‘ଓଡ଼ିଶା ପଜିଟିଭ୍‌’ ୱେବସାଇଟ୍‌ ଲୋକାର୍ପିତ

ଭୁବନେଶ୍ବର: ସମଗ୍ର ବିଶ୍ବରେ ରହୁଥିବା ପ୍ରବାସୀ ଓଡ଼ିଆମାନଙ୍କୁ ଓଡ଼ିଶାର ପ୍ରଗତି ପଥରେ ସାମିଲ୍‌ କରିବା ଉଦ୍ଦେଶ୍ୟ ନେଇ ଖୋଲିଛି ‘ଓଡ଼ିଶା ପଜିଟିଭ୍‌’ ୱେବସାଇଟ୍‌। ‘ସମ୍ବାଦ’ର ସମ୍ପାଦକ ସୌମ୍ୟରଂଜନ ପଟ୍ଟନାୟକ ସୋମବାର ଅପରାହ୍‌ଣରେ ଏହାକୁ ଉନ୍ମୋଚନ କରିଛନ୍ତି। ବିଭିନ୍ନ କ୍ଷେତ୍ରରେ ପ୍ରତିଷ୍ଠିତ ବ୍ୟକ୍ତିବିଶେଷଙ୍କ ସଂକଳ୍ପରୁ ଏହା ଜନ୍ମ ନେଇଛି। ସଂସ୍କୃତି, ସାହିତ୍ୟ, କଳା, ଅର୍ଥନୀତି, ବାଣିଜ୍ୟ, ବିଜ୍ଞାନ ଓ ବୈଷୟିକ ଜ୍ଞାନକୌଶଳ କ୍ଷେତ୍ରରେ ଓଡ଼ିଶା ଯେପରି ଅଗ୍ରଗତି କରିପାରିବ, ସେନେଇ ପ୍ରୟାସ କରାଯିବ ବୋଲି ‘ଓଡ଼ିଶା ପଜିଟିଭ’ର ଆବାହକ ଆଇନଜୀବୀ ସଞ୍ଜୀବ କୁମାର ମହାନ୍ତି କହିଛନ୍ତି। ଶ୍ରୀ ପଟ୍ଟନାୟକ ଏହି ୱେବସାଇଟ୍‌କୁ ଉନ୍ମୋଚନ କରି ଭାବ ଆଦାନ ପ୍ରଦାନରେ ଏହା ସହଯୋଗ କରିବା ସହ ଓଡ଼ିଶାର ଉନ୍ନତି କ୍ଷେତ୍ରରେ ସହାୟକ ହେଉ ବୋଲି କାମନା କରିଛନ୍ତି। ସଂସ୍କୃତି, ଐତିହ୍ୟ ଓ ପରମ୍ପରା ପ୍ରତି ସମର୍ପଣ ଭାବ ହିଁ ଏପରି ୱେବସାଇଟ୍‌ ଗଠନର ମୁଖ୍ୟ ଉଦ୍ଦେଶ୍ୟ ବୋଲି ୱେବସାଇଟ୍‌ର ସଦସ୍ୟ ନିହାର ଶତପଥୀ କହିଛନ୍ତି। www.odishapositive.org ଶୀର୍ଷକ ଏହି ୱେବସାଇଟ୍‌ରେ ଓଡ଼ିଶା ସମ୍ପର୍କରେ ଓଡ଼ିଆ ବୁଦ୍ଧିଜୀବୀଙ୍କ ମତ ଓ ଆଲୋଚନା ରହିବ। ୱେବସାଇଟ୍‌ର ଉନ୍ମୋଚନ ପାଇଁ ଶ୍ରୀ ପଟ୍ଟନାୟକଙ୍କୁ ଆବାହକ ଶ୍ରୀ ମହାନ୍ତି ଧନ୍ୟବାଦ ଜଣାଇଛନ୍ତି।

ସମ୍ବନ୍ଧିତ ଖବର