ସଙ୍ଗୀତ ନାଟକ ଏକାଡେମି ନାଟକ ଚୟନ ବିବାଦ : ମୁହଁ ଖୋଲିବା ପଡ଼ିଲା ମହଙ୍ଗା

ସ୍ପଷ୍ଟୀକରଣ ମାଗିଲା ଓଡ଼ିଶା ନାଟ୍ୟ ସଂଘ

ଭୁବନେଶ୍ୱର : ଘନେଇଲା ଓଡ଼ିଶା ସଙ୍ଗୀତ ନାଟକ ଏକାଡେମିର ନାଟକ ଚୟନ ବିବାଦ। ଗତ ୧୧ ତାରିଖରେ ନାଟକ ଚୟନ ପ୍ରକ୍ରିୟାକୁ ନେଇ ଓଡ଼ିଶା ନାଟ୍ୟ ସଂଘ କାର୍ଯ୍ୟକାରୀ କମିଟି ସଭ୍ୟ ତଥା ବିଶିଷ୍ଟ ନାଟ୍ୟ ନିର୍ଦେଶକ ହରେନ୍‌ ସାହୁ ମୁହଁ ଖୋଲିବା ଏବେ ତାଙ୍କୁ ମହଙ୍ଗା ପଡ଼ିଛି। ଓଡ଼ିଶା ନାଟ୍ୟ ସଂଘ ପକ୍ଷରୁ ଗତକାଲି ତାଙ୍କୁ ସ୍ପଷ୍ଟୀକରଣ ମଗାଯାଇଛି। ନାଟ୍ୟ ସଂଘର ସଦସ୍ୟ ହୋଇ କେଉଁ ପରିପ୍ରେକ୍ଷୀରେ ଗଣମାଧ୍ୟମରେ ଏ ପ୍ରକାର ନକାରାତ୍ମକ ମନ୍ତବ୍ୟ ଦେଲେ ୧୦ ଦିନ ମଧ୍ୟରେ ସ୍ପଷ୍ଟୀକରଣ ରଖିବାକୁ ନାଟ୍ୟ ସଂଘ ପକ୍ଷରୁ କୁହାଯାଇଛି। ଆଉ ଏହାର ଜବାବ ଦେବାକୁ ଯାଇ ଶ୍ରୀ ସାହୁ ‘ସମ୍ବାଦ’କୁ କହିଛନ୍ତି ଯେ କିଛି ନାଟ୍ୟ ବ୍ୟକ୍ତିତ୍ୱ ‘ଠାକୁର ଘରେ କିଏ ନା ମୁଁ କଦଳୀ ଖାଇନି’ ନ୍ୟାୟରେ ଚାଲିଛନ୍ତି। ଓଡ଼ିଶା ସଙ୍ଗୀତ ନାଟକ ଏକାଡେମିର ଚୟନ ପ୍ରକ୍ରିୟାକୁ ନେଇ ପ୍ରଶ୍ନ ଉଠାଇଥିବା ବେଳେ ନାଟ୍ୟ ସଂଘ କେଉଁ ପରିସ୍ଥିତିରେ ମୋତେ ସ୍ପଷ୍ଟୀକରଣ ମାଗିଛି ତାହାକୁ ନେଇ ଆଶ୍ଚର୍ଯ୍ୟପ୍ରକଟ କରୁଛି।

ଓଡ଼ିଶା ନାଟ୍ୟ ସଂଘ ସଭାପତି ମନୋଜ ପଟ୍ଟନାୟକ ଓ ସମ୍ପାଦକ ଲାଲା ବିରେନ୍‌ ରାୟ ଗତକାଲି ଶ୍ରୀ ସାହୁଙ୍କୁ ମାଗିଥିବା ସ୍ପଷ୍ଟୀକରଣରେ କୁହାଯାଇଛି ଯେ ଓଡ଼ିଆ ନାଟ୍ୟ ସଂଘ ଆମ ପାଇଁ ଗର୍ବ ଓ ଗୌରବ ଆଣି ଦେଇଛି। ତେଣୁ ଏହାର ସମ୍ମାନ ରକ୍ଷା କରିବା ଓ ଲକ୍ଷ୍ୟ ପୂରଣ କରିବା ଜଣେ ସଚ୍ଚୋଟ ନାଟ୍ୟ କର୍ମୀର କର୍ତ୍ତବ୍ୟ। ଗତ ୧୧ ତାରିଖରେ ଗଣମାଧ୍ୟମକୁ ଦେଇଥିବା ମନ୍ତବ୍ୟକୁ ନେଇ ଆମେ ଆଶ୍ଚର୍ଯ୍ୟ ହେବା ସହ ଦୁଃଖ ପ୍ରକାଶ କରୁଛୁ। ଓଡ଼ିଶା ନାଟ୍ୟ ସଂଘର ଜଣେ ସକ୍ରିୟ ସଦସ୍ୟ ହେବା ସହ ଏକାଡେମିର ଚୟନ କମିଟିର ସଦସ୍ୟ ମଧ୍ୟ ରହିଛନ୍ତି। ଏପ୍ରକାର ଅସହିଷ୍ଣୁତା ପ୍ରକାଶ କରିବା ଆଦୌଁ ସ୍ପୃହଣୀୟ ନୁହେଁ। ଏକଥା ମଧ୍ୟ ଜାଣିବା ଉଚିତ୍‌ ଯେ ଯେଉଁମାନେ ପାଇଛନ୍ତି ସେମାନେ ନାଟ୍ୟ ସଂଘର କର୍ମକର୍ତା ଥିଲେ। ଏବେ ମଧ୍ୟ ଅଛନ୍ତି ତଥା ସେମାନେ ‘ଏକାଡେମି ଆଓ୍ଵାର୍ଡି’। ନିୟମ ରହିଛି ଯେ ଏକାଡେମି ଆଓ୍ଵାର୍ଡିଙ୍କୁ ଅଗ୍ରାଧିକାର ଭିତ୍ତିରେ ମନୋନୀତ କରାଯାଇଥାଏ। ଯେହେତୁ ସବୁ ନାଟ୍ୟ କାର୍ଯ୍ୟକ୍ରମରେ ଓଡ଼ିଶା ନାଟ୍ୟ୍ୟ ସଂଘ ସଙ୍ଗୀତ ନାଟକ ଏକାଡେମିକୁ ସହଯୋଗ କରେ, ତେଣୁ ନାଟ୍ୟ ସଂଘ ଆପଣଙ୍କର ଏପ୍ରକାର ଅଚରଣ ପାଇଁ କ୍ଷୁବ୍ଧ ଓ ଦୁଃଖିତ। ଆପଣଙ୍କର ଏପ୍ରକାର ବିଶୃଙ୍ଖଳିତ ଆଚରଣ ଯୁବକର୍ମୀଙ୍କୁ ପ୍ରଭାବିତ କରିବ। ତେଣୁ ଏଭଳି କାହିଁକି କହିିଲେ ୧୦ ଦିନ ମଧ୍ୟରେ ସ୍ପଷ୍ଟୀକରଣ ଦେବାକୁ ନାଟ୍ୟ ସଂଘ ପକ୍ଷରୁ କୁହାଯାଇଛି।

ଶ୍ରୀ ସାହୁ କହିଛନ୍ତି ଯେ ମୁହଁ ଖୋଲିଲେ କାର୍ଯ୍ୟାନୁଷ୍ଠାନ ଧମକ ଦିଆଯାଉଛି। ଓଡ଼ିଶା ନାଟ୍ୟ ସଂଘ ସାରା ଓଡ଼ିଶାର। ସଂଘର ସଭାପତି ଓ ସମ୍ପାଦକ ଭୁବନେଶ୍ୱରରେ ଥିବା ନାଟ୍ୟ ସଂସ୍ଥା କଥା କହୁଛନ୍ତି। ଓଡ଼ିଶାର ସବୁ ଅଞ୍ଚଳର ନାଟ୍ୟ ସଂସ୍ଥାଙ୍କୁ ସମାନ ସୁଯୋଗ ଦେବା ଆବଶ୍ୟକ। ‘ଏକାଡେମି ଆଓ୍ଵାର୍ଡିି’ଙ୍କୁ ଅଗ୍ରାଧିକାର ଭିତ୍ତିରେ ମନୋନୀତ କରାଯାଏ ବୋଲି ସ୍ପଷ୍ଟୀକରଣରେ କୁହାଯାଇଛି। ଏକାଡେମି ଆଓ୍ଵାର୍ଡି ବୋଲି କ’ଣ ରାଜ୍ୟର ଅନ୍ୟ ନାଟ୍ୟ ସଂସ୍ଥାକୁ ସୁଯୋଗ ନ ଦେଇ ନିଜେ ସବୁ ନାଟକ ହାତେଇବା କେତେ ଦୂର ଯୁକ୍ତିଯୁକ୍ତ ବୋଲି ସେ ପ୍ରଶ୍ନ କରିଛନ୍ତି। ଓଡ଼ିଶା ନାଟ୍ୟ ସଂଘ ସଭାପତି ମନୋଜ ପଟ୍ଟନାୟକଙ୍କୁ ଏନେଇ ପଚାରିବାରୁ ସେ କହିଲେ ଏଇଟା ଆମ ଘର କଥା। ତେଣୁ ଏବିଷୟରେ କିଛି କହିବାକୁ ଚାହୁନି।

ସମ୍ବନ୍ଧିତ ଖବର