ସୋମନାଥ ପରିଡ଼ା
ଭୁବନେଶ୍ବର: ୨୦୦୨ ମସିହା ନଭେମ୍ବର ୧୭ରେ ଆରପାରିକୁ ଚାଲିଗଲେ ସଙ୍ଗୀତ ଜଗତର ମୁକୁଟବିହୀନ ସମ୍ରାଟ ପ୍ରିୟ ଖୋକାଭାଇ (ଅକ୍ଷୟ ମହାନ୍ତି)। ୟା’ ଭିତରେ ଦୁଇ ଦଶନ୍ଧିରୁ ଅଧିକ ସମୟ ବିତିଗଲାଣି। ସେଦିନ ରେଡ଼ିଓରୁ ତା’ଙ୍କ ଗୀତ ଶୁଣୁଥିବା ଅବୁଝା ପିଲାଟିକୁ ଆଜି ଯୌବନ ଛୁଇଁଲାଣି। ହେଲେ ଏବେର ହଜାର ହଜାର ଗୀତ ଭିତରେ ସେ ଖୋକାଭାଇଙ୍କୁ ଖୋଜୁଛି। ଆଜି ବି ପ୍ରେମରେ ପଡ଼ି ଗାଇ ଉଠୁଛି ‘ବୟସର କୃଷ୍ଣ ଚୂଡ଼ା ରଙ୍ଗ ତୁମ ମନ୍ଦ ନୁହେଁ...’।
୧୯୩୬ ମସିହା ୧୨ ଅକ୍ଟୋବର ରେ କଟକ ଜିଲ୍ଲାରେ ଜନ୍ମଗ୍ରହଣ କରିଥିଲେ ସଙ୍ଗୀତ ଜଗତର ଅଜାତଶତ୍ରୁ। ପରବର୍ତ୍ତୀ ସମୟରେ ୧୯୪୮ ମସିହାରେ ଆକାଶବାଣୀର ପ୍ରତିଷ୍ଠା ଦିବସରେ ଶିଶୁଶିଳ୍ପୀ ଭାବେ ସାମିଲ ହୋଇଥିଲେ। ବାସ୍, ଏଇଠୁ ଆରମ୍ଭ ହୋଇଥିଲା ଅକ୍ଷୟଙ୍କ ସଙ୍ଗୀତ ଅଭିଯାନ, ଅକ୍ଷୟ ଯୁଗ…। ଉଚ୍ଚଶିକ୍ଷା ପରେ ଚାକିରି କରିଥିଲେ ସତ, ହେଲେ ଚାକିରି ଛାଡ଼ି ପାଗଳଙ୍କ ଭଳି ସଙ୍ଗୀତ ସୃଷ୍ଟିରେ ଲାଗି ପଡ଼ିଥିଲେ। ଓଡ଼ିଆଙ୍କ ଚାଲିଚଳଣି, ଲୋକକଥା, ହାବଭାବ, ଗାଁ ମାଟିର ମହକକୁ ନେଇ ସେ ଗୀତ କରିଥିଲେ। ରିକ୍ସାବାଲାର ଭାବ, ଛକରେ ସୁନ୍ଦରୀ ଅପେକ୍ଷାରେ ଥିବା କଲେଜ ପଢୁଆ ପିଲାଙ୍କ ମନକୁ ପାଇଲା ପରି ଅତି ଚତୁରତାର ସହ ସେ ସଙ୍ଗୀତ କରୁଥିଲେ। ଗୀତ ରଚନା ହେଉ କି କଣ୍ଠଦାନ, ସବୁଥିରେ ସେ ଥିଲେ ପାରଙ୍ଗମ। ସେଇଥିପାଇଁ ତ ସଙ୍ଗୀତ ଓ ସାହିତ୍ୟର ସେ ହେଉଛନ୍ତି କିମ୍ବଦନ୍ତୀ ପୁରୁଷ। ଖୋକାଭାଇ ନାଁରେ ସଭିଁଙ୍କ ପ୍ରିୟ ଅକ୍ଷୟ ମହାନ୍ତି ଓଡ଼ିଆ ସଙ୍ଗୀତର ଝଲମଲ ଚେହେରାରେ ନୂଆରଙ୍ଗ ମାଖିଥିଲେ, ନୂଆଦିଗ ଦେଖାଇଥିଲେ। ବୋଧେ ଅକ୍ଷୟ ହିଁ ସଙ୍ଗୀତକୁ ଗୋଟେ ସ୍ତରକୁ ନେଇଥିଲେ, ଯେଉଁଠି ଲୋକଙ୍କ ରୁଚିକୁ ସେ ବୁଝିଥିଲେ ଆଉ ଭେଟି ଦେଇଥିଲେ ଅନେକ ମନଛୁଆଁ ଗୀତ।
‘ମା’ (୧୯୫୮) ଚଳଚ୍ଚିତ୍ରର ‘ଗୋରୀ ଗୋରୀ ଗୋରୀ’ ଥିଲା ତାଙ୍କର ପ୍ରଥମ ପ୍ରଚ୍ଛଦ ସଂଗୀତ। ‘ମଲାଜହ୍ନ’ (୧୯୬୬) ଚଳଚ୍ଚିତ୍ରରେ ସେ ପ୍ରଥମେ ସଂଗୀତ ନିର୍ଦେଶନା ଦେଇଥିଲେ। ସୁଦୀର୍ଘ ସଂଗୀତ କ୍ୟାରିୟରରେ ସେ ରୋମାଣ୍ଟିକ୍ ସ˚ଗୀତରୁ ଆରମ୍ଭ କରି ଭଜନ ପର୍ଯ୍ୟନ୍ତ ସବୁପ୍ରକାର ଗୀତ ଗାଇଛନ୍ତି ଏବଂ ତିଆରି କରିଛନ୍ତି। ଅକ୍ଷୟ ୧୨୯ଟି ଓଡ଼ିଆ ଫିଲ୍ମରେ କଣ୍ଠଦାନ କରିଛନ୍ତି, ୯୨ଟି ଫିଲ୍ମ ପାଇଁ ଗୀତ ଲେଖିଛନ୍ତି, ୭୫ଟି ଫିଲ୍ମର ସଂଗୀତ ନିର୍ଦେଶନା ଦେଇଛନ୍ତି। ଏହା ସାଙ୍ଗକୁ ସେ ତିନିଟି ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି ଓ ଗୋଟିଏ ଚଳଚ୍ଚିତ୍ରର ଯୁଗ୍ମ ନିର୍ଦ୍ଦେଶକ ରହିଛନ୍ତି। ଯାଯାବର, ଯାରେ ମେଘ ଭାସି ଯା, ହେ ଫଗୁଣ ତୁମେ ଗଲା ପରେ ପରେ, ପୁଣ୍ୟର ନଦୀ ତୀରେ, ସ୍ମୃତି ତୁମେ ପାଉଁଶ ତଳର ନିଆଁ, ବୟସର କୃଷ୍ଣଚୂଡା, ନଦୀର ନାମ ଅଳସ କନ୍ୟା ଆଦି ଅନେକ ଗୀତର ସେ ହେଉଛନ୍ତି ସ୍ରଷ୍ଟା। ଯାହା ଆଜି ବି ଶ୍ରୋତାଙ୍କ ମନକୁ ଛୁଇଁ ପାରୁଛି। ଚଳଚ୍ଚିତ୍ର କ୍ଷେତ୍ରରେ ରାଜ୍ୟ ସରକାରଙ୍କ ସର୍ବୋଚ୍ଚ ସମ୍ମାନ ‘ଶ୍ରୀ ଜୟଦେବ ପୁରସ୍କାର’ ସହ ଶହ ଶହ ସମ୍ମାନ ପାଇଛନ୍ତି ଖୋକା ଭାଇ। ସେ ସମୟରେ ଓଡ଼ିଶାର ପୁରପଲ୍ଲୀର ହଜାର ହଜାର ସ୍ଥାନରେ ଗୀତ ଗାଇ ମନ ଜିଣୁଥିଲେ। ତାଙ୍କ ଗୀତ ଶୁଣିବା ପାଇଁ ଲୋକେ ଯୋଜନ ଯୋଜନ ଦୂରକୁ ଯାଉଥିଲେ।
ଏନେଇ ଅକ୍ଷୟ ମହାନ୍ତିଙ୍କ ଉପରେ ଗବେଷଣା କରୁଥିବା ଜେନାମଣି ସଂଜୀବ କୁମାର କହନ୍ତି, ଅକ୍ଷୟ ମହାନ୍ତି ଜଣେ ଅପ୍ରତିଦ୍ବନ୍ଦୀ ବ୍ୟକ୍ତିତ୍ୱ। କେବଳ ଓଡ଼ିଶା କିମ୍ବା ଭାରତ ନୁହେଁ, ଆମେରିକା, କାନାଡ଼ା ଓ ଅନେକ ଦେଶକୁ ଯାଇ ଓଡ଼ିଆ ସଙ୍ଗୀତ ବିଶେଷ କରି ସାଲବେଗଙ୍କ ଜଗନ୍ନାଥ ଭଜନ ଓ ଭୀମଭୋଇଙ୍କ ଅଲେଖ ଭଜନକୁ ପରିବେଷଣ କରି ଜଗନ୍ନାଥ ସଂସ୍କୃତି ଓ ସନାତନ ଧର୍ମର ପ୍ରଚାର ଓ ପ୍ରସାର କରୁଥିଲେ। ଅକ୍ଷୟ ମହାନ୍ତି ଥରେ ଦୂରଦର୍ଶନର ଏକ ସାକ୍ଷାତକାରରେ କହିଥିଲେ ‘ମୋ ପାଖରେ ସିନା ଦଶ ଲକ୍ଷ ଟଙ୍କାର ବ୍ୟାଙ୍କ ବାଲାନ୍ସ ନାହିଁ, କିନ୍ତୁ ମୁଁ ଦଶଲକ୍ଷ ଲୋକଙ୍କର ହୃଦୟ ଭିତରେ ଅଛି। ତେବେ ଆଉ ମୋର କଣ ଦରକାର? ଆଜି ଅକ୍ଷୟ ମହାନ୍ତି ସିନା ଆମ ଗହଣରେ ନାହାନ୍ତି ହେଲେ ଏବେ ବି କୋଟିକୋଟି ଲୋକଙ୍କ ହୃଦୟରେ ସେ ଅଛନ୍ତି। ଯେବେ ହୃଦୟ ଭାଙ୍ଗିଯାଏ, ଛାତି ଭିତରେ ଯେବେ ଏକଲାପଣ ରାଜୁତି କରେ ସେବେ ଆପେଆପେ ଓଠରୁ ବାହାରି ଆସେ ହୃଦୟର ଏହି ଶୂନ୍ୟତାକୁ...।