ଭୁବନେଶ୍ୱର : ସୁରଟରେ ମହକିବ ଓଡ଼ିଆ ଘରର ରାନ୍ଧଣା। ଓଡ଼ିଶୀ, ଲୋକକଳା, ଫ୍ୟୁଜନ୍ ଓ ସମକାଳୀନ ନୃତ୍ୟରେ ବିଭୋର ହେବେ ସୁରଟବାସୀ। ସୁରଟରେ ଥିବା ଲକ୍ଷଲକ୍ଷ ଓଡ଼ିଆଙ୍କୁ ଏକାଠି କରିବା ସହ ବିଶ୍ୱ ପ୍ରେକ୍ଷାପଟରେ ଓଡ଼ିଶା ଓ ଓଡ଼ିଆଙ୍କ ଗାରିମା ବଖାଣିବ ‘ଓଡ଼ିଶା ପର୍ବ’।
ଆସନ୍ତା ସେପ୍ଟେମ୍ବର ୨ରୁ ୩ ତାରିଖ ପର୍ଯ୍ୟନ୍ତ ଗୁଜୁରାଟର ହୀରକ ସହର ସୁରଟର ଅନ୍ତର୍ଜାତୀୟ ପ୍ରଦର୍ଶନୀ ଓ ସମ୍ମେଳନ କେନ୍ଦ୍ର ସରସାନାଠାରେ ଏହି ବିଶାଳ ପର୍ବ ଅନୁଷ୍ଠିତ ହେବ। ୧ଲକ୍ଷ ୨୬ହଜାର ବର୍ଗଫୁଟ ପରିବ୍ୟାପ୍ତ ଅଞ୍ଚଳରେ ମିନି ଓଡ଼ିଶାର ଭ୍ରମ ସୃଷ୍ଟି କରିବ ଏହି ପର୍ବ। ନୂଆଦିଲ୍ଲୀର ‘ଓଡ଼ିଆ ସମାଜ’ ଭେଟି ଦେବ ଏହିଭଳି ଏକ ଅବକାଶ। ଓଡ଼ିଆଙ୍କ ସମୃଦ୍ଧ କଳା ଓ କାରିଗରୀ ଆଗନ୍ତୁକମାନଙ୍କୁ ଆକୃଷ୍ଟ କରିବ ବୋଲି ଓଡ଼ିଆ ସମାଜର ସଭାପତି ଅବସରପ୍ରାପ୍ତ ପ୍ରଶାସକ ସିଦ୍ଧାର୍ଥ ପ୍ରଧାନ କହିଛନ୍ତି।
ଓଡ଼ିଆ ଘରର ମିଠା, ପିଠା, ବଡ଼ି, ପାମ୍ପଡ଼, ଆଚାର, ଘୁଗୁନି, ଦହିବରା, ଚାଟ୍ ଆଦି ଏହି ପରିସରରେ ଉପଲବ୍ଧ ହେବ। ଏଥିସହ ଓଡ଼ିଶାର ମୁରବି ପ୍ରଭୁ ଶ୍ରୀଜଗନ୍ନାଥଙ୍କ ଉପସ୍ଥିତିକୁ ଅନୁଭବ କରାଇବା ଉଦ୍ଦେଶ୍ୟରେ ଶ୍ରୀମନ୍ଦିରର ଭୋଗ ଉପଲବ୍ଧ ହେବ। ପ୍ରସିଦ୍ଧ ସ୍ଥପତି, ବୁଣାକାରଙ୍କ ଦ୍ୱାରା ପ୍ରସ୍ତୁତ ଢୋକରା, ଚାନ୍ଦୁଆ, ପ୍ରସ୍ତର ଶିଳ୍ପ, ପଟ୍ଟଚିତ୍ର, କାଗଜ ସ୍ଥାପତ୍ୟ ସମେତ କୋଟପାଡ଼, ବରପାଲି ଆଦି ତନ୍ତବୁଣା ଶାଢ଼ି, ଖୋର୍ଧା ଲୁଙ୍ଗି, ଗାମୁଛା ବିକ୍ରି ହେବ। ଏହା ବ୍ୟତୀତ କ୍ରଷ୍ଣା ବେଉରା, ଅଭିଜିତ ମଜୁମଦାର, ସୋହିନୀ ମିଶ୍ର, ସତ୍ୟଜିତ ପ୍ରଧାନଙ୍କ ଭଳି ଓଡ଼ିଆ କଣ୍ଠଶିଳ୍ପୀ ସଂଗୀତ ପରିବେଷଣ କରିବେ। ଏହା ସହ ଶାସ୍ତ୍ରୀୟ ଲୋକନୃତ୍ୟ, ପ୍ରହ୍ଲାଦ ନାଟକ, ଗାହାଣ ଗାୟନ ଏବଂ ମେଢ଼ ନୃତ୍ୟ ପ୍ରଦର୍ଶିତ ହେବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/08/odisha-5.jpg)