‘ମାଇଁ ନେମ୍ ଇଜ୍ ଖାନ୍’, ‘ଦୋସ୍ତାନା’, ‘କୁରବାନ୍’, ‘କାଇଟ୍’, ‘ଏ ଜେଣ୍ଟଲ ମ୍ୟାନ୍’ ଓ ‘ପ୍ୟାଡ୍ ମ୍ୟାନ୍’ ଭଳି ଚଳଚ୍ଚିତ୍ରର ସଫଳତା ପରେ ଓଡ଼ିଶାର ଲୋକେସନ୍କୁ ନେଇ ନିଜର ଆଗାମୀ ଫିଲ୍ମ ଯୋଜନାରେ ଅଛନ୍ତି ବଲିଉଡ୍ ଓ ହଲିଉଡ୍ ଚଳଚ୍ଚିତ୍ର ପ୍ରଯୋଜକ ପ୍ରଶାନ୍ତ ଶାହା। ଅକ୍ଷୟ କୁମାରଙ୍କୁ ନେଇ ନିର୍ମାଣ ହେବାକୁ ଥିବା ଏହି ଫିଲ୍ମରେ ସମୁଦ୍ର, ଜଙ୍ଗଲ, ପାହାଡ଼, ବାଲି ଚଟାଣ, ଝାଉଁ ବଣ, ଝରଣା, ହ୍ରଦ, ପୁରାତନ ମନ୍ଦିର, ପାହାଡ଼ ତଳ ଗାଁ, ବସ୍ତି ଓ ଆଦିବାସୀ ଅଞ୍ଚଳର ଆବଶ୍ୟକତା ରହିଛି। ଏପରି ଦୃଶ୍ୟକୁ ଗୋଟିଏ ସ୍ଥାନରେ ପାଇବା ଲକ୍ଷ୍ୟ ନେଇ ସେ ଓଡ଼ିଶା ଆସିଛନ୍ତି। ଓଡ଼ିଶାର ଏକ ଖେଳକୁ ନେଇ ଏହାର କାହାଣୀ ପ୍ରସ୍ତୁତ ହୋଇଛି। ଯେଉଁଥିରେ ଚରିତ୍ର ଜଣଙ୍କ ଆଦିବାସୀ ଗରିବ ପରିବାରର ପିଲା। ଫିଲ୍ମର ୪୦ ଭାଗ ଲଣ୍ଡନ ଓ ଆମେରିକାରେ ସୁଟିଂ କରାଯିବାକୁ ଯୋଜନା ଥିବା ବେଳେ ପ୍ରାୟ ୩୦ଭାଗ ଓଡ଼ିଶାରେ ସୁଟିଂ ହେବ ବୋଲି ଜଣାପଡ଼ିଛି। ଓଡ଼ିଶାର ପ୍ରାକୃତିକ ଦୃଶ୍ୟକୁ ଦେଖିବା ପରେ ଏହା କୌଣସି ବିଦେଶଠାରୁ କମ୍ ନୁହେଁ ବୋଲି ପ୍ରକାଶ କରିଛନ୍ତି ଶ୍ରୀ ଶାହା। ଏହି ଅବସରରେ ତାଙ୍କ ସହିତ ସ୍ୱତନ୍ତ୍ର ସାକ୍ଷାତକାର।
ଓଡ଼ିଶାକୁ ଲୋକେସନ୍ ଭାବେ ବାଛିବାର ମୁଖ୍ୟ ଉଦ୍ଦେଶ୍ୟ ?
କାହାଣୀ ଯେହେତୁ ଓଡ଼ିଶାର ଜଣେ ଗରିବ ପିଲା ଉପର ଆଧାରିତ, ତେଣୁ ଓଡ଼ିଶାକୁ ବାଛିବା ଜରୁରୀ ଥିଲା। ସମୁଦ୍ର ଓ ଝାଉଁ ବଣ ସହ ଆଦିବାସୀ ପାହାଡ଼ିଆ ଗ୍ରାମ୍ୟ ପରିବେଶର ଆବଶ୍ୟକତା ରହିଛି। ଯାହା କେବଳ ଓଡ଼ିଶାରେ ମିଳିପାରିବ। ଓଡ଼ିଶାର ପ୍ରାକୃତିକ ପରିବେଶକୁ ପୂର୍ବରୁ ‘ଅଶୋକା’ ଚଳଚ୍ଚିତ୍ରରେ ଦେଖିବା ପରେ ଶାହାରୁଖ୍ ଖାନ୍ଙ୍କ ସହ ଆଲୋଚନା କରି ଓଡ଼ିଶା ବିଷୟରେ ବହୁତ କିଛି ଜାଣିବାକୁ ପାଇଲି। ତେଣୁ ଆମ କାହାଣୀ ପାଇଁ ଓଡ଼ିଶା କୌଣସି ବିଦେଶଠାରୁ କମ୍ ନୁହେଁ ବୋଲି ଭାବି ଚାଲିଆସିଲୁ।
ଆପଣଙ୍କ ଦୃଷ୍ଟିରେ ଓଡ଼ିଶାର ପର୍ଯ୍ୟଟନ ବ୍ୟବସ୍ଥା କିପରି?
