ଓଡ଼ିଶା ପାଇକ ଏକାଡେମିର ବିକ୍ଷୋଭ ଶୋଭାଯାତ୍ରା

ପାଇକ ସଂଗ୍ରାମ ସମ୍ବଳିତ ପ୍ରଜ୍ଞାପନ ମେଢ଼କୁ ପରେଡ୍‌ରେ ସ୍ଥାନ ପାଇଁ ଦାବି

ଭୁବନେଶ୍ବର: ପାଇକ ସଂଗ୍ରାମ ସମ୍ବଳିତ ପ୍ରଜ୍ଞାପନ ମେଢ଼କୁ ସାଧାରଣତନ୍ତ୍ର ଦିବସ ପରେଡ୍‌ରେ ସ୍ଥାନ ଦେବା ଦାବିରେ ଓଡ଼ିଶା ପାଇକ ଏକାଡେମି ପକ୍ଷରୁ ଆଜି ରାଜଭବନଠାରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଶତାଧିକ ପାଇକ ହାତରେ ଖଣ୍ଡା, ତଲୱାର ଧରି ଏକ ଶୋଭାଯାତ୍ରାରେ ପାୱାର ହାଉସ ଛକଠାରୁ ବାହାରି ରାଜଭବନସ୍ଥିତ ମଧୁସୂଦନ ଦାସଙ୍କ ପ୍ରତିମୂର୍ତ୍ତି ନିକଟରେ ପହଞ୍ଚିଥିଲେ। ପରେ ଏକ ପ୍ରତିନିଧିମଣ୍ଡଳୀ ରାଜ୍ୟପାଳ, ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ରାଜଭବନରେ ପ୍ରଦାନ କରିଥିଲେ। ଏହି ପ୍ରତିନିଧିମଣ୍ଡଳୀରେ ଓଡ଼ିଶା ରାଜ୍ୟ ପାଇକ ଆଖଡା ଏକାଡେମି ସଭାପତି ଦିଲ୍ଲୀପ ଶ୍ରୀଚନ୍ଦନ, ଖୋର୍ଦ୍ଧା ବିକାଶ ମଞ୍ଚ ସଭାପତି ନରେନ୍ଦ୍ର ପୃଷ୍ଟି ଓ ସଂପାଦକ ପ୍ରକାଶ ଜେନା ପ୍ରମୁଖ ସାମିଲ ଥିଲେ। ଏହାବ୍ୟତୀତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଦ୍ଦେଶ୍ୟରେ ମଧ୍ୟ ଏହି ଦାବିପତ୍ର ଦିଆଯାଇଛି।

ଏକାଡେମିର ଅଭିଯୋଗ, ଗତବର୍ଷ ସାଧାରଣତନ୍ତ୍ର ଦିବସ ପରେଡ୍‌ରେ ଖୋର୍ଦ୍ଧା ପାଇକ ବିଦ୍ରୋହର କର୍ଣ୍ଣଧାର ବକ୍ସି ଜଗବନ୍ଧୁଙ୍କ ପାଇକ ସଂଗ୍ରାମ ସମ୍ବଳିତ ପ୍ରଜ୍ଞାପନ ମେଢ଼କୁ ସ୍ଥାନିତ କରିବା ପାଇଁ ଜୁରି କମିଟି ଦ୍ବାରା ସିଲେକ୍ସନ ହୋଇ ମନୋନୀତ ହୋଇଥିଲା। ମାତ୍ର ଫାଇନାଲ୍‌ ରାଉଣ୍ଡରେ ଏହାକୁ ପରେଡ୍‌କୁ ବାଦ୍‌ ଦିଆଯାଇଥିଲା। ତେଣୁ ଆସନ୍ତା ସାଧାରଣତନ୍ତ୍ର ଦିବସ ପରେଡ୍‌ରେ ଏହି ପ୍ରଜ୍ଞାପନ ମେଢ଼କୁ ସ୍ଥାନ ଦେବାକୁ ଦାବି ହୋଇଛି। ଏହା କରାନଗଲେ, ଓଡ଼ିଶାର କୋଣ ଅନୁକୋଣରେ ବିପ୍ଲବର ନିଆଁ ଜଳିବ। ଏହାସହ ପ୍ରଧାନମନ୍ତ୍ରୀ, ଗୃହମନ୍ତ୍ରୀ, ରାଷ୍ଟ୍ରପତି ବାସଭବନ ଘେରାଉ କରାଯିବ ବୋଲି ଏକାଡେମି ପକ୍ଷରୁ ଚେତାବନୀ ଦିଆଯାଇଛି।

ସମ୍ବନ୍ଧିତ ଖବର