ପ୍ରଗତି ପାଇଁ ପ୍ରଶାସନିକ ଅଧିକାରୀଙ୍କ ଦକ୍ଷତା ଓ ମାନସିକତା ଜରୁରୀ: ରାଜ୍ୟପାଳ

ଓଡ଼ିଶା ଲୋକ ପ୍ରଶାସନ ସଂସ୍ଥାର ବାର୍ଷିକ ସମ୍ମିଳନୀ

ଭୁବନେଶ୍ବର: ଓଡ଼ିଶା ଲୋକ ପ୍ରଶାସନ ସଂସ୍ଥାର ବା‌ର୍ଷିକ ସମ୍ମିଳନୀ ଶନିବାର ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ ଏହାକୁ ଉଦ୍‌ଘାଟନ କରିଥିଲେ। ପ୍ରଗତି ପାଇଁ ପ୍ରଶାସନିକ ଅଧିକାରୀଙ୍କ କାର୍ଯ୍ୟ ଦକ୍ଷତା ଓ ମାନସିକତା ଜରୁରୀ ବୋଲି ରାଜ୍ୟପାଳ କହିଥିଲେ। ଅନୁଷ୍ଠାନର ଅଧ୍ୟକ୍ଷ ଡ. ଅରୁଣ କୁମାର ରଥ ପୌରୋହିତ୍ୟ କରିଥିଲେ। ସଚିବ ତଥା ଗୌତମ ନଗର ଉନ୍ନୟନ ପରିଷଦର ସଭାପତି ଅଶୋକ କୁମାର ମହାପାତ୍ର ବାର୍ଷିକ ବିବରଣୀ ପାଠ ସହ ସ୍ବାଗତ ଭାଷଣ ଦେଇଥିଲେ।

ସଂସ୍ଥା ଆନୁକୁଲ୍ୟରେ ପ୍ରଫେସର ଡ. ଯୁଗଳ ମିଶ୍ରଙ୍କ ଦ୍ବାରା ସମ୍ପାଦିତ ବାର୍ଷିକ ମୁଖପତ୍ର ’ପ୍ରଶାସନ’କୁ ରାଜ୍ୟପାଳ ଉନ୍ମୋଚନ କରିଥିଲେ। ରାଜ୍ୟ ପୁଲିସ ମହାନିର୍ଦ୍ଦେଶକ ଶରତ ଚନ୍ଦ୍ର ମିଶ୍ର ସଚିବ ଧୀରେନ୍ଦ୍ର ନାଥ ପାଢ଼ୀ ଓ ସଭାପତି ଅରୁଣ କୁମାର ରଥଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ବିଜେବି ସ୍ବୟଂ ଶାସିତ ମହାବିଦ୍ୟାଳୟର, ରେଭେନ୍ସା ବିଶ୍ବବିଦ୍ୟାଳୟର ୧୦ କୃତି ଛାତ୍ରଛାତ୍ରୀଙ୍କୁ ସମ୍ମାନିତ କରାଯାଇଥିଲା। ଉପସଭାପତି ଚିତ୍ରା କାନୁନ୍‌ଗୋ ଓ କରୁଣାକର ପଟ୍ଟନାୟକ, ପ୍ରାକ୍ତନ ପୁଲିସ ମହାନିର୍ଦ୍ଦେଶକ ନିମାଇଁ ଚରଣ ପାଢ଼ୀ, ପ୍ରାକ୍ତନ ସଚିବ ନିହାର ରଂଜନ ହୋତା ପ୍ରମୁଖ ଉପସ୍ଥିତ ଥିଲେ। ଅମିତା ପଟ୍ଟନାୟକ ସହଯୋଗ କରିଥିଲେ।

ସମ୍ବନ୍ଧିତ ଖବର