ସଂଭାବନା ପକ୍ଷରୁ ‘ଓଡ଼ିଆ ସମୃଦ୍ଧି ଦିବସ’

ଭୁବନେଶ୍ବର: ଓଡ଼ିଆପଣର ମହକରେ ମହକୁଥିଲା ଏକାମ୍ର ହାଟ ପରିସର। ହୁଳହୁଳି, ଶଙ୍ଖଧ୍ବନି ସହ ବୋଇତ ଭାସି ଯା.., ଗୋରାପ ଗଡ଼ିଯା.. ଆଦିର ସୁମଧୁର ସ୍ବର ଭାସି ଆସୁଥିଲା ଏକାମ୍ର ହାଟ କ୍ଷୁଦ୍ର ପୁଷ୍କରିଣୀ ନିକଟରୁ। ଓଡ଼ିଆଣୀ ବେଶଭୂଷା ସହ ଓଡ଼ିଆ ଘରର ଆରିସା ଓ ଚକୁଳିର ମହକ ଜିଭକୁ ଲାଳାୟିତ କରୁଥିଲା। କ୍ଷୁଦ୍ର ପୁଷ୍କରିଣୀରେ ଭାସୁଥିଲା କଦଳୀ ପାଟୁକା ଓ ସୋଲ ଡଙ୍ଗାମାନ। ଅବସର ଥିଲା ସଂଭାବନା ଓଡ଼ିଆ ସମିତି ପକ୍ଷରୁ କାର୍ତ୍ତିକ ପୂର୍ଣ୍ଣିମା ଉପଲକ୍ଷେ ଆୟୋଜିତ ‘ଚତୁର୍ଥ ଓଡ଼ିଆ ସମୃଦ୍ଧି ଦିବସ ପାଳନ’ ଓ ‘ବୋଇତ ବନ୍ଦାଣ ଉତ୍ସବ’ର।

ଏହି ଅବସରରେ ଓଡ଼ିଆଣୀମାନଙ୍କ ମଧ୍ୟରେ ଆରିସା ଓ ଚକୁଳି ପିଠା ପ୍ରସ୍ତୁତି ଏବଂ ହୁଳହୁଳି ଓ ଓଡ଼ିଆଣୀ ବେଶଭୂଷା ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ସେହିପରି ଶିଶୁ-କିଶୋରମାନଙ୍କ ମଧ୍ୟରେ ବୋଇତ ଉପରେ ଚିତ୍ରାଙ୍କନ ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ବିଚାରକ ଭାବେ ପ୍ରକାଶ ଚନ୍ଦ୍ର ତ୍ରିପାଠୀ, ସୁଶାନ୍ତ ରଞ୍ଜନ ଚଇନି, ଗଜେନ୍ଦ୍ର କୁମାର ପାଢ଼ୀ ଓ ପଞ୍ଚାନନ ସାମଲ ପ୍ରମୁଖ ଯୋଗ ଦେଇଥିଲେ। ଅପରପକ୍ଷେ ଚଳଚ୍ଚିତ୍ର ‘ତଅପୋଇ’ର ସଙ୍ଗୀତଗୁଡ଼ିକୁ କଣ୍ଠଶିଳ୍ପୀ ଛନ୍ଦା ମିଶ୍ର, ସିଦ୍ଧାନ୍ତ ଶତପଥୀ, ସତ୍ୟ ସାର୍ଥକ, ଋତିକା ରିମ୍‌ଝିମ୍‌ ପ୍ରମୁଖ ପରିବେଷଣ କରିଥିଲେ। ସଂଭାବନାର ଟ୍ରଷ୍ଟି ସ୍ମୃତି ମହାନ୍ତିଙ୍କ ପରିଚାଳନାରେ ଅନୁଷ୍ଠିତ ଏହି ଉତ୍ସବରେ ବ୍ୟବସାୟ କ୍ଷେତ୍ରରେ ପ୍ରତିଷ୍ଠିତ ମହିଳା ମମତା ପଟ୍ଟନାୟକ, ଉଦ୍ୟୋଗୀ ବିଜୟା ମହାନ୍ତି ଓ ରଶ୍ମି ସାହୁଙ୍କୁ ‘ଓଡ଼ିଆ ସମୃଦ୍ଧି ସମ୍ମାନ’ରେ ସମ୍ମାନିତ କରାଯାଇଥିଲା। କାର୍ଯ୍ୟକ୍ରମରେ ସଙ୍ଗୀତଜ୍ଞ ପ୍ରଣବ କିଶୋର ପଟ୍ଟନାୟକ ଓ ସାହିତ୍ୟିକ ଦାଶ ବେନହୁର ଅତିଥି ଭାବେ ଯୋଗ ଦେଇଥିଲେ। ସଂଭାବନାର ଅଧ୍ୟକ୍ଷ ଶରତ ଚନ୍ଦ୍ର ଭଦ୍ର, ଚଳିତ ବର୍ଷର ଶ୍ରେଷ୍ଠ ଓଡ଼ିଆଣୀ ଚନ୍ଦ୍ରପ୍ରଭା ଦାସ ଓ ଓଡ଼ିଆଣୀ ସମିତିର ସଂଯୋଜିକା ସୌଦାମିନୀ ସାମଲ ଏଥିରେ ଉପସ୍ଥିତ ଥିଲେ। ଅନୁଷ୍ଠାନର ସମ୍ପାଦକ ଦେବପ୍ରସାଦ ପରିଜା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର