୪୪ ମହିଳା ଚିତ୍ରଶିଳ୍ପୀଙ୍କ ଅନନ୍ୟ ପ୍ରଦର୍ଶନୀ

ଓଡ଼ିଶା ମଡର୍ଣ୍ଣ ଆର୍ଟ ଗ୍ୟାଲେରି ପକ୍ଷରୁ ‘ଆର୍ଟ ଏରା’

ଭୁବନେଶ୍ୱର: ଆନ୍ତର୍ଜାତିକ ମହିଳା ଦିବସ ଅବସରରେ ମହିଳା ଚିତ୍ରଶିଳ୍ପୀମାନଙ୍କୁ ନେଇ ଓଡ଼ିଶା ମଡର୍ଣ୍ଣ ଆର୍ଟ ଗ୍ୟାଲେରି ପକ୍ଷରୁ ଜାତୀୟ ସ୍ତରୀୟ ଚିତ୍ରକଳା ପ୍ରଦର୍ଶନୀ ‘ଆର୍ଟ ଏରା’ ଆଜିଠାରୁ ଆରମ୍ଭ ହୋଇଛି। ସାତ ଦିନ ଧରି ଚାଲିବାକୁ ଥିବା ଏହି ପ୍ରଦର୍ଶନୀରେ ୪୪ ଜଣ ମହିଳା ଚିତ୍ରଶିଳ୍ପୀ ଭାଗ ନେଇଛନ୍ତି। ଏହି କାର୍ଯ୍ୟକ୍ରମରେ ପ୍ରଦର୍ଶିତ ହୋଇଥିବା ଚିତ୍ର ବିଷୟରେ ଆଲୋଚନା ହେବା ସହ କିଛି ମହିଳା ଶିଳ୍ପୀ ସେମାନଙ୍କ ଚିତ୍ରର ଭିଜୁଆଲ ପ୍ରେଜେଣ୍ଟେସନ୍‌ ଦେଖାଇବେ। ଶେଷ ଦିନରେ ଚିତ୍ରଶିଳ୍ପୀଙ୍କୁ ସମ୍ବର୍ଦ୍ଧନା କରାଯିବାର ବ୍ୟବସ୍ଥା ରହିଛି। ଏହି ପ୍ରଦର୍ଶନୀରେ ଚିତ୍ରଶିଳ୍ପୀମାନେ ମହିଳାମାନଙ୍କ ବିଭିନ୍ନ ଅବସ୍ଥାକୁ ଚିତ୍ର ମାଧ୍ୟମରେ ଦର୍ଶାଇଛନ୍ତି। ରଶ୍ମିତା ରଣା, ପ୍ରିୟଦର୍ଶନୀ ମହାନ୍ତି, ଅପରାଜିତା ସାହୁ, ଗୌରୀ ମହାରଣା, ମମତା ସାମନ୍ତରାଏ, ମନୀଷା ସାମଲ ଓ ମନୋରମା ଦାସଙ୍କ ପରି ଅନେକ ଚିତ୍ରଶିଳ୍ପୀ ନିଜର ମନର ଭାବନାକୁ ଚିତ୍ର ମାଧ୍ୟମରେ ପ୍ରକାଶ କରିଛନ୍ତି। ମହିଳା ଚିତ୍ରଶିଳ୍ପୀମାନଙ୍କୁ ଆଖି ଆଗରେ ଓଡ଼ିଶାରେ ପ୍ରଥମ ଥର ପାଇଁ ଏପରି କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି ବୋଲି ଓଡ଼ିଶା ମଡର୍ଣ୍ଣ ଆର୍ଟ ଗ୍ୟାଲେରିର ପ୍ରତିଷ୍ଠାତା ତାରାକାନ୍ତ ପରିଡ଼ା କହିଛନ୍ତି। ସତ୍ୟବ୍ରତ ଜେନା, ଅଶୋକ ବେହେରା ଓ ପ୍ରଦୋଷ ସ୍ୱାଇଁ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର