ଭୁବନେଶ୍ବର : ସରକାର ସମସ୍ତ ବୃତ୍ତି ପ୍ରତି କୋହଳ ମନୋଭାବ ଦେଖାଉଛନ୍ତି। ହେଲେ ମଞ୍ଚ ନାଟକ ଉପରେ ନିର୍ଭର କରି ଚଳୁଥିବା କଳାକାରଙ୍କୁ ଭୁଲି ଯାଇଛନ୍ତି। ନା ସାହାଯ୍ୟର ହାତ ବଢ଼ାଉଛନ୍ତି, ନା ମଞ୍ଚରେ କଟକଣାରେ ନାଟକ ପରିବେଷଣର ସୁଯୋଗ ଦେଉଛନ୍ତି। ଏହି କ୍ଷୋଭ ସହ ଆଜି ଓଡ଼ିଶା ନାଟ୍ୟସଂଘ ପକ୍ଷରୁ କିଛି ନାଟ୍ୟକର୍ମୀଙ୍କୁ ନେଇ ରବୀନ୍ଦ୍ର ମଣ୍ଡପ ସମ୍ମୁଖରେ ଶାନ୍ତିପୂର୍ଣ୍ଣ ଧାରଣା ଦିଆଯାଇଛି। ଏଥିସହ ସମଗ୍ର ଓଡ଼ିଶାରେ ନାଟକ ପରିବେଷଣ ପାଇଁ ମଞ୍ଚ ଖୋଲିବା ପାଇଁ ସରକାରଙ୍କୁ ଅନୁରୋଧ କରାଯାଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ଓଡ଼ିଶା ନାଟ୍ୟ ସଂଘ ସଭାପତି ହରେନ୍ ସାହୁ କହିଛନ୍ତି, ସଂଘ ସବୁବେଳେ ସରକାରଙ୍କ ସହ ସାମିଲ୍ ହୋଇ ଓଡ଼ିଶାର ନାଟ୍ୟ ଆନ୍ଦୋଳନକୁ ବଞ୍ଚାଇ ରଖିବାକୁ ପ୍ରାୟାସ କରିଆସିଛି। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଦୀର୍ଘ ୧୨ ବର୍ଷରୁ ଊର୍ଧ୍ବ ସମୟ ଧରି ଓଡ଼ିଶା ସଂଗୀତ ନାଟକ ଏକାଡେମି ଅଧୀନରେ ନାଟ୍ୟଧାରା କାର୍ଯ୍ୟକ୍ରମ ଚାଲୁଛି। ଏହା ବ୍ୟତୀତ ଜାତୀୟ ନାଟକ ମହୋତ୍ସବ, ନାଟ୍ୟ କର୍ମଶାଳା ଭଳି ପଦକ୍ଷେପ ନେବାରେ ସଂଘ ସହଯୋଗ କରିଆସୁଛି। ମାତ୍ର ମାର୍ଚ୍ଚ ମାସରୁ ମଞ୍ଚ ନାଟକ ପରିବେଷିତ ହେଉଥିବା ପ୍ରେକ୍ଷାଳୟ ବନ୍ଦ ହୋଇଯାଇଛି। ଫଳରେ ମଞ୍ଚ କଳାକାର, ନିର୍ଦେଶକ, ନାଟ୍ୟକାର, ମଞ୍ଚଶିଳ୍ପୀ, ସଂଗୀତକାର, ନୃତ୍ୟଶିଳ୍ପୀ, ଆଲୋକ ସଂଯୋଜକ, ପୋଷାକ ପରିପାଟ୍ଟୀ କଳାକାରମାନଙ୍କ ଦୁରବସ୍ଥା ଦେଇ ଗତି କରୁଛନ୍ତି। ତଥାପି ସରକାରଙ୍କ ପକ୍ଷରୁ ଏହି କଳାକାରମାନଙ୍କୁ କୌଣସି ସହାୟତା ମିଳିନାହିଁ। ସଂଘର ସମ୍ପାଦକ ଲାଲା ବୀରେନ ରାୟ କହିଛନ୍ତି, ମଞ୍ଚ ଖୋଲିବା ପାଇଁ ସଂଘ ତରଫରୁ ବାରମ୍ବାର ସରକାରଙ୍କୁ ଅନୁରୋଧ କରାଯାଇଛି। ଇତି ମଧ୍ୟରେ ଭାରତର ଅନେକ ରାଜ୍ୟରେ ନିୟମିତ ମଞ୍ଚ ନାଟକ ପ୍ରଦର୍ଶନ ପାଇଁ ଅନୁମତି ମିଳିଲାଣି। ମାତ୍ର ମଞ୍ଚ ନାଟକ କଳାକାରଙ୍କୁ ସହାୟତା ମିଳୁନାହିଁ କି ପ୍ରେକ୍ଷାଳୟ ଖୋଲାଯାଉ ନାହିଁ। ତେଣୁ କଳାକାରଙ୍କ ସ୍ଥିତିକୁ ବିଚାର ପୂର୍ବକୁ ସରକାର ମଞ୍ଚ ଖୋଲି ନାଟକ ପରିବେଷଣର ସୁଯୋଗ ଦେବାକୁ ଶ୍ରୀ ରାୟ ନିବେଦନ କରିଛନ୍ତି।