ଖଣି ନିଗମ କର୍ମଚାରୀଙ୍କ ମୃତ୍ୟୁ ମାମଲାର ଭିନ୍ନ ମୋଡ଼: ଜାତୀୟ ଅନୁସୂଚିତ ଜାତି ଓ ଜନଜାତି ଆୟୋଗଙ୍କ ରିପୋର୍ଟ ତଲବ

କମିସନଙ୍କ ଆଦେଶ ପରେ ପୁଲିସର ତଦନ୍ତ ଆରମ୍ଭ

ଭୁବନେଶ୍ୱର: ଭୁବନେଶ୍ବର ଓଏମ୍‌ସି(ଓଡ଼ିଶା ଖଣି ନିଗମ)ରେ ଚାକିରି କରୁଥିବା ଜଣେ ଅଧିକାରୀଙ୍କ ମୃତ୍ୟୁ ମାମଲା ଭିନ୍ନ ମୋଡ଼ ନେଇଛି। ଜଣେ ଉଚ୍ଚପଦସ୍ଥ ଅଧିକାରୀଙ୍କ ମାନସିକ ନିର୍ଯାତନା ପାଇଁ ତାଙ୍କର ହୃଦ୍‌ଘାତରେ ମୃତ୍ୟୁ ହୋଇଛି ବୋଲି ଅଭିଯୋଗ ହୋଇ ଆସୁଛି। ମୃତକ ଅଧିକାରୀ ହେଉଛନ୍ତି କେନ୍ଦୁଝରର ଗୋପାଳ ମାଝି। ମୃତ୍ୟୁ ପୂର୍ବରୁ ଶ୍ରୀ ମାଝି ଜାତୀୟ ଅନୁସୂଚିତ ଜାତି ଓ ଜନଜାତି ଆୟୋଗ ଅଧ୍ୟକ୍ଷଙ୍କ ନିକଟରେ ସମ୍ପୃକ୍ତ ଉଚ୍ଚପଦସ୍ଥ ଅଧିକାରୀଙ୍କ ବିରୋଧରେ ଅଭିଯୋଗ କରିଥିଲେ। କିନ୍ତୁ କୌଣସି କାର୍ଯ୍ୟାନୁଷ୍ଠାନ ହୋଇ ନ ଥିଲା। ତାଙ୍କର ହଠାତ୍‌ ମୃତ୍ୟୁ ହୋଇଯିବା ପରେ ଏବେ ଖୋଳତାଡ଼ ଆରମ୍ଭ ହୋଇଛି।

ଜାତୀୟ ଅନୁସୂଚିତ ଜାତି ଓ ଜନଜାତି ଆୟୋଗ ଅଧ୍ୟକ୍ଷ ଅଭିଯୋଗର ତଦନ୍ତ କରି ରିପୋର୍ଟ ଦେବା ପାଇଁ ଖାରବେଳ ନଗର ଥାନାକୁ ନିର୍ଦ୍ଦେଶ ଦେଇଛନ୍ତି। ମୃତ ଅଧିକାରୀଙ୍କ ପତ୍ନୀ ମଧ୍ୟ ଏହି ନିର୍ଯାତନା ଯୋଗୁଁ ତାଙ୍କ ସ୍ବାମୀଙ୍କର ହୃଦ୍‌ଘାତରୁ ମୃତ୍ୟୁ ହୋଇଥିବା ଅଭିଯୋଗ କରିଥିଲେ। ହେଲେ ତାହାର ତଦନ୍ତ କରା ଯାଇ ନ ଥିଲା। କେବଳ ଏକ ଅପମୃତ୍ୟୁ ମାମଲା ରୁଜୁ କରା ଯାଇଥିଲା। ଏବେ କମିସନଙ୍କ ନିର୍ଦ୍ଦେଶ ଆସିବା ପରେ ପୁଲିସ ତତ୍ପର ହୋଇଛି। ବୁଧବାର ଜୋନ୍‌-୧ ଏସିପି ଓଏମ୍‌ସି ଅଫିସ୍‌ ଯାଇ ଛାନ୍‌ଭିନ୍‌ କରିଛନ୍ତି। ତେବେ କିଏ ସେହି ଅଧିକାରୀ? କାହିଁକି ନିର୍ଯାତନା ଦେଉଥିଲେ? ନିର୍ଯାତନା ପଛରେ କଣ କାରଣ ଥାଇପାରେ? ଘଟଣା ପଛରେ ଆଉ କଣ ରହସ୍ୟ ରହିଛି କି? ଆଦି ସମ୍ପର୍କରେ ତଦନ୍ତ କରିବ। ତାଙ୍କ ପତ୍ନୀ କରିଥିବା ଅଭିଯୋଗ ମୁତାବକ, ଗୋପାଳ ମାଝି ଭୁବନେଶ୍ବର ସ୍ଥିତ ଓଏମ୍‌ସି ଅଫିସ୍‌ରେ ଜିଓଲୋଜି ମ୍ୟାନେଜର ଭାବରେ କାମ କରୁଥିଲେ। ନୂଆପଲ୍ଲୀ ଥାନା ଅଧୀନରେ ଥିବା ଓଏମ୍‌ସି କଲୋନି କ୍ବାର୍ଟର ନମ୍ବର ଡି/୩ରେ ପତ୍ନୀ ଓ ଏକମାତ୍ର ପୁଅ(୭)ଙ୍କ ସହ ରହୁଥିଲେ। ଗତ ବର୍ଷେ ହେବ ତାଙ୍କ ଉପରେ ମାନସିକ ନିର୍ଯାତନା ଦିଆ ଯାଉଥିଲା। ଜଣେ ବରିଷ୍ଠ ଅଧିକାରୀ ତାଙ୍କୁ ମାନସିକ ନିର୍ଯାତନା ଦେଉଥିବା ସେ ଅଭିଯୋଗ କରିଥିଲେ। ସେ ଆଦିବାସୀ ସମ୍ପ୍ରଦାୟର ହୋଇଥିବାରୁ ତାଙ୍କୁ ଆଦିବାସୀ ବୋଲି କହିବା ସହ ଅନେକ କଟୁ କଥା କହୁଥିଲେ। ଯେଉଁଥିପାଇଁ ସେ ମାନସିକସ୍ତରରେ ଆଘାତପ୍ରାପ୍ତ ଥିଲେ। ସେ ଅନେକ ଥର ଘରେ ଏ ସମ୍ପର୍କରେ କହିଥିଲେ। ଶେଷରେ ଅନ୍ୟନୋପାୟ ହୋଇ ନିକଟ ଅତୀତରେ ସେ ଜାତୀୟ ଅନୁସୂଚିତ ଜାତି ଓ ଜନଜାତି ଆୟୋଗକୁ ପତ୍ର ଲେଖିଥିଲେ। ପ୍ରତ୍ୟେକ ଦିନ ସମ୍ପୃକ୍ତ ବରିଷ୍ଠ ଅଧିକାରୀଙ୍କ ମାନସିକ ଯନ୍ତ୍ରଣା ଅସହ୍ୟ ହେଉଥିବା ସେ ପତ୍ରରେ ଉଲ୍ଲେଖ କରିଥିଲେ। ପ୍ରକାଶ ଥାଉକି ଗତ ୧ ତାରିଖରେ ତାଙ୍କର ମୃତ୍ୟୁ ଘଟିଥିଲା। ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ କ୍ୟାପିଟାଲ ହସ୍‌ପିଟାଲ ନିଆଯାଇ ଥିଲା‌। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ତାଙ୍କର ମୃତ୍ୟୁ ପରେ ମାମଲାକୁ ଚାପି ଦେବା ପାଇଁ ପ୍ରୟାସ କରା ଯାଇଥିଲା। ଖାରବେଳ ନଗର ଥାନା ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରିଥିଲା। ଜାତୀୟ ଅନୁସୂଚିତ ଜାତି ଓ ଜନଜାତି ଆୟୋଗଙ୍କ ତଦନ୍ତ ନିର୍ଦ୍ଦେଶ ଆସିବା ପରେ ତନାଘନା ହୋଇଛି। ‘୫ଟି’ ବ୍ୟବସ୍ଥାରେ ଦୁର୍ନୀତିଗ୍ରସ୍ତ ବା ଅସାଧୁ ଅଧିକାରୀଙ୍କ ପ୍ରତି ସରକାର କଠୋର ହୋଇଥିବା ବେଳେ ନିର୍ଯାତନା ଦେଉଥିବା ସମ୍ପୃକ୍ତ ବରିଷ୍ଠ ଅଧିକାରୀଙ୍କୁ ବଞ୍ଚାଇବା ପାଇଁ ଆପ୍ରାଣ ଉଦ୍ୟମ ହେଉଥିବା କୁହାଯାଉଛି।

ସମ୍ବନ୍ଧିତ ଖବର