ନିଆରା ଢଙ୍ଗରେ ଓଡ଼ିଆ ନବବର୍ଷ ପାଳନ କଲା ନିଖିଳ ଓଡ଼ିଶା ପାଇକ ମହାସଂଘ

ଚନ୍ଦ୍ରଶେଖରପୁର : ମହାବିଷୁବ ସଂକ୍ରାନ୍ତି ତଥା ଓଡ଼ିଆ ନୂଆବର୍ଷକୁ ନିଆରା ଢଙ୍ଗରେ ପାଳନ କରିଛି ନିଖିଳ ଓଡ଼ିଶା ପାଇକ ମହାସଂଘ। କରୋନା ଭୂତାଣୁ ପ୍ରଭାବ ଯୋଗୁଁ ଲୋକେ ଘରେ ରହୁଥିବା ବେଳେ ଜୀବନକୁ ବାଜି ଲଗାଇ ପ୍ରତିଦିନ ସହରର ଗଳିକନ୍ଦି ସଫେଇ କରୁଥିବା ଭୁବନେଶ୍ୱର ମହାନଗର ନିଗମ(ବିଏମ୍‍ସି)ର କର୍ମଚାରୀଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଯାଇଛି। ପାରମ୍ପରିକ ରୀତିନୀତିରେ ପୂଜାର୍ଚ୍ଚନା ପରେ ବିଏମ୍‍ସି ସଫେଇ କର୍ମଚାରୀଙ୍କୁ ନବବସ୍ତ୍ର(ଗାମୁଚ୍ଛା) ଓ ହାତ ଧୋଇବା ପାଇଁ ସାବୁନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା ଏବଂ ସେମାନଙ୍କୁ ରନ୍ଧାଖାଦ୍ୟ ଦିଆଯାଇଥିଲା।

କାର୍ଯ୍ୟକ୍ରମରେ ଭିଏସ୍‍ଏସ୍‍ ନଗର ଅଞ୍ଚଳ ପ୍ରକଳ୍ପ ସଂଯୋଜକ ପ୍ରବେଶ କୁମାର ସାହୁ, ଏସ୍‍ଭିଆର ଇନ୍ଦ୍ରଜିତ ନାୟକ ଓ ରାମକୃଷ୍ଣ ଧନ୍‍ୱାରଙ୍କ ସମେତ ୫୦ଜଣ ସଫେଇ କର୍ମଚାରୀ ସମ୍ବର୍ଦ୍ଧିତ ହୋଇଥିଲେ। ଭିଏସ୍‍ଏସ୍‍ ନଗର ହାଟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପ୍ରତ୍ୟେକ ସଫେଇ କର୍ମଚାରୀ ସାମାଜିକ ଦୂରତା ବଜାୟ ରଖିବା ସହ କରୋନା ମହାମାରୀ ରୋକିବା ପାଇଁ ସଚେତନତା ସୃଷ୍ଟି କରିଥିଲେ। ଏହି ଅବସରରେ ପାଇକ ମହାସଂଘ ରାଜ୍ୟ ସଭାପତି ଅଶୋକ କୁମାର ପାଲଟାସିଂହ ଯୋଗଦେଇ କହିଲେ ‘କରୋନା’ ଆତଙ୍କରେ ସମଗ୍ର ବିଶ୍ୱ ଆତଙ୍କିତ। ଯେଉଁମାନେ ଏହି କରୋନା ଭୂତାଣୁ ସଂକ୍ରମଣରୁ ମାନବ ସମାଜକୁ ରକ୍ଷା କରିବା ପାଇଁ ଜୀବନକୁ ବାଜି ଲଗାଇ ଏହି ମହତ୍‍ କାର୍ଯ୍ୟରେ ନିଜକୁ ସମର୍ପିତ କରିଛନ୍ତି ସେମାନଙ୍କ ମଧ୍ୟରୁ ସଫେଇ କର୍ମଚାରୀ ଅନ୍ୟତମ। ପରିବେଶକୁ ସଫାସୁତୁରା ରଖି କରୋନା ରାକ୍ଷସ ସହିତ ସମ୍ମୁଖ ଯୁଦ୍ଧ କରି ‘ମହାନାୟକ’ର ଭୂମିକାରେ ଅବତ୍ତୀର୍ଣ୍ଣ ହୋଇଛନ୍ତି। ଏହି ମହାନ କାର୍ଯ୍ୟରେ ନିୟୋଜିତ ଥିବା ସଫେଇ କର୍ମଚାରୀଙ୍କ ଗହଣରେ ମହାବିଷୁବ ସଂକ୍ରାନ୍ତି ଓ ଓଡ଼ିଆ ନବବର୍ଷ ପାଳନ କରି ଆମେ ଧନ୍ୟ ମନେ କରୁଛୁ। ପ୍ରକଳ୍ପ ସଂଯୋଜକ ପ୍ରବେଶ କୁମାର ସାହୁ ସଫେଇ କର୍ମଚାରୀଙ୍କ କାର୍ଯ୍ୟକୁ ପ୍ରଶଂସା କରିଥିଲେ।

ଅନ୍ୟମାନଙ୍କ ମଧ୍ୟରେ ପାଇକ ସଂଘର ରାଜ୍ୟ ଉପଦେଷ୍ଟା ବିଭୂତି ଭୂଷଣ ସ୍ୱାଇଁ, ପାଇକ ମହାସଂଘର ରଞ୍ଜନ ବଳିଆରସିଂହ, ଅଧ୍ୟାପକ ସଞ୍ଜିତ ମହାନ୍ତି, ସାମ୍ବାଦିକ ରମାକାନ୍ତ ମହାନନ୍ଦ, ରାଜୀବ ନୟନ ରଥ, ଶାରଦା ପ୍ରସାଦ ଦାଶ, ବିଦ୍ୱାନ ଯାଦବ ପ୍ରମୁଖ ଉପସ୍ଥିତ ଥିଲେ। ଆଗାମୀ ଦିନରେ କରୋନା ଯୁଦ୍ଧର ମହାନାୟକ ଭାବେ ପରିଗଣିତ ପୁଲିସ, ଡାକ୍ତର, ନର୍ସ, ହସ୍‍ପିଟାଲ୍‍ କର୍ମଚାରୀ ଆଦିଙ୍କୁ ସମ୍ବର୍ଦ୍ଧିତ କରାଯିବା ନେଇ ଯୋଜନା ପ୍ରସ୍ତୁତ ହୋଇଛି ବୋଲି ସଂଘ ପକ୍ଷରୁ ସୂଚନା ଦିଆଯାଇଛି।

ସମ୍ବନ୍ଧିତ ଖବର