୪ ବର୍ଷ ପରେ ତୁଟିଲା ଓଡ଼ିଶା ସଂଗୀତ ନାଟକ ଏକାଡେମି ପୁରସ୍କାର ବିବାଦ

କୋର୍ଟରୁ ମାମଲା ପ୍ରତ୍ୟାହାର କଲେ ରମେଶ ମହାନ୍ତି, ମାନସିକ ଅସ୍ଥିରତା, ବନ୍ଧୁଙ୍କ ପ୍ରରୋଚନାରେ କୋର୍ଟ ଯାଇଥିଲି

ଭୁବନେଶ୍ବର : ଦୀର୍ଘ ୪ବର୍ଷ ପରେ ତୁଟିଛି ଓଡ଼ିଶା ସଂଗୀତ ନାଟକ ଏକାଡେମି ପୁରସ୍କାର ବିବାଦ। ୨୦୧୪-୧୫ ବର୍ଷ ପାଇଁ ଘୋଷଣା କରାଯାଇଥିବା ଓଡ଼ିଶା ସଂଗୀତ ନାଟକ ଏକାଡେମି ପୁରସ୍କାରରେ ଅନିୟମିତତା ନେଇ ପ୍ରଶ୍ନ ଉଠାଇଥିବା ନାଟ୍ୟ ନିର୍ଦେଶକ ଇଂ ରମେଶ ମହାନ୍ତି ଶେଷରେ କୋର୍ଟରୁ ମାମଲା ପ୍ରତ୍ୟାହାର କରି ନେଇଛନ୍ତି। ସବୁଠୁ ଗୁରୁତ୍ବପୂର୍ଣ୍ଣ କଥା ହେଲା, ସେ ସଂଗୀତ ନାଟକ ଏକାଡେମିକୁ ଲେଖିଥିବା ଚିଠିରେ ଉଲ୍ଲେଖ କରିଛନ୍ତି ଯେ ଚାଲିଥିବା ମାମଲାର ସମାଧାନ ପାଇଁ କୋର୍ଟ ପ୍ରକୃତ ବାଟ ନୁହେଁ, ବରଂ ମୋ’ର ହୃଦବୋଧ ହେଉଛି ଯେ ମୁଁ ପୁରସ୍କାର ପାଇବା ନ ପାଇବାର ନିଷ୍ପତ୍ତି ନେବା ପାଇଁ ଭଗବାନ ହେଉଛନ୍ତି ଶ୍ରେଷ୍ଠ ବିଚାରକ।

ଓଡ଼ିଶା ସଂଗୀତ ନାଟକ ଏକାଡେମିର ପୁରସ୍କାର ଚୟନ ପ୍ରକ୍ରିୟାକୁ ନେଇ ୨୦୧୬ ମସିହା ମାର୍ଚ ୯ ତାରିଖରେ ଇଂ ମହାନ୍ତି କୋର୍ଟର ଆଶ୍ରୟ ନେଇଥିଲେ। ୪ ବର୍ଷ ଧରି ଏହି ମାମଲା ଚାଲିଥିଲେ ମଧ୍ୟ ଶେଷରେ ସେ ମାମଲା ପ୍ରତ୍ୟାହାର କରିନେବାକୁ ନିଷ୍ପତ୍ତି ନେଇଥିଲେ। ଇଂ ମହାନ୍ତି ନିଜ ପ୍ରତିକ୍ରିୟାରେ କହିଛନ୍ତି, ଦୀର୍ଘବର୍ଷ ଧରି ମଂଚ ନାଟକରେ ସଫଳ ନିର୍ଦେଶନା ଦେଇ ଆସିଥିଲେ ବି ମୁଁ କାହିଁକି ସଂଗୀତ ନାଟକ ଏକାଡେମି ପୁରସ୍କାର ପାଉନାହିଁ, ଏହି ପ୍ରଶ୍ନ ମତେ ବାରମ୍ବାର ଆନ୍ଦୋଳିତ କରୁଥିଲା। ଏପରିକି ୨୦୦୮ରୁ ୨୦୧୫ ମସିହା ମଧ୍ୟରେ ଏକାଡେମି ପୁରସ୍କାର ପାଇଥିବା କଳାକାରମାନେ ମୋ ନାମ ସୁପାରିସ କରିବା ପରେ ବି କାହିଁକି ମତେ ପୁରସ୍କାର ଦିଆଯାଉନି, ତାହା ବୁଝିପାରୁ ନ ଥିଲି। ବେଳେବେଳେ ନିଜର ବରିଷ୍ଠତାକୁ ନେଇ ଧିକ୍କାର କରୁଥିଲି। ମୋ ଛାତ୍ରଛାତ୍ରୀ ଓ କମ୍‌ ଅଭିଜ୍ଞତା ଥାଇ ଏକାଡେମି ପୁରସ୍କାର ପାଇ ସାରିବା ପରେ ମୁଁ କାହିଁକି ବଞ୍ଚିତ ବୋଲି ବାରମ୍ବାର ପ୍ରଶ୍ନ କରୁଥିଲି। ମନରେ ବିଦ୍ରୋହ ସୃଷ୍ଟି ହେବାରୁ ନ୍ୟାୟ ପାଇଁ ନ୍ୟାୟାଳୟର ଆଶ୍ରୟ ନେବାକୁ ବାଧ୍ୟ ହେଲି। ମାନସିକ ଅସ୍ଥିରତା ଓ କିଛି ବନ୍ଧୁଙ୍କ ପ୍ର‌ରୋଚନା ଯୋଗୁଁ ନ୍ୟାୟାଳୟକୁ ଟାଣି ହୋଇଯାଇଥିଲି। ପରେ ଚିନ୍ତା କଲି ଯେ ଏ ପ୍ରକାର ନିଷ୍ପତ୍ତି ନେବା ଠିକ୍‌ ନୁହେଁ। ମୋର ଏକାଡେମି ପୁରସ୍କାର ପାଇବା ଯଦି ଈଶ୍ବରଙ୍କ ଇଚ୍ଛା ନାହିଁ, ସେଠି କୋର୍ଟ କଚେରି କ’ଣ ପୁରସ୍କାର ଦେଇପାରିବ? ତେଣୁ ସେ ସବୁକୁ ମନରୁ କାଢ଼ି କାମ କରିବାର ନିଷ୍ପତ୍ତି ନେଇଛି। ଥକିଯିବା ଯାଏ କାମ କରୁଥିବି ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର