ଭୁବନେଶ୍ବର : ସାମ୍ବାଦିକମାନେ ନିଜ ଲେଖା ଜରିଆରେ ସମାଜରେ ପରିବର୍ତନ ଆଣିବାକୁ ଚେଷ୍ଟା କରିଥାନ୍ତି। ନିଜ ଲେଖା ଦ୍ବାରା ଯାହାର ସମସ୍ୟା ସମାଧାନ କରିଥାନ୍ତି, ସେ ସାମ୍ବାଦିକଙ୍କୁ ଈଶ୍ବର ସହ ତୁଳନା କରିଥାଏ। ହେଲେ ଅନ୍ୟ ପକ୍ଷ ଦାନବ ବୋଲି କହିବାକୁ ପଛାଇ ନଥାନ୍ତି। କେବଳ ସାମ୍ବାଦିକ ସମସ୍ୟା ସଂପର୍କରେ ଲେଖିଲେ ହେବ ନାହିଁ, ପ୍ରଶାସନ ମଧ୍ୟ ଅନୁରୂପ ଭାବେ ଏଥିପ୍ରତି ସମ୍ବେଦନଶୀଳ ହେବାର ଆବଶ୍ୟକତା ରହିଛି। ସେହିପରି ଗଣମାଧ୍ୟମ ନିରପେକ୍ଷ ହେବା ଉଚିତ୍ ନୁହେଁ। ଚେଷ୍ଟା କଲେ ମଧ୍ୟ ନିରପେକ୍ଷ ହୋଇପାରିବ ନାହିଁ। ତେଣୁ ସାମ୍ବାଦିକ ଜଣେ ଈଶ୍ବରୀୟ ଶକ୍ତିର ଅଧିକାରୀ ଓ ନିରପେକ୍ଷ ଗଣମାଧ୍ୟମ ଆଶା କରିବା ବୃଥା ବୋଲି ଓଡ଼ିଆ ମିଡିଆ ପକ୍ଷରୁ ଆଜି ଜୟଦେବ ଭବନରେ ଆୟୋଜିତ ଓଡ଼ିଶା ମିଡିଆ କନକ୍ଲେଭ୍ରେ ମତ ପ୍ରକାଶ ପାଇଛି।
ଉଦ୍ଘାଟନୀ ଉତ୍ସବରେ ବିଷୟବସ୍ତୁ ରହିଥିଲା ‘ସାମ୍ବାଦିକ ଈଶ୍ବର କି?’ ଏହି ବିତର୍କରେ ‘ସମ୍ବାଦ’ ସଂପାଦକ ସୌମ୍ୟରଂଜନ ପଟ୍ଟନାୟକ କହିଲେ, ଏହା ଏକ ନୈତିକ ମନ୍ତବ୍ୟ ବୋଲି କୁହାଯାଇପାରେ। ସାମ୍ବାଦିକଙ୍କୁ ଈଶ୍ବର ବୋଲି ଭାବିବା ଉଚିତ୍ ନୁହେଁ। ସାମ୍ବାଦିକଟିଏ ବିଶ୍ବକୁ ପରିବର୍ତନ କରିଦେବ ବୋଲି ଭାବିବା କଥା ନୁହେଁ। ସାମ୍ବାଦିକତା ଏକ ଭିନ୍ନ ବୃତ୍ତି। ମାତ୍ର ଆଜିର ସମୟରେ ମୁଦ୍ରିତ ଗଣମାଧ୍ୟମର ଅବସ୍ଥା ଖରାପ। ବୈଷୟିକ ଜ୍ଞାନକୌଶଳ ଯୋଗୁଁ ଏଭଳି ପରିସ୍ଥିତି ହୋଇଛି। ଗଣମାଧ୍ୟମକୁ ହାତମୁଠାରେ ରଖିବାକୁ ଚାହୁଁଥିବା ବ୍ୟକ୍ତି ଜାଣି ରଖିବା ଦରକାର ଯେ ଏହା ଚିରସ୍ଥାୟୀ ନୁହେଁ। ଏଥିରେ ପରିବର୍ତନ ଆସିବ। ଗଣମାଧ୍ୟମ ଚେଷ୍ଟା କଲେ ବି ନିରପେକ୍ଷ ହୋଇପାରିବ ନାହିଁ, ବରଂ ପକ୍ଷଭୁକ୍ତ ହୋଇ ଖବର ପ୍ରକାଶ କରିବାରେ କୌଣସି ଅସୁବିଧା ନାହିଁ। ପୁଞ୍ଜିବାଦ ବ୍ୟବସ୍ଥା ଯୋଗୁଁ ଲୋକଙ୍କ ମନ ଭିତରେ ଏଭଳି ଚିନ୍ତାଧାରା ସୃଷ୍ଟି ହୋଇଛି। ସାମ୍ବାଦିକତା ଅନ୍ୟ ବୃତ୍ତିଠୁ ଭିନ୍ନ। ସାମ୍ବାଦିକଙ୍କୁ ଏଥିପାଇଁ ଏକ ଭିନ୍ନ ଜୀବନଶୈଳୀ ଆପଣାଇବାକୁ ପଡ଼ିବ। ହେଲେ ନିଜର ଖବର ପ୍ରକାଶନରେ ବିଶ୍ବସନୀୟତା ହିଁ ସଫଳତା ଆଣିବ ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ।
‘ପ୍ରମେୟ’ର ସଂପାଦକ ଗୋପାଳକୃଷ୍ଣ ମହାପାତ୍ର କହିଲେ, ନିଜ ଦାୟିତ୍ବ ତୁଲାଇବା ସମୟରେ ଯଦି ସାମ୍ବାଦିକଟିଏ ସମାଜରେ ପରିବର୍ତନ ଆଣିପାରୁଛି, ତାହା ସ୍ବାଗତଯୋଗ୍ୟ। କୌଣସି ଘଟଣାକୁ ନିଜର ଗଣମାଧ୍ୟମରେ ପ୍ରକାଶ କରିବା ପରେ ଯଦି କୌଣସି କାର୍ଯ୍ୟାନୁଷ୍ଠାନ ହେଉଛି, ପରବର୍ତୀ ସମୟରେ ସଂପୃକ୍ତ ଗଣମାଧ୍ୟମ ଏହାକୁ ନିଜର ପ୍ରଭାବ ବୋଲି କହୁଛି। ଏହି ସମୟରେ ସାମ୍ବାଦିକଟିଏ ନିଜକୁ ଈଶ୍ବର ବୋଲି ଭାବି ନେଉଛି। କୌଣସି ଘଟଣା/ସମସ୍ୟାରେ ଯଦି ଜନସାଧାରଣ ପୁଲିସ କିମ୍ବା ପ୍ରଶାସନକୁ ନ ଜଣାଇ ସାମ୍ବାଦିକକୁ କହୁଛି, ତା’ ହେଲେ ସାମ୍ବାଦିକ ନିଜର ଦାୟିତ୍ବ ଠିକ୍ ତୁଲାଉଛି ବୋଲି ଧରିବାକୁ ହେବ। ତେବେ ଜଣେ ନିରପେକ୍ଷ ହେବ କି ନୁହେଁ ତାହା ସାମ୍ବାଦିକ ଉପରେ ନିର୍ଭର କରୁଛି। ଆଜିର ସମୟରେ ଖବର ନ ଛାପିବାର ଚାପ ଆଗଠାରୁ ଅଧିକ। ସବୁ କିଛି ଏବେ ବରାଦ ହୋଇଯାଇଛି। ଅଧିକାଂଶ ସାମ୍ବାଦିକ ଘଟଣାସ୍ଥଳକୁ ନ ଯାଇ ଅନ୍ୟ ଜଣେ ଯାହା କହୁଛି, ତାହାକୁ ଲେଖୁଛନ୍ତି କିମ୍ବା କହୁଛନ୍ତି। ଆଜିର ସମୟରେ ହୋଇଥିବା ଏହି ବ୍ୟବସ୍ଥାରେ ପରିବର୍ତନ ଆସିବ ବୋଲି ଆଶା କରାଯାଉଥିବା ଶ୍ରୀ ମହାପାତ୍ର କହିଥିଲେ।
ବିଜନେସ୍ ଷ୍ଟାଣ୍ଡାର୍ଡର ଆବାସିକ ସଂପାଦକ ଦିଲ୍ଲୀପ ଶତପଥୀ କହିଲେ, ଗୋଟିଏ ଗଣମାଧ୍ୟମ ନିରପେକ୍ଷ ହେବ କି ନ ହେବ, ଏହା ତାହାର ମାଲିକ, ପରିଚିତି, ବ୍ରାଣ୍ଡ ଉପରେ ନିର୍ଭର କରିଥାଏ। ଅନେକ ସମୟରେ ସାମ୍ବାଦିକ କିମ୍ବା ଗଣମାଧ୍ୟମକୁ ପକ୍ଷଭୁକ୍ତ ହେବାକୁ ପଡ଼ିଥାଏ। ଏ ସମୟରେ ଅନ୍ୟ ପକ୍ଷକୁ ଉପଯୁକ୍ତ ମର୍ଯ୍ୟାଦା ଦେବାର ଆବଶ୍ୟକ। ମାତ୍ର ଅଧିକାଂଶ ସମୟରେ ଏହା ଦେଖିବାକୁ ମିଳେ ନାହିଁ। ଖବର ପ୍ରକାଶ ନ କରିବାର ଚାପ ଜଣେ ସାମ୍ବାଦିକକୁ ପ୍ରାୟ ସବୁ ସମୟରେ ଆସିଥାଏ। ଜଣେ ସାମ୍ବାଦିକ ନିରପେକ୍ଷ ହେବା ଅପେକ୍ଷା ଏହାର ମାଲିକ/ସଂପାଦକ ନିରପେକ୍ଷ ହେବା ଅଧିକ ଜରୁରୀ। ଯଦି ଜଣେ ସାମ୍ବାଦିକ କୌଣସି ସମସ୍ୟା ସଂପର୍କରେ ଲେଖିବା ପରେ ମଧ୍ୟ ପ୍ରଶାସନ ତତ୍ପରତା ଦେଖାଉନାହିଁ, ତା’ ହେଲେ ବାରମ୍ବାର ଖବର ପ୍ରକାଶନ କରିବାର ଆବଶ୍ୟକତା ରହିଛି ବୋଲି ଶ୍ରୀ ଶତପଥୀ ମତ ଦେଇଥିଲେ। ଓଡ଼ିଆ ମିଡିଆର ନିର୍ଦେଶକ ଶୁଭ୍ରାଂଶୁ ପଣ୍ଡା ଏହି ଅଧିବେଶନକୁ ସଂଚାଳନ କରିଥିଲେ।
ଦ୍ବିତୀୟ ଅଧିବେଶନର ବିଷୟବସ୍ତୁ ରହିଥିଲା, ‘ସାମାଜିକ ଗଣମାଧ୍ୟମ ଯୁଗରେ ଟିଆରପିର କିଛି ମାନେ ଅଛି କି?’ ଏଥିରେ ମତ ରଖିଥିଲେ କନକ ନ୍ୟୁଜ୍ର ସଂପାଦକ ମନୋରଂଜନ ମିଶ୍ର, ଅର୍ଗସ ଟିଭିର ସଂପାଦକ ସଂଜୟ ଜେନା ଓ ଓଡ଼ିଶା ବାଇଟ୍ସର ସଂପାଦକ ସନ୍ଦୀପ ମିଶ୍ର। ସଂଚାଳନ କରିଥିଲେ ବରିଷ୍ଠ ସାମ୍ବାଦିକ ଦିଲ୍ଲୀପ ଶତପଥୀ। ତୃତୀୟ ଆଲୋଚନାଚକ୍ରର ବିଷୟବସ୍ତୁ ଥିଲା ‘ସେମାନେ ସତରେ ଦକ୍ଷ ତ?’ ଏଥିରେ ଇନଷ୍ଟିଚ୍ୟୁଟ୍ ଅଫ ମିଡିଆ ଷ୍ଟଡିଜ୍ର ନିର୍ଦେଶକ ଉପେନ୍ଦ୍ର ପାଢ଼ୀ, ବିଜେବି ମହାବିଦ୍ୟାଳୟ ଗଣଯୋଗାଯୋଗ ବିଭାଗର ମୁଖ୍ୟ ନଳିନୀ ପାତ୍ର ଓ ଏଏମ୍ଆଇଟି ସଂଚାଳକ ତ୍ରିଦେବ ମହାନ୍ତି ମତ ରଖିଥିଲେ। ଏହାକୁ ଆଇଆଇଏମ୍ସି ଢେଙ୍କାନାଳର ଅଧ୍ୟାପକ ଜ୍ୟୋତିପ୍ରକାଶ ମହାପାତ୍ର ସଂଚାଳନ କରିଥିଲେ। ଅନ୍ତିମ ଆଲୋଚନାର ବିଷୟବସ୍ତୁ ‘ନିର୍ବାଚନ: ରାଜନୀତି ଓ ଗଣମାଧ୍ୟମ’। ଏ ପ୍ରସଙ୍ଗରେ ମତ ରଖିଥିଲେ ବିଜେପି ମୁଖପାତ୍ର ଗୋଲକ ମହାପାତ୍ର, ପିସିସି ମୁଖପାତ୍ର ସତ୍ୟପ୍ରକାଶ ନାୟକ, ଆପ୍ର ମୁଖପାତ୍ର ରଙ୍ଗାଚରଣ ପ୍ରଧାନ ଓ ଟେଲିଗ୍ରାଫର ସାମ୍ବାଦିକ ଶୁଭାଶିଷ ମହାନ୍ତି। ଏହାକୁ ବରିଷ୍ଠ ସାମ୍ବାଦିକ ସନ୍ଦୀପ ସାହୁ ସଂଚାଳନ କରିଥିଲେ। ରାମଚଣ୍ଡୀ ପ୍ରସାଦ ରଣସିଂହ ଧନ୍ୟବାଦ ଦେଇଥିଲେ। ହରିହର ପଣ୍ଡା, ସୁବ୍ରତ ନାୟକ, କିଷନ୍ ବରାଇ, ଗାୟତ୍ରୀ ମାଭୁରୁ, ଗିରୀଶ ରଂଜନ, ସଚିନ ପ୍ରଧାନ, ପ୍ରଦ୍ୟୁମ୍ନ ମହାପାତ୍ର ଓ ଅନ୍ୟମାନେ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।