ଓଡ଼ିଶା ମୋଟର ଚାଳକ ସଂଘ ମିଳିତ ମଞ୍ଚର ବିକ୍ଷୋଭ: ସଡ଼କ ପରିବହନ କଲ୍ୟାଣ ବୋର୍ଡ ଗଠନ ଦାବି

ଭୁବନେଶ୍ବର: ବିଭିନ୍ନ ଦାବିରେ ଓଡ଼ିଶା ମୋଟର ଚାଳକ ସଂଘ ମିଳିତ ମଞ୍ଚ ପକ୍ଷରୁ ଲୋୟର ପିଏମଜି ଠାରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ସଂଘ ପକ୍ଷରୁ ଆଜି ୟୁନିଟ୍-୩ ସ୍ଥିତ ପ୍ରଦର୍ଶନୀ ପଡ଼ିଆଠାରୁ ୮ହଜାରରୁ ଅଧିକ ଡ୍ରାଇଭର ଏକ ଶୋଭାଯାତ୍ରାରେ ବାହାରି ଲୋୟର ପିଏଜିଠାରେ ପହଞ୍ଚି ବିଧାନସଭା ଘେରାଉ କରିବାକୁ ଯିବା ସମୟରେ ପୁଲିସ ସେମାନଙ୍କୁ ଅଟକାଇ ଥିଲା। ସଂଘର ଏକ ୫ଜଣିଆ ପ୍ରତିନିଧି ଦଳ ମୁଖ୍ୟମନ୍ତ୍ରୀ ଓ ରାଜ୍ୟ ପରିବହନ ମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପରିବହନ ସଚିବ ମଧୁସୂଦନ ପାଢ଼ୀଙ୍କୁ ଭେଟି ୭ଦଫା ସମ୍ବଳିତ ଦାବିପତ୍ର ପ୍ରଦାନ କରିଛନ୍ତି। ଦାବି ବିଷୟରେ ମନ୍ତ୍ରୀଙ୍କ ସହ ଆଲୋଚନା କରି ଆଉ ଥରେ ବୈଠକ ହେବ ବୋଲି ଶ୍ରୀ ପାଢ଼ୀ କହିବା ପରେ ମଞ୍ଚ ବିକ୍ଷୋଭରୁ ଓହରିଥିଲା।

ସଂଘ ପକ୍ଷରୁ କରାଯାଇଥିବା ଦାବି ଗୁଡ଼ିକ ମଧ୍ୟରେ ସଡ଼କ ପରିବହନ କଲ୍ୟାଣ ବୋର୍ଡ ଗଠନ, ଦୁର୍ଘଟଣା ଜନିତ ମୃତ୍ୟୁ ପାଇଁ ୧୦ଲକ୍ଷ ଟଙ୍କା ସହୟତା ପ୍ରଦାନ, ଚିକିତ୍ସା ପାଇଁ ସମସ୍ତ ଖର୍ଚ୍ଚ ବହନ, ବସ୍ ଭଡ଼ା ନିର୍ଦ୍ଧାରଣ ପରି ସମସ୍ତ ଘରୋଇ ପରିବହନ ଗାଡ଼ି ପାଇଁ ଯାତ୍ରୀ ଭଡ଼ା ନିର୍ଦ୍ଧାରଣ, ଗା଼ଡ଼ି ପାର୍କିଂ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା, ଜରୁରୀକାଳୀନ ସେବାରେ ନିୟୋଜିତ ହୋଉଥିବା ମଟରଚାଳକ ମାନଙ୍କ ପାଇଁ ଖାଇବା, ରାତ୍ରିଯାପନ ଓ ଗାଡ଼ିଭଡ଼ାର ତୁରନ୍ତ ପ୍ରଦାନ, ସମସ୍ତ ସହରାଞ୍ଚଳ, ବିଜ୍ଞାପିତ ଅଞ୍ଚଳ, ସଦର ମହକୁମା, ବିଭିନ୍ନ ଷ୍ଟେସନ, ବିମାନ ବନ୍ଦରରେ ନିଃଶୁକ୍ଳ ପାର୍କିଂ ସ୍ଥାନ ଚିହ୍ନଟ, ଚାଳକମାନଙ୍କ ପାଇଁ ସ୍ବତନ୍ତ୍ର ସାମାଜିକ ସୁରକ୍ଷା ଆଇନ, କର୍ମକ୍ଷେତ୍ରରେ ୮ଘଣ୍ଟା ସମୟ ଧାର୍ଯ୍ୟ, ରୋଜଗାର ଗ୍ୟାରେଣ୍ଟି, ବିଶ୍ରାମଗାର, ଜରୁରୀ ସେବାରେ ନିୟୋଜିତ ଚାଳକଙ୍କୁ ବିପର୍ଯ୍ୟୟ ସହାୟକ ସହ କରୋନା ସମୟରେ ନିୟୋଜିତ ଚାଳକ ମାନଙ୍କୁ କରୋନା କ୍ଷୋଦ୍ଧାର ମାନ୍ୟତା ଆଦି ରହିଛି। ଆଗାମୀ ଦିନରେ ଦାବି ପୂରଣ ନହେଲେ ବିକ୍ଷୋଭକୁ ଜୋରଦାର କରାଯିବ ବୋଲି ସଂଘର ସଭାପତି ନବକିଶୋର ମହାନ୍ତି କହିଛନ୍ତି।

ସମ୍ବନ୍ଧିତ ଖବର