ଭୁବନେଶ୍ବର: ଜଣେ କଳାକାର ପାଇଁ କ’ଣ ପୁରସ୍କାର ଏକମାତ୍ର ସ୍ବୀକୃତି? କଳା ପଛରେ ସେ କ’ଣ ଏଇଥି ପାଇଁ ପାଗଳ ଭଳି ଧାଉଁଛି? କେହି କେହି ଗଣମାଧ୍ୟମରେ ସାକ୍ଷାତକାର ଦେବା ବେଳେ କୁହନ୍ତି, ମୋ ପାଇଁ ସବୁଠୁ ବଡ଼ ପୁରସ୍କାର ଦର୍ଶକଙ୍କ ତାଳି ନଚେତ୍‌ ଗାଳି। ଯଦି ଏହା ପ୍ରକୃତ ଅନ୍ତଃସ୍ବର, ତେବେ କାହିଁକି ଏ କନ୍ଦଳ? ଏ ପ୍ରଶ୍ନ ଆମେ ନୁହେଁ, କିଛିଦିନ ଗଣମାଧ୍ୟମରେ ଏକାଡେମି ପୁରସ୍କାରକୁ ନେଇ ବିଭିନ୍ନ ଖବର ପ୍ରକାଶ ପାଇବା ପରେ କିଛି ନାମକରା କଳାକାର ଏ ପ୍ରଶ୍ନ ଉଠାଇଛନ୍ତି।

Advertisment

ଯେବେଠୁ ଓଡ଼ିଶା ସଂଗୀତ ନାଟକ ଏକାଡେମି ପୁରସ୍କାର ଘୋଷଣା ହେଲାଣି, ସେବେଠୁ ବିବାଦ ମୁଣ୍ଡ ଟେକିଛି। କିଛି କଳାକାର ପୁରସ୍କାର ଚୟନରେ ଅନିୟମିତତା ହୋଇଥିବା ଅଭିଯୋଗ ଆଣି ନ୍ୟାୟାଳୟ ଯିବାକୁ ଚେତାବନୀ ଦେଇଥିବା ବେଳେ ଆଉ କିଛି କଳାକାର ଏଭଳି ଲୋକହସା କଳିକୁ ତୁରନ୍ତ ବନ୍ଦ କରିବାକୁ ନିବେଦନ କରୁଛନ୍ତି। ତଥାପି କଳି ଥମିବା ବଦଳରେ କୁହୁଳୁଛି। ଏ କଳି ପୁରସ୍କାରର ଭବିଷ୍ୟତକୁ ନେଇ ଆହ୍ବାନ ଛିଡ଼ା କରିଛି। ସୋମବାର ‘ଏବଂ ଆମେ’ ନାଟ୍ୟାନୁଷ୍ଠାନ ଉଚ୍ଚ ନ୍ୟାୟାଳୟର ଦ୍ବାରସ୍ଥ ହେବାର ସମ୍ଭାବନା ରହିଛି। ଏଣୁ ପରିବର୍ତ୍ତିତ ପରିସ୍ଥିତିରେ ପୁରସ୍କାର ପାଇଁ ମନୋନୀତ ପ୍ରତିଭାମାନଙ୍କୁ ଏ ପୁରସ୍କାର ସ୍ବରୂପ ସ୍ବୀକୃତି ମିଳିପାରିବ ନା ଓଡ଼ିଶା ଲଳିତ କଳା ଏକାଡେମି ପୁରସ୍କାର ଭଳି ଧାରା ଏଇଠି ଅଟକିଯିବ ସେ ନେଇ ସନ୍ଦେହ ପ୍ରକାଶ ପାଇଲାଣି।

ଏ ପୁରସ୍କାର ସମ୍ପର୍କରେ କିଛି ଜଣାଶୁଣା ନାଟ୍ୟବ୍ୟକ୍ତିତ୍ବ ‘ସମ୍ବାଦ’ରେ ପ୍ରତିକ୍ରିୟା ରଖିବାର କେଇ ଘଣ୍ଟା ନ ପୂରୁଣୁ ‘ଏବଂ ଆମେ’ ଅନୁଷ୍ଠାନ ଓଡ଼ିଶା ସଂଗୀତ ନାଟକ ଏକାଡେମିର ସାଧାରଣ ପରିଷଦକୁ ବିଭିନ୍ନ ଜିଲ୍ଲାରୁ ଚୟନ ହୋଇ ଆସିଥିବା ୩୨ଜଣ ପରିଷଦ ସଦସ୍ୟଙ୍କ ଉପରେ ପ୍ରଶ୍ନବାଚୀ ଲଗାଇଛି। ସେମାନେ ଜିଲ୍ଲା ସଂସ୍କୃତି ଅଧିକାରୀ (ଡିସିଓ)ଙ୍କ ଦ୍ବାରା ଚୟନ ହେବାର ବିଧି ବ୍ୟବସ୍ଥା ଥିବା ବେଳେ ଏକାଡେମି ପକ୍ଷରୁ ନିଜକୁ ସୁହାଇବା ଭଳି ପ୍ରତିଭାଙ୍କୁ ପରିଷଦରେ ରଖାଯାଇଥିବା ଅନୁଷ୍ଠାନ ପକ୍ଷରୁ ଅଭିଯୋଗ କରାଯାଇଛି। ପୁରସ୍କାର ଚୟନ କରୁଥିବା ସଦସ୍ୟଙ୍କ ସହ ଯଦି ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ଜଡ଼ିତ ଥିବା ବ୍ୟକ୍ତିବିଶେଷ ଏ ପୁରସ୍କାର ପାଇବା ପାଇଁ ମନୋନୀତ ହେଉଥାଆନ୍ତି ତେବେ ପରିଷଦର ସଭ୍ୟ ପଦରୁ ସଦସ୍ୟମାନେ ଓହରି ଆସିବାର ଆଗରୁ ନଜିର ରହିଛି। ମାତ୍ର ଏହାକୁ ଏଠାରେ ଅନୁସରଣ କାହିଁକି କରାଗଲାନି ବୋଲି ‘ଏବଂ ଆମେ’ ଅନୁଷ୍ଠାନର ସମ୍ପାଦକ ପ୍ରେମାଞ୍ଜନ ପରିଡ଼ା ପ୍ରଶ୍ନ କରିଛନ୍ତି। ପୂର୍ବରୁ ପୁରସ୍କାରକୁ ନେଇ ବିବାଦ ଉପୁଜିଥିଲେ ହେଁ ସଂସ୍କୃତି ବିଭାଗ ବାରମ୍ବାର କାହିଁକି ଏପରି ଭୁଲ୍‌କୁ ଦୋହରାଉଛି ବୋଲି ‘ଏବଂ ଆମେ’ ଅନୁଷ୍ଠାନ ପକ୍ଷରୁ ପ୍ରଶ୍ନ କରାଯାଇଛି।

