ରାଷ୍ଟ୍ର ଓ ଜନତାଙ୍କ ମଧ୍ୟରେ ନାଗରିକ ସମାଜ ସେତୁ ପରି କାମ କରୁ

‘ଓଡ଼ିଶା ନାଗରିକ ସମାଜ’ ପକ୍ଷରୁ ଆଲୋଚନାଚକ୍ର

ଭୁବନେଶ୍ୱର : ରାଷ୍ଟ୍ର ଯେତେବେଳେ ଅବକ୍ଷୟମୁଖୀ ହୁଏ, ତା’ ଉପରେ ଅଙ୍କୁଶ ଲଗାଇବା ତଥା ବାଟକୁ ଆଣି ଗଣତନ୍ତ୍ରର ଲକ୍ଷଣ ମନେ ପକାଇ ଦେବାରେ ନାଗରିକ ସମାଜର ଦାୟିତ୍ୱ ସବୁଠାରୁ ଅଧିକ। ରାଷ୍ଟ୍ର ଓ ସାଧାରଣ ଜନତାଙ୍କ ମଧ୍ୟରେ ନାଗରିକ ସମାଜକୁ ସେତୁ ଭାବେ କାମ କରିବାକୁ ପଡ଼ିବ। ଦୁଇଟି ବିନ୍ଦୁକୁ ସଂଯୋଗ କରିବା ଏହି ସେତୁର କାମ ହେବା ଦରକାର। କିନ୍ତୁ ଏହି ବିନ୍ଦୁକୁ ବିଯୋଗ କରିବାକୁ ଚେଷ୍ଟା କରୁଥିବା ତଥା ରାଷ୍ଟ୍ରକୁ ନିୟନ୍ତ୍ରଣ କରୁଥିବା ବ୍ୟକ୍ତିମାନଙ୍କର କ୍ଷମତା ହରାଇବାର ଭୟ ଓ କ୍ଷମତାକୁ ଆସିବାର ଲୋଭକୁ ନାଗରିକ ସମାଜ ବ୍ୟବହାର କରିବା ଉଚିତ। ଏଥିପାଇଁ ନାଗରିକ ସମାଜକୁ ଅଧିକରୁ ଅଧିକ ସଂଗଠିତ ହେବାକୁ ପଡ଼ିବ। ଓଡ଼ିଶା ନାଗରିକ ସମାଜ ପକ୍ଷରୁ ‘ରାଷ୍ଟ୍ର ବିକାଶରେ ନାଗରିକ ସମାଜର ଭୂମିକା’ ଶୀର୍ଷକ ଆଲୋଚନାଚକ୍ରରେ ଯୋଗ ଦେଇ ଏହା କହିଛନ୍ତି ‘ସମ୍ବାଦ’ର ସମ୍ପାଦକ ସୌମ୍ୟରଞ୍ଜନ ପଟ୍ଟନାୟକ।

ଆଜି ଇଡ୍‌କଲ୍‌ ଅଡିଟୋରିୟମ୍‌ରେ ଆୟୋଜିତ ଓଡ଼ିଶା ନାଗରିକ ସମାଜର ଅଷ୍ଟମ ସ୍ୱନକ୍ଷତ୍ର ଉତ୍ସବ ପରିପ୍ରେକ୍ଷୀରେ ଏହି ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଖ୍ୟବକ୍ତା ଭାବେ ଯୋଗ ଦେଇ ଶ୍ରୀ ପଟ୍ଟନାୟକ ୧୯୮୫ର ଶିକ୍ଷକ ଆନ୍ଦୋଳନକୁ ମନେ ପକାଇ କହିଲେ, ସେତେବେଳେ ଲକ୍ଷାଧିକ ଶିକ୍ଷକଙ୍କ ସଂଗଠିତ ଶକ୍ତି ଆଗରେ ହାର୍‌ ମାନି ସରକାର ଅବନୀ ବରାଳଙ୍କ ନେତୃତ୍ୱରେ ଶିକ୍ଷକଙ୍କ ଦାବି ପୂରଣ କରିବାକୁ ବାଧ୍ୟ ହୋଇଥିଲେ। ସେହି ଦିନଠାରୁ କୌଣସି ସରକାର ଶିକ୍ଷକଙ୍କୁ ସଂଗଠିତ ହେବାକୁ ଦିଅନ୍ତି ନାହିଁ। ଶିକ୍ଷକଙ୍କୁ ବିଭିନ୍ନ ଭାଗରେ ବିଭାଜିତ କରି ସେମାନଙ୍କୁ ଏକ ବିରାଟ ଶକ୍ତିର ଉତ୍ସ ହେବାକୁ ଅଟକାନ୍ତି। ଏହି ଭିତରେ ୯୦ ପ୍ରତିଶତ ଛାତ୍ରଛାତ୍ରୀଙ୍କ ଶିକ୍ଷା ଓ ଜୀବନ ବାଜି ଲାଗେ। ଏସବୁକୁ ବ୍ୟବସ୍ଥିତ କରିବା ନାଗରିକ ସମାଜର ଗୁରୁଦାୟିତ୍ୱ ହେବା ଦରକାର। ଆଉ ଗଣମାଧ୍ୟମ ଏହାର ନେତୃତ୍ୱ ନେବା ଉଚିତ। ତେବେ ଯାଇ କିଛି ପରିବର୍ତ୍ତନ ସମ୍ଭବ ବୋଲି ସେ କହିଥିଲେ।

