ଓଡ଼ିଶା ଫଟୋ ଟ୍ରେଡ୍‌-୨୦୧୭

ଖଣ୍ଡଗିରି: ସ୍ଥାନୀୟ ବରମୁଣ୍ଡା ବିଜୁ ପଟ୍ଟନାୟକ ଖେଳ ପଡ଼ିଆରେ ଶୁକ୍ରବାର ଓଡ଼ିଶା ଫଟୋ ଟ୍ରେଡ୍‌-୨୦୧୭ ଉଦ୍‌ଘାଟିତ ହୋଇଯାଇଛି। ଓଡ଼ିଶା ଫଟୋଗ୍ରାଫର୍‌ ଆସୋସିଏସନ୍‌ ପକ୍ଷରୁ ଆୟୋଜିତ ଏହି ମେଳାରେ ବିଭିନ୍ନ କ୍ୟାମେରା କମ୍ପାନିର ପ୍ରାୟ ୭୦ଟି ଷ୍ଟଲ୍‌ ଏଥିରେ ଅଂଶ ଗ୍ରହଣ କରିଛନ୍ତି। ପାନାସୋନିକ୍‌, ନିକନ୍‌, କୋଡ଼ାକ୍‌ ଓ ସୋନି ଭଳି କମ୍ପାନିମାନେ ନିଜ ନିଜର ଷ୍ଟଲ୍‌ ପ୍ରଦର୍ଶନ କରିବା ସହ କର୍ମଶାଳାର ଆୟୋଜନ କରିଛନ୍ତି। ପ୍ରାୟ ୧୦ହଜାର ଫଟୋଗ୍ରାଫର ଏହି ୩ ଦିନିଆ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରୁଥିବା ଆସୋସିଏସନ୍‌ ପକ୍ଷରୁ କୁହାଯାଇଛି।

ଇଷ୍ଟର୍ଣ୍ଣ ଇଣ୍ଡିଆ ଫଟୋଗ୍ରାଫର୍‌ ଆସୋସିଏସନ୍‌ର ସଭାପତି ରାଜୁ ସୁଲତାନିଆ ଉଦ୍‌ଘାଟନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଭୁବନେଶ୍ୱର ମେୟର ଅନନ୍ତ ନାରାୟଣ ଜେନା ସମ୍ମାନିତ ଅତିଥି ଭାବେ ଉପସ୍ଥିତ ଥିଲେ। ଓଡ଼ିଶା ଆସୋସିଏସନ୍‌ର ସଭାପତି ଚିତ୍ତରଂଜନ ପାତ୍ର ଓ ସମ୍ପାଦକ ଶିଶିର କୁମାର ନାୟକ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ଏହି ମେଳାର ଉଦ୍ଦେଶ୍ୟ ବାବଦରେ ସମ୍ପାଦକ ଶ୍ରୀ ନାୟକ କହିଲେ ଯେ ଏବେ ଫଟୋଗ୍ରାଫିରେ ବହୁ ଅତ୍ୟାଧୁନିକ ଜ୍ଞାନକୌଶଳ ପ୍ରବେଶ କରିଛି। ଓଡ଼ିଶାରେ ଫଟୋଗ୍ରାଫିକୁ ଜୀବିକା ଭାବେ ଗ୍ରହଣ କରିଥିବା ଫଟୋଗ୍ରାଫରମାନେ ଏସବୁ ନୂତନ ଜ୍ଞାନକୌଶଳକୁ ଜାଣିବା ଜରୁରି। ତେଣୁ ଏଭଳି ମେଳା ଦ୍ୱାରା ବିଭିନ୍ନ କମ୍ପାନିମାନଙ୍କ ପକ୍ଷରୁ ଆୟୋଜନ କରାଯାଇଥିବା କର୍ମଶାଳା ସେମାନଙ୍କ ପାଇଁ ଉପାଦେୟ ହେବ। କେବଳ ସେତିକି ନୁହେଁ, ଷ୍ଟୁଡିଓ କରିଥିବା ବ୍ୟକ୍ତିିମାନେ ବି ନୂତନ ଜ୍ଞାନକୌଶଳ ନିଜ ହାତପାହାନ୍ତାରେ ପାଇପାରିବେ। ସେହିଭଳି କ୍ୟାମେରା କମ୍ପାନିମାନେ ବି ଏଭଳି ମେଳା ଆୟୋଜନ ଦ୍ୱାରା ସେମାନଙ୍କ ଉତ୍ପାଦର ପ୍ରଚାର କରିବା ସହ ବିକ୍ରି କରିବା ପାଇଁ ଏକ ମାର୍କେଟ୍‌ ପାଇପାରୁଛନ୍ତି ବୋଲି ଶ୍ରୀ ନାୟକ ସୂଚନା ଦେଇଥିଲେ। ସନ୍ଧ୍ୟାରେ ର‍୍ୟାମ୍ପ୍‌ ସୋର ଆୟୋଜନ କରାଯାଇଥିଲା ଓ ବିଭିନ୍ନ ରାଜ୍ୟର ଫଟୋଗ୍ରାଫର ଆସୋସିଏସନ୍‌ର କର୍ମକର୍ତ୍ତାମାନେ ଏଥିରେ ଅତିଥି ଭାବେ ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର