଦେଇଥିଲେ। ବର୍ତ୍ତମାନର ବାମପନ୍ଥୀ ଦଳଗୁଡ଼ିକର ବିଚାରକୁ ନେଇ ସେ ପ୍ରଶ୍ନ କରିବା ସହିତ ପରବର୍ତ୍ତୀ ପିଢ଼ି ନିମନ୍ତେ ରାଜନୈତିକ ସାହିତ୍ୟ ରଚନାର ଗୁରୁତ୍ୱ ସମ୍ପର୍କରେ ମତ ଦେଇଥିଲେ।

ଉଦ୍‌ଘାଟନୀ ସମାରୋହର ଅନ୍ତିମ ଅଧିବେଶନରେ ଖ୍ୟାତନାମା ରେଡିଓ ଷ୍ଟୋରି ଟେଲର ତଥା ଲେଖକ ନୀଲେଶ ମିଶ୍ରା ଏକ କାହାଣୀ କଥନ ଅଧିବେଶନକୁ ସଂଯୋଜନା କରିଥିଲେ।

ସମ୍ବନ୍ଧିତ ଖବର