ପୁରୀରୁ ପଦଯାତ୍ରାରେ ଆସି ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ଦେବେ ଶିକ୍ଷକ

ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ କର୍ମଚାରୀ ମିଳିତ ମଞ୍ଚର ଘୋଷଣା

ଭୁବନେଶ୍ୱର, : ସପ୍ତମ ବେତନ କମିସନ ଲାଗୁ କରିବା ଓ ଚାକିରି ସର୍ତାବଳୀ ଦାବି ନେଇ ଆସନ୍ତାମାସ ୫ତାରିଖରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବେ ଶିକ୍ଷକ, ଅଧ୍ୟାପକ ଓ ଶିକ୍ଷା କର୍ମଚାରୀ। ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ କର୍ମଚାରୀ ମିଳିତ ମଞ୍ଚର ଆହ୍ଵାନରେ ପୁରୀରୁ ଏକ ପଦଯାତ୍ରା ବାହାରିବା ସହିତ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କରାଯିବ। ଆବଶ୍ୟକ ପଡ଼ିଲେ ଆଗାମୀ ପରୀକ୍ଷା ପରିଚାଳନା କାର୍ଯ୍ୟକୁ ବର୍ଜନ କରାଯିବ ବୋଲି ମଞ୍ଚ ପକ୍ଷରୁ ଚେତାବନୀ ଦିଆଯାଇଛି।

ଆଜି ଶ୍ରମିକ ଭବନରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଓଷ୍ଟାର ସାଧାରଣ ସଂପାଦକ ପ୍ରକାଶ ଚନ୍ଦ୍ର ମହାନ୍ତି କହିଲେ, ଗତବର୍ଷ ଅଗଷ୍ଟ ୧୬ତାରିଖରେ ମିଳିତ ମଞ୍ଚ ପକ୍ଷରୁ ହୋଇଥିବା ଆନ୍ଦୋଳନ ପରେ ବିଭାଗୀୟ ମନ୍ତ୍ରୀ ସମସ୍ୟାର ସମାଧାନ ପାଇଁ ଆଗେଇ ଆସିଥିଲେ। ଅଗଷ୍ଟ ୩୧ତାରିଖରେ ମୁଖ୍ୟମନ୍ତ୍ରୀ ବ୍ଲକଗ୍ରାଣ୍ଟ ଉଚ୍ଛେଦ କରାଯାଇଥିବା ଘୋଷଣା କରିଥିଲେ। ପୂର୍ଣ୍ଣ ଅନୁଦାନପ୍ରାପ୍ତ ସ୍କୁଲ ଓ କଲେଜର ଶିକ୍ଷକ ଅଧ୍ୟାପକଙ୍କ ପାଇଁ ସପ୍ତମ ବେତନ କମିସନ ଲାଗୁ କରାଯିବ। ମାତ୍ର ତାହା ଆଜି ପର୍ଯ୍ୟନ୍ତ ହୋଇପାରି ନାହିଁ। ତେଣୁ ତୁରନ୍ତ ପୂର୍ଣ୍ଣ ଅନୁଦାନ ସହିତ ୭ମ ବେତନ କମିସନ ଲାଗୁ କରିବା, ସତ୍ୟପାଠ ଦେବାର ନିର୍ଦେଶନାମାକୁ ହଟାଇବା, ସମସ୍ତ ସ୍କୁଲ ଓ କଲେଜରୁ ବ୍ଲକଗ୍ରାଣ୍ଟ ଉଠାଇବା ସହିତ ଶତ ପ୍ରତିଶତ ଅନୁଦାନ ଦିଆଯାଉ। ଅନୁଦାନ ଆଶାୟୀଙ୍କୁ ଅନୁଦାନ ପ୍ରଦାନ କରିବା ଓ ସମସ୍ତ ଶିକ୍ଷକ ଅଧ୍ୟାପକ ଓ ଶିକ୍ଷା କର୍ମଚାରୀଙ୍କ ପାଇଁ ଚାକିରି ସର୍ତାବତୀ ଲାଗୁ କରାଯାଉ ବୋଲି ଶ୍ରୀ ମହାନ୍ତି କହିଥିଲେ। ଏଥିରେ ୪୮୮ବର୍ଗ କଲେଜ ଶିକ୍ଷକ ସଂଘର ସଭାପତି ପବିତ୍ର ମହଲା, ୬୬୨ ବର୍ଗ କଲେଜ ଶିକ୍ଷକ ସଂଘର ସଭାପତି ଗୋଲକ ନାୟକ, ଗଗନ ବେଉରା, ବିନୋଦି ବିହାରୀ ପାଣିଗ୍ରାହୀ, ଅଟଳ ବିହାରୀ ବଳ, ସତ୍ୟ ନାରାୟଣ ତ୍ରିପାଠୀ, ପ୍ରେମାନନ୍ଦ ଜେନା, ଶତାବୁଦ୍ଦିନ୍‌ ଅହମ୍ମଦ ଓ ଅନ୍ୟମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର