ଓଡ଼ିଶା ରିସର୍ଚ୍ଚ କନକ୍ଲେଭ-୨୦୨୧ ଉଦ୍‌ଘାଟିତ; ଗବେଷକମାନେ ମୌଳିକତାକୁ ପ୍ରାଧାନ୍ୟ ଦିଅନ୍ତୁ: ରାଜ୍ୟପାଳ

ଭୁବନେଶ୍ବର: ଉତ୍କଳ ବିଶ୍ବବିଦ୍ୟାଳୟ, ଉଚ୍ଚଶିକ୍ଷା ବିଭାଗ ଏବଂ ଓଡ଼ିଶା ରାଜ୍ୟ ଉଚ୍ଚଶିକ୍ଷା ପରିଷଦର ମିଳିତ ଆନୁକୂଲ୍ୟରେ ଉତ୍କଳ ବିଶ୍ୱବିଦ୍ୟାଳୟର ଦୀକ୍ଷାନ୍ତ ଭବନରେ ‘ଓଡ଼ିଶା ରିସର୍ଚ୍ଚ କନକ୍ଲେଭ-୨୦୨୧’ ଉଦ୍‌ଘାଟିତ ହୋଇଯାଇଛି। ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ କହିଥିଲେ ଯେ ବର୍ତ୍ତମାନ ସମୟ ହିଁ ସବୁଠୁ ଶ୍ରେଷ୍ଠ ସମୟ। ତାହା ହିଁ ହେଉଛି ଚେତନା। ଏହାକୁ କେନ୍ଦ୍ର କରି ଗବେଷକମାନେ ନିଜର ଅନ୍ବେଷଣ ଜାରି ରଖନ୍ତୁ। ଏମିତି ସମୟ ଆସିପାରିବ, ଯେଉଁଠି ଜଣେ ଗବେଷକ ଚେତନତାଗତସ୍ତରର ଊର୍ଦ୍ଧ୍ବତମ ପର୍ଯ୍ୟାୟକୁ ଯାଇ ସମସ୍ତ ପ୍ରାଣୀ ଓ ବସ୍ତୁ ସହିତ ମଧ୍ୟ ନିଜର ଭାବ ବିନିମୟ କରିପାରିବ। ଜ୍ଞାନର ଆଧ୍ୟାତ୍ମିକୀକରଣ ଏବଂ ଏହାକୁ ସର୍ବମଙ୍ଗଳମୟ କରିବା ଆବଶ୍ୟକ। ଗବେଷଣା ମାଧ୍ୟମରେ ଜ୍ଞାନର ପରିସୀମାକୁ ଆହୁରି ପ୍ରସାରିତ କରାଯାଉ ଏବଂ ଗବେଷଣାର ଫଳ ସମଗ୍ର ବିଶ୍ବର ମଙ୍ଗଳଭିତ୍ତିକ ହେଉ। ବିଭିନ୍ନ ବିଷୟରେ ମୌଳିକ ଗବେଷଣା ଏକାନ୍ତ ଆବଶ୍ୟକ। ଗବେଷକମାନେ ସେମାନଙ୍କ ଗବେଷଣାରେ ମୌଳିକତାକୁ ଅଧିକ ପ୍ରାଧାନ୍ୟ ଦେବା ଆବଶ୍ୟକ। କେବଳ ଭୌତ୍ତିକ ବିକାଶ ପାଇଁ ଚେତନାଗତ ଉତ୍ତରଣ ଗବେଷଣାର ମୂଳ ଲକ୍ଷ୍ୟ ହେଉ ବୋଲି କହିଥିଲେ।

କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ଭାବେ ଭାବା ଆଟୋମିକ ରିସର୍ଚ୍ଚ ସେଣ୍ଟର୍‌ ନିର୍ଦ୍ଦେଶକ ଅଜିତ କୁମାର ମହାନ୍ତି ଯୋଗଦେଇ ଗବେଷଣା କ୍ଷେତ୍ରରେ ନୂଆ ଦିଗ ଉନ୍ମୋଚନ କିଭଳି ମାନବ ସମାଜ ହିତରେ ଲାଗି ପାରିବ, ସେଥିପ୍ରତି ଗବେଷକମାନେ ଯତ୍ନବାନ ହେବାକୁ ଆହ୍ବାନ ଦେଇଥିଲେ। ଉଚ୍ଚଶିକ୍ଷା ବିଭାଗ ପ୍ରମୁଖ ସଚିବ ଶାଶ୍ବତ ମିଶ୍ର ଏବଂ ଓଡ଼ିଶା ରାଜ୍ୟ ଉଚ୍ଚଶିକ୍ଷା ପରିଷଦ ଉପାଧ୍ୟକ୍ଷ ପ୍ରଫେସର୍‌ ଅଶୋକ ଦାସ ରାଜ୍ୟ ସରକାରଙ୍କ ବିଭିନ୍ନ ଗବେଷଣାତ୍ମକ ଯୋଜନା ଉପରେ ଆଲୋକପାତ କରିଥିଲେ।
ଉତ୍କଳ ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ସବିତା ଆଚାର୍ଯ୍ୟ ସ୍ବାଗତଭାଷଣ ଦେଇଥିବା ବେଳେ ପ୍ରଫେସର ମିତାଲି ଚିନ୍ନାରା କାର୍ଯ୍ୟକ୍ରମ ସଞ୍ଚାଳନ କରିଥିଲେ। ଦୁଇ ଦିନ ଧରି ଚାଲିବାକୁ ଥିବା ଏହି କନକ୍ଲେଭ ବିଭିନ୍ନ ବିଶ୍ବଦ୍ୟାଳୟର ୧୭୦ଜଣ ଗବେଷକ ସେମାନଙ୍କ ଗବେଷଣାର ପୋଷ୍ଟର୍‌ ପ୍ରଦର୍ଶନ କରିଥିଲେ। କାର୍ଯ୍ୟକ୍ରମରେ ରାଜ୍ୟର ବିଭିନ୍ନ ବିଶ୍ବବିଦ୍ୟାଳୟର କୁଳପତି, କୁଳସଚିବ, ପରୀକ୍ଷା ନିୟନ୍ତ୍ରକ, ବିତ୍ତ ନିୟନ୍ତ୍ରକଙ୍କ ସମେତ ଉଚ୍ଚଶିକ୍ଷା ବିଭାଗର ବହୁ ବରିଷ୍ଠ ଅଧିକାରୀ ଯୋଗଦେଇଥିଲେ।

ସମ୍ବନ୍ଧିତ ଖବର