ଓଡ଼ିଶା ପରିବେଶ କଂଗ୍ରେସ ଉଦ୍‌ଯାପିତ : ଆଦିବାସୀଙ୍କୁ ଗରିବ କରୁଛି ଖଣି

ଭୁବନେଶ୍ବର : ଖଣି ଆଦିବାସୀଙ୍କୁ ଗରିବରୁ ଆହୁରି ଗରିବ କରିଛି। ସେମାନଙ୍କ ଉପାର୍ଜନ ଓ ଜୀବିକାରେ ବାଧା ସୃଷ୍ଟି କରିଛି। ଜଳ ଓ ବାୟୁ ପ୍ରଦୂଷଣ ହେବା ଯୋଗୁଁ ସେମାନେ ରୋଗାକ୍ରାନ୍ତ ହୋଇଛନ୍ତି। ଶିକ୍ଷା, ସ୍ବାସ୍ଥ୍ୟ ଭଳି ମୌଳିକ ସୁବିଧା ପାଇବାରୁ ବଞ୍ଚିତ ହୋଇଛନ୍ତି। ସେମାନଙ୍କ ବଞ୍ଚିବାର ଅଧିକାର ଛଡ଼େଇ ନେଇଛି ଖଣି। ଯେତେବେଳେ ଯିଏ ବି ସରକାରକୁ ଆସିଛନ୍ତି, ସେମାନେ କର୍ପୋରେଟ ସ୍ବାର୍ଥ ପାଇଁ କାମ କରୁଥିବାରୁ ଆଦିବାସୀଙ୍କ ସ୍ବାର୍ଥ ବଳି ପଡ଼ୁଛି। କେନ୍ଦୁଝର, ତାଳଚେର, କୋରାପୁଟ, ରାୟଗଡ଼ା, ସୁନ୍ଦରଗଡ, ମୟୁରଭଞ୍ଜ, କଳିଙ୍ଗନଗର ପ୍ରଭୃତି ଖଣି ଅଞ୍ଚଳରୁ ଆସିଥିବା ସ୍ବେଚ୍ଛାସେବୀମାନେ ଆଜି ଏମିତି ଭାଷାରେ ନିଜର କ୍ଷୋଭ ପ୍ରକାଶ କରିଛନ୍ତି। ଓଡ଼ିଶା ପରିବେଶ କ˚ଗ୍ରେସର ତୃତୀୟ ତଥା ଅନ୍ତିମ ଦିବସରେ ଖଣି ଓ ପରିବେଶକୁ ନେଇ ପ୍ରଭାବିତ ଲୋକଙ୍କ ସ୍ବର ବେଶ୍‌ ତୀବ୍ର ଓ ଶାଣିତ ଥିଲା।