ଉତ୍ସବରେ ମୁଖ୍ୟ ଅତିଥି ଭାବେ ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ ଯୋଗ ଦେଇ କହିଲେ, ରାଷ୍ଟ୍ର ପରିଚାଳନା ପାଇଁ ରାଜନୀତି ନିହାତି ଆବଶ୍ୟକ। ସରକାର ଠିକ୍‌ କରୁଛନ୍ତି କି ଭୁଲ୍‌, ତାକୁ ବିଶ୍ଳେଷଣ କରିବା ଦାୟିତ୍ୱ ନାଗରିକ ସମାଜର। ଏଥିପାଇଁ ଏଥିରେ ବୁଦ୍ଧିଜୀବୀମାନେ ଯୋଗ ଦେବା ଉଚିତ। ବର୍ତ୍ତମାନ ନାଗରିକ ସମାଜ ଦେଶକୁ ଦୁର୍ନୀତିମୁକ୍ତ କିମ୍ବା ସୁନୀତିଯୁକ୍ତ କରିବାଠାରୁ ଅଧିକ ନେତୃତ୍ୱ ଗଢ଼ିବାର ଆବଶ୍ୟକତା ରହିଛି। ଓଡ଼ିଶା ନାଗରିକ ସମାଜର ମୁଖ୍ୟ ପରାମର୍ଶଦାତା ଡ.ଭଗବାନ ପ୍ରକାଶ ଏଥିରେ ଯୋଗ ଦେଇ କହିଲେ ଯେ ଲୋକଶକ୍ତି ଓ ରାଜଶକ୍ତି ମିଶି କାର୍ଯ୍ୟ କଲେ ରାଷ୍ଟ୍ରର ଉନ୍ନତି ହୋଇପାରିବ। ସକ୍ରିୟ କ୍ଷମତା ଓ ଦଳୀୟ ରାଜନୀତିରେ ଅଂଶଗ୍ରହଣ ନ କରି ନାଗରିକ ସମାଜ ସରକାର, ବଜାର ଓ ପରିବାରକୁ ପ୍ରଭାବିତ କରିପାରିବେ ।

ଓଡ଼ିଶା ନାଗରିକ ସମାଜର ସଭାପତି କିରଣ ଶଙ୍କର ସାହୁଙ୍କ ସଭାପତିତ୍ୱରେ ଆୟୋଜିତ ଏହି ଆଲୋଚନାଚକ୍ରରେ ଭୁବନେଶ୍ୱର ଉତ୍ତର ବିଧାୟକ ପ୍ରିୟଦର୍ଶୀ ମିଶ୍ର ଓ ମହିଳା କମିସନ୍‌ର ପୂର୍ବତନ ଅଧ୍ୟକ୍ଷା ଲୋପାମୁଦ୍ରା ମହାନ୍ତି ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ବକ୍ତବ୍ୟ ରଖିଥିଲେ। ସମ୍ପାଦକ ଶ୍ରୀନିବାସ ସାହୁ ସ୍ୱାଗତ ଭାଷଣ ଦେଇଥିଲେ। ଏହି ଅବସରରେ ଅନୁଷ୍ଠାନର ନୂତନ ସଭ୍ୟମାନଙ୍କୁ ଶ୍ରୀ ପଟ୍ଟନାୟକ ଶପଥ ଗ୍ରହଣ କରାଇଥିଲେ।

ସମ୍ବନ୍ଧିତ ଖବର