ଏ ସମ୍ପର୍କରେ ଏକାଡେମିର କାର୍ଯ୍ୟକାରୀ ପରିଷଦ ସଦସ୍ୟ ମନୋଜ ପଟ୍ଟନାୟକ ନିଜର ଯୁକ୍ତି ରଖି କହିଛନ୍ତି, କେବଳ କିଛି ହାତ ଗଣତି ବ୍ୟକ୍ତି ନିଜ ସ୍ବାର୍ଥ ପୂରଣ ନ ହେବାରୁ ଏଭଳି ମନ୍ତବ୍ୟ ‌ରଖୁଛନ୍ତି। ସେମାନେ ଯେବେ ଜୁରି ସଦସ୍ୟ ଥିଲେ ସେତେବେ‌ଳେ କୌଣସି ସମସ୍ୟା ଉପୁଜୁ ନ ଥିଲ‌ା, କିନ୍ତୁ ଯେତେବେଳେ ତାଙ୍କୁ ବାଦ୍‌ ଦେଇ ଆଉ କିଏ ପରିଷଦର ସଦସ୍ୟ ହେଉଛନ୍ତି, ସେତେବେଳେ ସେମାନେ ଅନିୟମିତତା ହୋଇଥିବା କଥା ଉଠାଉଛନ୍ତି। ତେବେ ଜାଣି ରଖିବା ଉଚିତ୍‌ ଯେ ୩ ପର୍ଯ୍ୟାୟରେ ଏହା ଚୟନ କରାଯାଇଥିବାରୁ ଏକାଡେମିର ନିଷ୍ପତ୍ତି ହେଉଛି ଶେଷ ନିଷ୍ପତ୍ତି। ବିଧି ମୁତାବକ କୌଣସି ବ୍ୟତିକ୍ରମ ହୋଇ ନ ଥିବାରୁ କେହି ନ୍ୟାୟାଳୟର ଆଶ୍ରୟ ନେଲେ ମଧ୍ୟ ଏକାଡେମିର ବିଜୟ ହେବ ବୋଲି ମୋର ବିଶ୍ବାସ। ଗତ ଅକ୍ଟୋବର ୨୩ ଓ ୨୪ ତାରିଖରେ କାର୍ଯ୍ୟକାରୀ ସମିତିରେ ନାମ ଚୟନ ହେବା ପରେ ୨୫ ତାରିଖରେ ୩୨ ଜଣିଆ ସାଧାରଣ ପରିଷଦ ବୈଠକରେ ହାତଟେକା ମତଦାନ ଜରିଆରେ ଚୂଡ଼ାନ୍ତ ଚୟନ କରାଯାଇଛି। ଏ ଚୟନ ବେଳେ ପ୍ରେମାଞ୍ଜନ ପରିଡ଼ାଙ୍କ ନାମ ଆଦୌ ଆସି ନ ଥିଲା। କେହି ତାଙ୍କ ନାମ ମଧ୍ୟ ସୁପାରିସ କରି ନ ଥିଲେ। ତେଣୁ ଯଦି ପ୍ରତିବର୍ଷ ପୁରସ୍କାର ଘୋଷଣା ପରେ ଏପରି ବିବାଦ ସୃଷ୍ଟି ହେବ ଏବଂ କିଛି ଏହାକୁ ବନ୍ଦ କରାଇବା ପାଇଁ ଚାହୁଁଥିବେ ତେବେ ଆଦୌ ସଫଳ ହେବେ ନାହିଁ। ସୋମବାର ନ୍ୟାୟାଳୟ ପର୍ଯ୍ୟନ୍ତ ଏ ଅଭିଯୋଗ ଟଣାଯିବ ନା ପ୍ରତିଭାମାନଙ୍କୁ ବିଚାରକୁ ନିଆଯାଇ ତାଙ୍କୁ ସମ୍ମାନିତ ହେବାର ସୁଯୋଗ ଦିଆଯିବ, ତାହା କିଛି ଦିନ ମଧ୍ୟରେ ସ୍ପଷ୍ଟ ହୋଇଯିବ।