ଓଡ଼ିଶା ଏକ ପର୍ଯ୍ୟଟନ ହବ୍। ପ୍ରକୃତିର ଏକ ଅନନ୍ୟ ରୂପ ଓଡ଼ିଶାରେ ଦେଖିବାକୁ ପାଇଲି। ମାତ୍ର ହଜାର ହଜାର ବର୍ଷ ପୁରୁଣା ଐତିହାସିକ ମନ୍ଦିର ଓ ପର୍ଯ୍ୟଟନସ୍ଥଳୀର ରକ୍ଷଣାବେକ୍ଷଣ କରାଗଲେ ଏହା ଏକ ବ୍ୟବସାୟିକସ୍ଥଳୀରେ ପରିବର୍ତନ ହେବା ସହ ରାଜ୍ୟକୁ ବିଦେଶରେ ପରିଚୟ ଆଣିଦେବ ବୋଲି ଭାବୁଛି। ଏଠାରେ ସବୁକିଛି ଅଛି, ଯାହା ଅନ୍ୟ କୌଣସି ରାଜ୍ୟରେ ନାହିଁ। ସବୁଠାରୁ ବଡ଼ କଥା ହେଲା ସହର ଓ ଗ୍ରାମାଞ୍ଚଳ ସବୁଆଡ଼େ ଗଛଲତା ପରିପୂର୍ଣ୍ଣ ହୋଇ ରହିଛି। ଯାହାକୁ ପାଇବା ପାଇଁ ପ୍ରଯୋଜକମାନେ ଲକ୍ଷାଧିକ ଟଙ୍କା ଖର୍ଚ କରି ବିଦେଶ ଯାଇ ଫିଲ୍ମ ସୁଟିଂ କରୁଛନ୍ତି। ରିଲିଜ୍ ଅପେକ୍ଷାରେ ଥିବା ମୋର ଚଳଚ୍ଚିତ୍ର ‘ଜିରୋ’ ପାଇଁ ଓଡ଼ିଶା ଆସିଥିଲେ ଭଲ ହୋଇଥାନ୍ତା। ପର୍ଯ୍ୟଟନ କ୍ଷେତ୍ରରେ ଓଡ଼ିଶା ମୋ ପାଇଁ ନମ୍ବର ୧।
ଓଡ଼ିଶାରେ କେବେଠାରୁ ସୁଟିଂ ଆରମ୍ଭ ହେବ?
୨୦୧୯ମାର୍ଚରେ ସୁଟିଂ ଆରମ୍ଭ ପାଇଁ ଯୋଜନା ଅଛି। ଏହା ପୂର୍ବରୁ ଆମେରିକାର ଲସ୍ଆଞ୍ଜେଲ୍ସ ଓ କାଲିଫର୍ଣ୍ଣିଆରେ କିଛି ଦୃଶ୍ୟ ସୁଟିଂ ହେବ। ବଲିଉଡ୍ର ଅଭିନେତା ଅଭିନେତ୍ରୀଙ୍କ ସମେତ ଓଡ଼ିଶାର କିଛି ସହଯୋଗୀ କଳାକାର ମଧ୍ୟ ଆବଶ୍ୟକ। ଏନେଇ ସ୍ଥାନୀୟ ପ୍ରଡକ୍ସନ୍ ହାଉସ୍ ସହିତ ଆଲୋଚନା ଚାଲିଛି। ଯେହେତୁ ଅଧିକ ସୁଟିଂ ଆଦିବାସୀ ଅଞ୍ଚଳରେ ହେବ, ତେଣୁ ରାଜ୍ୟ ସରକାରଙ୍କ ଅନୁମତି ମଧ୍ୟ ଦରକାର। ପ୍ରାୟ ମାସକର ସୁଟିଂ ଓଡ଼ିଶାରେ କରାଯିବା ନେଇ ଚିନ୍ତା କରୁଛୁ।
ସାକ୍ଷାତକାର: ବିଦ୍ୟାଧର ବାରିକ