ଓଡ଼ିଶାରେ କରୋନା ପ୍ରସ୍ତୁତି: ତଦାରଖ କଲେ କେନ୍ଦ୍ର ସ୍ବାସ୍ଥ୍ୟ ଯୁଗ୍ମ ସଚିବ

ରାଜ୍ୟ ସ୍ବାସ୍ଥ୍ୟ ସଚିବଙ୍କ ସହ ଆଲୋଚନା, କ୍ୟାପିଟାଲ ହସ୍ପିଟାଲ, ଏସ୍‌ସିବି ଓ ବିମାନବନ୍ଦର ପରିଦର୍ଶନ

ଭୁବନେଶ୍ବର: ଓଡ଼ିଶାରେ କରୋନା ଭୂତାଣୁର ମୁକାବିଲା ଲାଗି କିଭଳି ପ୍ରସ୍ତୁତି ରହିଛି, ତାହାର ତଦାରଖ କରିଛନ୍ତି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଗାୟତ୍ରୀ ମିଶ୍ର। କ୍ୟାପିଟାଲ ହସ୍ପିଟାଲ ସମେତ ଏସ୍‌ସିବି ମେଡିକାଲ କଲେଜ ଓ ବିଜୁ ପଟ୍ଟନାୟକ ବିମାନବନ୍ଦର ପରିଦର୍ଶନ କରିବା ସହିତ କରୋନା ମୁକାବିଲା ନେଇ ସନ୍ତୋଷ ପ୍ରକାଶ କରିଛନ୍ତି। ଓଡ଼ିଶାରେ କରୋନା ପ୍ରସ୍ତୁତି ସଂପର୍କରେ ସେ କେନ୍ଦ୍ର ସରକାରଙ୍କୁ ରିପୋର୍ଟ ପ୍ରଦାନ କରିବେ ବୋଲି ସୂଚନା ମିଳିଛି।

ଚୀନ୍ ସମେତ ୫୧ଟି ଦେଶକୁ କରୋନା ଭୂତାଣୁ ବ୍ୟାପୀ ସାରିଲାଣି। ଏବେ ଦକ୍ଷିଣ କୋରିଆ ଓ ୟୁ‌‌ରୋପୀୟ ଦେଶଗୁଡ଼ିକରେ କାୟା ବିସ୍ତାର କରିବାରେ ଲାଗିଛି। ଭାରତରେ ଏ ପର୍ଯ୍ୟନ୍ତ ୩ଜଣ କରୋନା ସଂକ୍ରମିତ ବ୍ୟକ୍ତିଙ୍କୁ ଚିହ୍ନଟ କରାଯାଇଥିବା ବେଳେ ସେମାନଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ‌ରହିଛି। ତେବେ କେନ୍ଦ୍ର ସରକାରଙ୍କ ପକ୍ଷରୁ ବିଭିନ୍ନ ରାଜ୍ୟରେ କରୋନା ଭୂତାଣୁର ମୁକାବିଲା ଲାଗି କିଭଳି ପ୍ରସ୍ତୁତି ହୋଇଛି ତାହାର ତଦାରଖ କରାଯାଉଛି। ଏହି ଭିତ୍ତିରେ ଆଜି ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଶ୍ରୀମତୀ ମିଶ୍ର ଓଡ଼ିଶାରେ ଏହାର ତଦାରଖ କରିଛନ୍ତି। ହସ୍ପିଟାଲଗୁଡ଼ିକରେ ଆଇସୋଲେସନ୍‌ ୱାର୍ଡଠାରୁ ଆରମ୍ଭ କରି ବିମାନ ବନ୍ଦରରେ ସ୍କ୍ରିନିଂ ବ୍ୟବସ୍ଥା ପର୍ଯ୍ୟନ୍ତ ବୁଲି ଦେଖିଥିଲେ। ପରେ ରାଜ୍ୟ ସ୍ବାସ୍ଥ୍ୟ ସଚିବଙ୍କ ସହ ଆଲୋଚନା କରିଥିଲେ।

ଅପରପକ୍ଷ‌ରେ ରାଜ୍ୟରେ କରୋନା ସଂକ୍ରମିତ ଦେଶରୁ ଫେରିଥିବା ବ୍ୟକ୍ତିଙ୍କ ସଂଖ୍ୟାରେ ଧୀରେ ଧୀରେ ବୃଦ୍ଧି ହେବାରେ ଲାଗିଛି। ଆଜି ସୁଦ୍ଧା ୧୧୪ଜଣ ଲୋକଙ୍କୁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସ୍କ୍ରିନିଂ କରାଯାଇଛି। ତହିଁରୁ ୨ଜଣ ଅବଜରଭେସନ୍‌ରେ ରହିଥିବା ବେଳେ ଘରେ ୫୧ଜଣ ଆଇସୋଲେସନ୍‌ରେ ରହିଛନ୍ତି। ଏହାସହ ଡାକ୍ତରଖାନାରେ ମଧ୍ୟ ୩ ଜଣଙ୍କୁ ଆଇସୋଲେସନ୍‌ ୱାର୍ଡରେ ରହିଛନ୍ତି। ଏହାସହ ଏ ପର୍ଯ୍ୟନ୍ତ କରୋନା ସଂକ୍ରମଣ ସନ୍ଦେହରେ ୮ଟି ନମୁନା ସଂଗ୍ରହ କରାଯାଇ ପରୀକ୍ଷା ହୋଇଥିବା ବେଳେ ତହିଁରୁ ସମସ୍ତ ନମୁନା ନେଗେଟିଭ୍ ରହିଛି। ଅପରପକ୍ଷରେ କରୋନା ଭୂତାଣୁ ପାଇଁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍ ବ୍ୟବସ୍ଥା କରାଯାଇଛି। ଛାତ୍ରଛାତ୍ରୀମାନଙ୍କୁ କରୋନା ଭୂତାଣୁ ସଂପର୍କରେ ସୂଚନା ଦେବା ଓ କିଭଳି ସତକର୍ତା ଅବଲମ୍ବନ କରିବେ ସେଥିପାଇଁ ସ୍କୁଲମାନଙ୍କୁ ଲିଫଲେଟ୍‌ ପ୍ରଦାନ କରାଯାଇଥିବା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ସମ୍ବନ୍ଧିତ ଖବର