ଚନ୍ଦ୍ରଶେଖରପୁର: ଆଜିଠାରୁ ଜନତା ମଇଦାନରେ ପ୍ରୋପ୍ୟାକ୍ ଓଡ଼ିଶା ଆନ୍ତର୍ଜାତିକ ପ୍ରଦର୍ଶନୀ ୨୦୨୩ ଓ ଓଡ଼ିଶା ପ୍ଲାଷ୍ଟ୍ ଆନ୍ତର୍ଜାତିକ ପ୍ରଦର୍ଶନୀ ୨୦୨୩ ଆରମ୍ଭ ହୋଇଛି। ପ୍ରଦର୍ଶନୀର ଉଦ୍ଘାଟନୀ ସମାରୋହରେ ରାଜ୍ୟ ଏମ୍ଏସ୍ଏମ୍ଇ, ଶିଳ୍ପ ଓ ଶକ୍ତି ମନ୍ତ୍ରୀ ପ୍ରତାପ କେଶରୀ ଦେବ ମୁଖ୍ୟ ଅତିଥି ଭାବେ ଯୋଗ କହିଛନ୍ତି ଯେ ଓଡିଶା ଖଣିଜ ସମ୍ପଦ, ସ୍ଥାନ, ଜଳ, ବିଦ୍ୟୁତ୍ ଏବଂ ସୁଯୋଗ ଭଳି ସମ୍ପଦରେ ପରିପୂର୍ଣ୍ଣ ହେବା ସହ ରାଜ୍ୟ ସରକାରଙ୍କ ସମର୍ଥନ ମଧ୍ୟ ରହିଛି। ତେଣୁ ସ୍ଥାନୀୟ ଉଦ୍ୟୋଗୀମାନେ ଏହାର ସୁଯୋଗ ନେବାକୁ ମୁଁ ଆହ୍ବାନ ଦେଉଛି। ଭୁବନେଶ୍ୱର ବ୍ୟତୀତ ଏହିପରି ଏକ୍ସପୋଗୁଡିକ ଓଡ଼ିଶାର ଅନ୍ୟାନ୍ୟ ପ୍ରମୁଖ ସ୍ଥାନରେ ଆୟୋଜିତ ହେବା ଆବଶ୍ୟକ ବୋଲି ସେ କହିଛନ୍ତି।
ଏକ ଲକ୍ଷ ବର୍ଗଫୁଟ ସ୍ଥାନରେ ଆୟୋଜନ କରାଯାଇଥିବା ଏହି ଚାରି ଦିନିଆ ପ୍ରଦର୍ଶନୀରେ ୨୦୦ ଷ୍ଟଲ୍ ସ୍ଥାପନ କରାଯାଇଥିବା ବେଳେ ସେଥିରେ ୧୭୦ କମ୍ପାନି ଭାଗ ନେଇଛନ୍ତି। ସେଥିରୁ ୩ଟି କମ୍ପାନି ବିଦେଶର, ୭୦ରୁ ଅଧିକ କମ୍ପାନି ରାଜ୍ୟ ବାହାରୁ ଆସିଛନ୍ତି। ସିବୋରା, ଗୁରୁଚରଣ, ୱିଣ୍ଡସର ମେସିନ୍ସ, କ୍ୟାପ୍ଟିଭା, ମେକାଟ୍ରୋନିକ୍ସ ଇଣ୍ଡିଆ ଓ ୟସୁକା ଭଳି ନାମୀଦାମୀ ସଂସ୍ଥା ଭାଗ ନେଇଛନ୍ତି। ପ୍ରଦର୍ଶନୀରେ ୨୦୦ ନୂଆ ଉତ୍ପାଦ ଉନ୍ମୋଚନ ହେବ। ଏହି ପ୍ରଦର୍ଶନୀକୁ ୬୦,୦୦୦ରୁ ଅଧିକ ଲୋକ ବୁଲି ଦେଖିବେ ବୋଲି ଆୟୋଜକ ଆଶା ରଖିଛନ୍ତି। ଓଡ଼ିଶା ଆସେମ୍ବଲି ସ୍ମଲ ଏବଂ ମିଡିୟମ୍ ଏଣ୍ଟରପ୍ରାଇଜ୍ (ଓସ୍ମି) ଓ ଫ୍ୟୁଚରେକ୍ସ ଗ୍ରୁପ୍ ପକ୍ଷରୁ ରାଜ୍ୟ ଓ କେନ୍ଦ୍ର ସରକାର ଏମ୍ଏସ୍ଏମ୍ଇ ମନ୍ତ୍ରଣାଳୟ ସହଯୋଗରେ ଏହି ପ୍ରଦର୍ଶନୀ ଆୟୋଜନ କରାଯାଇଛି। ଏହା ହେଉଛି ଉଭୟ ପ୍ରଦର୍ଶନୀର ଦ୍ବିତୀୟ ସଂସ୍କରଣ। ଏହି ଅବସରରେ ମୁଖ୍ୟ ସଚିବ ପ୍ରଦୀପ କୁମାର ଜେନା, ନାଲ୍କୋର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ଶ୍ରୀଧର ପାତ୍ର, ଶିଳ୍ପ ବିଭାଗର ପ୍ରମୁଖ ସଚିବ ହେମନ୍ତ କୁମାର ଶର୍ମା, ଏମ୍ଏସ୍ଏମ୍ଇ ବିଭାଗର ପ୍ରମୁଖ ସଚିବ ଶାଶ୍ୱତ ମିଶ୍ର, ଓସ୍ମିର ଅଧ୍ୟକ୍ଷ ଗୌରୀ ଶଙ୍କର ଦାସ, ସାଧାରଣ ସମ୍ପାଦକ ସାତ୍ତ୍ବିକ ସ୍ବାଇଁ, ଫ୍ୟୁଚରେକ୍ସର ଏମ୍ଡି ସ୍ବାମୀ ପ୍ରେମ୍ ଅନ୍ବେଶୀ, ଏନ୍ଆରଡିସିର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ଅମିତ ରସ୍ତୋଗି, ଆର୍ଏସ୍ପିର ଡାଇରେକ୍ଟର ଇନ୍ଚାର୍ଜ ଅତନୁ ଭୌମିକ, ଏନ୍ଟିପିସିର ଆଞ୍ଚଳିକ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ପାର୍ଥ ମଜୁମଦାର, ଇଫ୍କୋର ମହାପ୍ରବନ୍ଧକ (ସାମଗ୍ରୀ) ଡି. ଚକ୍ରବର୍ତ୍ତୀ ଏବଂ ଏମ୍ଏସ୍ଏମ୍ଇ ଡିଏଫ୍ଓର ଯୁଗ୍ମ ନିର୍ଦେଶକ ପି କେ ଗୁପ୍ତା ଉପସ୍ଥିତ ଥିଲେ।