ତିନିଦିନବ୍ୟାପୀ ଚାଲିଥିବା ପରିବେଶ କ˚ଗ୍ରେସ ପରିବେଶ ସୁରକ୍ଷା ପାଇଁ ଆଉ ନୂଆ ଖଣିକୁ ଅନୁମତି ନ ଦେବା, ଆମ ବିକାଶ ଖଣି ଆଧାରିତ ନ ହୋଇ ବିକାଶର ଏକ ଛୋଟ ଅ˚ଶ ଭାବେ ବିବେଚନା କରିବା, ପଞ୍ଚାୟତ ଓ ବ୍ଲକସ୍ତରୀୟ ଅନୁଧ୍ୟାନ କମିଟି ଗଠନ କରିବାକୁ ସୁପାରିଶ କରିଛି। ଏଥିସହ ପରିବେଶକୁ ମୌଳିକ ଅଧିକାର ଭାବେ ଗୁରୁତ୍ବ ଦେବା, ଖଣି ଅଞ୍ଚଳରେ ସରକାରୀ ନିୟମ କଡ଼ାକଡ଼ି ଭାବେ କାର୍ଯ୍ୟକାରୀ କରିବା, ପରିବେଶ ସୁରକ୍ଷା ପାଇଁ ଉଦ୍ଧିଷ୍ଟ ପାଣ୍ଠିର ସଦ୍‌ବିନିଯୋଗ କରିବା ଉପରେ ଗୁରୁତ୍ବ ଦିଆଯାଇଛି। ପ୍ରଫେସର ମନୋର˚ଜନ ମହାନ୍ତିଙ୍କ ଅଧୢକ୍ଷତାରେ ଅନୁଷ୍ଠିତ ପୂର୍ବାହ୍ନ ଅଧିବେଶନରେ ବରିଷ୍ଠ ସାମ୍ବାଦିକ ରବି ଦାସ, ପ୍ରଫେସର ସୁଧୀର ରାଉତ, କମ୍ୟୁନିଷ୍ଟ ନେତା ସୁରେଶ ପାଣିଗ୍ରାହୀ, ପୂର୍ବତନ ବରିଷ୍ଠ ପ୍ରଶାସକ ଅରବିନ୍ଦ ବେହେରା, ସିୱାଇଏସ୍‌ଡିର ଜଗଦାନନ୍ଦ, ଡା. ସେବା ମହାପାତ୍ର, ସାମ୍ବାଦିକ ସତ୍ୟପ୍ରକାଶ ନାଏକ, ଡକ୍ଟର ତତ୍ତ୍ବମାସୀ ପାଲଟାସି˚ ପ୍ରମୁଖ ଖଣି ଅଞ୍ଚଳରେ ସ୍ଥାନୀୟ ବାସିନ୍ଦା କିଭଳି ଭୟଙ୍କର ସମସ୍ୟାର ସମ୍ମୁଖୀନ ହେଉଛନ୍ତି ସେନେଇ ମତପ୍ରକାଶ କରିଥିଲେ। ଡି କେ ରୟଙ୍କ ଅଧୢକ୍ଷତାରେ ଅନୁଷ୍ଠିତ ଉଦ୍‌ଯାପନୀ ଅଧିବେଶନରେ କୋରାପୁଟ ସା˚ସଦ ସପ୍ତଗିରି ଉଲାକା, ନିର୍ବାଚନ ଆୟୋଗଙ୍କ ପୂର୍ବତନ ପରାମର୍ଶଦାତା ଭଗବାନ ପ୍ରକାଶ, ପରିବେଶବିତ୍‌ ପ୍ରଫେସର ରାଧାମୋହନ ପ୍ରମୁଖ ଯୋଗ ଦେଇଥିଲେ। ପରିବେଶ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ହରପ୍ରିୟା ମିଶ୍ରଙ୍କୁ ଯୁବ ବୈଜ୍ଞାନିକ ପୁରସ୍କାର, ବ୍ରହ୍ମପୁରର ସୁଧୀର କୁମାର ରାଉତଙ୍କୁ ଗ୍ରିନ ଆମ୍ବାସାଡର ପୁରସ୍କାର, ଏସ ବି ମିଶ୍ରଙ୍କୁ ଗ୍ରିନ କର୍ପୋରେଟ ପୁରସ୍କାର ପ୍ରଦାନ କରାଯାଇଥିଲା। ପରିବେଶ ସମ୍ପର୍କିତ ପ୍ରବନ୍ଧ, ବକ୍ତୃତା ଓ ଚିତ୍ରାଙ୍କନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା। ୨୦୨୦ରେ ଓଡ଼ିଶା ପରିବେଶ କ˚ଗ୍ରେସର ଥିମ୍‌ ‘ପରିବେଶ ଓ ଜୈବ ବିବିଧତା’ ରଖିବାକୁ ସ୍ଥିର କରାଯାଇଛି। ପରିବେଶ କ˚ଗ୍ରେସର ସଫଳତା ପାଇଁ ଓଇସିର ସଙ୍ଗଠନ ସମ୍ପାଦକ ସୁଦର୍ଶନ ଦାସ ଧନ୍ୟବାଦ ଜ୍ଞାପନ କରିଥିଲେ।

ସମ୍ବନ୍ଧିତ ଖବର