ଓଡ଼ିଶା ପରିବେଶ କଂଗ୍ରେସ : ଖଣି ଉତ୍ତୋଳନ ସହ ଉତ୍ତରଦାୟିତ୍ବ ପାଳନ କରାଯାଉ

ଭୁବନେଶ୍ବର : ଖଣି ଉତ୍ତୋଳନ କରି କେବଳ ଲାଭବାନ ହେବାକୁ ଚେଷ୍ଟା କରାଯାଉଛି। ମାତ୍ର ଖଣି ଉତ୍ତୋଳନ ସହ ଯେଉଁ ଉତ୍ତରଦାୟିତ୍ବ ରହିଛି, ତାହା ଖଣି ମାଲିକମାନେ ପାଳନ କରୁନାହାନ୍ତି। ନିମ୍ନମାନର ଖଣିଜକୁ ବର୍ଜ୍ୟ ଭାବେ ଗଦା କରୁଛନ୍ତି। ଅଧିକ ଖର୍ଚାନ୍ତ ହେବାକୁ ପଡ଼ିବ ବୋଲି ସେଥିରୁ ଖଣିଜ ପଦାର୍ଥ ବାହାର କରିବା ପାଇଁ ଚେଷ୍ଟା କରାଯାଉନାହିଁ। ଫଳରେ ଜମା ହେଉଥିବା ଏହି ବର୍ଜ୍ୟର ପାହାଡ଼ ସ୍ଥାନୀୟ ଅଞ୍ଚଳରେ ସ୍ବାସ୍ଥ୍ୟ, କୃଷି କ୍ଷେତ୍ରରେ ବିପଦ ସୃଷ୍ଟି କରୁଛି। ତେଣୁ ଏ କ୍ଷେତ୍ରରେ ଅଧିକ ଗବେଷଣା ସହ ‌ଆଧୁନିକ ଜ୍ଞାନ କୌଶଳର ଉପଯୋଗ ହେବା ଉଚିତ। ଆଞ୍ଚଳିକ ପ୍ରାକୃତିକ ଇତିହାସ ସଂଗ୍ରହାଳୟ ପରିସରରେ ଆୟୋଜିତ ‘ଓଡ଼ିଶା ପରିବେଶ କଂଗ୍ରେସ’ର ଦ୍ବିତୀୟ ଦିବସରେ ପରିବେଶ ଉପରେ ଖଣି ଓ ଖଣି ମାଲିକଙ୍କ କାର୍ଯ୍ୟଧାରାକୁ ନେଇ ଏହିପରି ଉଦ୍‌ବେଗ ପ୍ରକାଶ କରିଛନ୍ତି ଅତିଥିବୃନ୍ଦ।

ଗ୍ରାମ୍ୟ ଉନ୍ନୟନ ବିଭାଗର ପ୍ରମୁଖ ଶାସନ ସଚିବ ପ୍ରଦୀପ ଜେନା, ଖଣି ଶିଳ୍ପ ସହ ଜଡ଼ିତ ଖଣି ମାଲିକମାନେ ନିଜର ଉତ୍ତରଦାୟିତ୍ବକୁ ବୁଝି କାର୍ଯ୍ୟ କରିବା ଉଚିତ ବୋଲି କହିଥିଲେ। ବରିଷ୍ଠ ସାମ୍ବାଦିକ ତଥା ହିନ୍ଦୁସ୍ଥାନ ଟାଇମ୍ସର ପୂର୍ବତନ ସମ୍ପାଦକ ରାଜେଶ ମହାପାତ୍ର, ଓଏମ୍‌ସିର ବରିଷ୍ଠ ଅଧିକାରୀ ରାମନାଥ ପ୍ରହରାଜ, ଇଂ ରବିନାରାୟଣ ଷଡ଼ଙ୍ଗୀ, ବରିଷ୍ଠ ସାମ୍ବାଦିକ ସନ୍ଦୀପ ମିଶ୍ର ପ୍ରମୁଖ ଖଣି ଜନିତ ସମସ୍ୟା ଉପରେ ଆଲୋକପାତ କରିଥିଲେ।

ଓୟୁଏଟିର ପୂର୍ବତନ କୁଳପତି ଡ. ଡି.ପି ରୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ୫ମ ଅଧିବେଶନରେ ନିରନ୍ତର ଖଣି ପ୍ରସଙ୍ଗକୁ ନେଇ ବିଶେଷଜ୍ଞମାନେ ବକ୍ତବ୍ୟ ରଖିଥିଲେ। ଏହି ଅଧିବେଶନରେ ଏନ୍‌ଟିପିସିର ସୀତାରାମ ମାଝି, ଚାରୁଦତ୍ତ ପାଣିଗ୍ରାହୀ, ଟାଟା ଷ୍ଟିଲ୍‌ର ଭି.ଏନ୍‌ ଦେଶପାଣ୍ଡେ, ଆଇଏମ୍‌ଏମ୍‌ଟିର ଡ. ଏନ୍‌.କେ ଧଳ, ସେଲ୍‌ର ଜି.ଏସ୍‌ ଖୁଣ୍ଟିଆ, ରାଉରକେଲାସ୍ଥିତ ନିଟ୍‌ର ସୁଚରିତା ପଟେଲ୍‌, ସେଞ୍ଚୁରିଆନ୍‌ ବିଶ୍ବବିଦ୍ୟାଳୟର ପ୍ରଫେସର୍‌ କପିଳେଶ୍ବର ମିଶ୍ର ନିରାପଦ ଖଣି ଉତ୍ତୋଳନ ଉପରେ ତଥ୍ୟଭିତ୍ତିକ ବକ୍ତବ୍ୟ ପ୍ରଦାନ କରିଥିଲେ। ଓଡ଼ିଶା ପରିବେଶ କଂଗ୍ରେସର ସାଂଗଠନିକ ସମ୍ପାଦକ ସୁଦର୍ଶନ ଦାସ ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧିତ ଖବର