ଓଡ଼ିଶା ରିପୋର୍ଟ କାର୍ଡ ଉନ୍ମୋଚିତ

ଭୁବନେଶ୍ୱର: ଶିକ୍ଷକ ଶିକ୍ଷା ନିର୍ଦ୍ଦେଶାଳୟ, ରାଜ୍ୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ ଏବଂ ୟୁନିସେଫ୍‌ ଓଡ଼ିଶାର ମିଳିତ ସହଯୋଗରେ ଜାତୀୟ ଉପଲବ୍ଧି ସର୍ବେକ୍ଷଣ ରିପୋର୍ଟ କାର୍ଡର ଦୁଇଦିନିଆ ରାଜ୍ୟସ୍ତରୀୟ କର୍ମଶାଳା ଅନୁଷ୍ଠିତ ହୋଇଛି। ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଓଡ଼ିଶା ରିପୋର୍ଟ କାର୍ଡକୁ ଉନ୍ମୋଚନ କରି କହିଲେ ଓଡ଼ିଶାର ପିଲାଙ୍କ ଶିକ୍ଷଣସ୍ତର ଜାତୀୟସ୍ତରଠାରୁ ଅନେକ କ୍ଷେତ୍ରରେ ଆଗୁଆ ରହିଛି। ତୃଣମୂଳସ୍ତରରେ ଶିକ୍ଷାର ମାନ ଓ ଶିକ୍ଷଣ ଫଳକୁ ତ୍ୱରାନ୍ୱିତ କରିବା ପାଇଁ ସମଗ୍ର ଶିକ୍ଷା ଅଭିଯାନ, ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନର ମିଳିତ ସହଯୋଗରେ କାର୍ଯ୍ୟକ୍ରମ ହେଉଛି।

ଶିକ୍ଷା ମନ୍ତ୍ରଣାଳୟ ଦ୍ୱାରା କରାଯାଇଥିବା ଜାତୀୟ ଉପଲବ୍ଧି ସର୍ବେକ୍ଷଣ ଏକ ବୃହତ୍‌ ସର୍ଭେ। ଯାହାକି ବିଦ୍ୟାଳୟ ଶିକ୍ଷାର ଫଳପ୍ରଦତାକୁ ପ୍ରତିଫଳିତ କରେ। ଏହି ସର୍ଭେରେ କେନ୍ଦ୍ର ଓ ରାଜ୍ୟର ସରକାରୀ ବିଦ୍ୟାଳୟ, ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଓ ବେସରକାରୀ ବିଦ୍ୟାଳୟର ତୃତୀୟ, ପଞ୍ଚମ, ଅଷ୍ଟମ ଓ ଦଶମ ଶ୍ରେଣୀର ଛାତ୍ରଛାତ୍ରୀ ଓ ଶିକ୍ଷକଙ୍କୁ ଅନ୍ତର୍ଭୁକ୍ତ କରାଯାଇଥିଲା। ରିପୋର୍ଟ ଅନୁସାରେ ଓଡ଼ିଶାରୁ ୫୪୭୯ ବିଦ୍ୟାଳୟର ୨୫୧୪୩ ଶିକ୍ଷକ ଓ ୧ ଲକ୍ଷ ୫୮ ହଜାର ୬୧୧ ଛାତ୍ରଛାତ୍ରୀ ଏନ୍‌ଏଏସ୍‌-୨୦୨୧ରେ ଅଂଶଗ୍ରହଣ କରିଥିଲେ। ଏହି କର୍ମଶାଳାରେ ଏନ୍‌ସିଇଆର୍‌ଟିର ପୂର୍ବତନ ନିର୍ଦ୍ଦେଶକ ହୃଷୀକେଶ ସେନାପତି, ଓସେପା ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ଅନୁପମ ସାହା, ଶିକ୍ଷକ ଶିକ୍ଷା ଓ ଗବେଷଣା ପ୍ରତିଷ୍ଠାନର ନିର୍ଦ୍ଦେଶକ ରଘୁରାମ ଆର୍‌ ଆୟାର, ୟୁନିସେଫ୍‌ର ଓଡ଼ିଶା ମୁଖ୍ୟ ମୋନିକା ନେଲସନ୍‌, ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀ, ଅତିରିକ୍ତ ଶିକ୍ଷା ଅଧିକାରୀ, ପ୍ରଧାନ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସମେତ ବିଭାଗୀୟ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର