୨୨ରେ ‘ଓଡ଼ିଶା ରାଜନୀତି’ ପୁସ୍ତକର ଉନ୍ମୋଚନ

ଭୁବନେଶ୍ୱର : ବରିଷ୍ଠ ସାମ୍ବାଦିକ ବସନ୍ତ ଦାସଙ୍କ ଦ୍ୱାରା ଲିଖିତ ପୁସ୍ତକ ‘ଓଡ଼ିଶା ରାଜନୀତି’ ଆସନ୍ତା ୨୨ ତାରିଖରେ ଉନ୍ମୋଚିତ ହେବାକୁ ଯାଉଛି। ୫୨ ବର୍ଷର ସାମ୍ବାଦିକତା ଜୀବନରେ ରାଜ୍ୟ ରାଜନୀତିର ବିଭିନ୍ନ ଘଟଣା ପ୍ରବାହର ପ୍ରତ୍ୟକ୍ଷଦର୍ଶୀ ହୋଇଥିବା ଶ୍ରୀ ଦାସ ଓଡ଼ିଶା ରାଜନୀତିର ପୂର୍ଣ୍ଣାଙ୍ଗ ସଂକଳନଟିଏ ପ୍ରସ୍ତୁତ କରିଛନ୍ତି। ‘ସମ୍ବାଦ’ର ସଂପାଦକ ସୌମ୍ୟରଂଜନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବାକୁ ଥିବା ଏହି ଲୋକାର୍ପଣ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଅର୍ଥ ଓ ଅବକାରୀ ବିଭାଗ ମନ୍ତ୍ରୀ ଶଶିଭୂଷଣ ବେହେରା, ସମ୍ମାନିତ ଅତିଥି ଭାବେ ବିରୋଧୀ ଦଳ ନେତା ନରସିଂହ ମିଶ୍ର ଓ ସମୀକ୍ଷକ ଭାବେ ଅଧ୍ୟାପକ ବିଶ୍ୱରଂଜନ ଯୋଗଦେବେ ବୋଲି ଆୟୋଜକଙ୍କ ପକ୍ଷରୁ ସୂଚନା ଦିଆଯାଇଛି।

ରାଜନୀତିର ଅନେକ ରୋଚକ ତଥ୍ୟ ସେ ଏଥିରେ ଉଲ୍ଲେଖ କରିଥିବାବେଳେ ସ୍ୱାଧୀନତା ପରଠାରୁ ଏପର୍ଯ୍ୟନ୍ତ ସମସ୍ତ ବିଧାନସଭା ଏବଂ ସରକାରର ସବିଶେଷ ଚିତ୍ରପଟ୍ଟ ରଖିଛନ୍ତି। ଏହାଛଡା ବିଭିନ୍ନ ସମୟରେ କିପରି ସରକାର ସଂଖ୍ୟାଲଘୁ ହୋଇଛି, ସଂଖ୍ୟା ଯୋଗାଡ କରାଯାଇଛି, କିଭଳି ମୁଖ୍ୟମନ୍ତ୍ରୀତ୍ୱର ଦୌଡ ଲାଗିଛି ସବୁକଥାକୁ ଅତି ପାଖରୁ ପରଖିବା ପରେ ତାକୁ ସେ ପୁସ୍ତକରେ ସ୍ଥାନ ଦେଇଛନ୍ତି। ଏପରିକି ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ଲାଗି ସାଇମନ କମିଶନଙ୍କ ନିକଟକୁ ପ୍ରତିନିଧି ଦଳ ଯିବାର ତଥ୍ୟ ମଧ୍ୟ ସନ୍ନିବେଶିତ କରିଛନ୍ତି।

ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ପୂର୍ବରୁ ଡକ୍ଟର ହରେକୃଷ୍ଣ ମହତାବଙ୍କ ଦ୍ୱାରା ଗଡ଼ଜାତ ମିଶ୍ରଣ ପ୍ରକ୍ରିୟା, ନନ୍ଦିନୀ ଶତପଥୀଙ୍କ ସମୟର ରାଜନୈତିକ ଚିତ୍ରପଟ୍ଟ, ବିଜୁ ପଟ୍ଟନାୟକଙ୍କ ରାଜନୈତିକ ଜୀବନ, ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ଶାସନ ଓ ଶେଷରେ ନବୀନ ପଟ୍ଟନାୟକଙ୍କ ମୁଖ୍ୟମନ୍ତ୍ରୀତ୍ୱର ସମସ୍ତ ଘଟଣାବଳୀକୁ ଏଥିରେ ଉଲ୍ଲେଖ କରାଯାଇଛି। ଆସନ୍ତା ବୁଧବାର ରାଜ୍ୟ ଅଭିଲେଖାଗାରଠାରେ ଆୟୋଜିତ ଏକ ସମାରୋହରେ ପୁସ୍ତକଟି ଉନ୍ମୋଚିତ ହେବ। ପୁସ୍ତକର ମୂଲ୍ୟ ୪ଶହ ଟଙ୍କା ଥିବାବେଳେ ଉନ୍ମୋଚନ ଦିବସରେ ୫୦ ପ୍ରତିଶତ ରିହାତି ଦିଆଯାଉଛି।

ସମ୍ବନ୍ଧିତ ଖବର