ଓଡ଼ିଶୀ ସଂଗୀତ ‌ମହୋତ୍ସବ: ବିଭୋର୍‌ କଲା ଗ୍ରାମୀଣ ପାରମ୍ପରିକ ସଂଗୀତ

ଭୁବନେଶ୍ବର: ସଂଗୀତ ସୁଧାକର ବାଳକୃଷ୍ଣ ଦାଶ ଫାଉଣ୍ଡେସନ୍‌ ପକ୍ଷରୁ ଭଂଜ କଳାମଣ୍ଡପରେ ଆୟୋଜିତ ‘ଓଡ଼ିଶୀ ସଂଗୀତ ମହୋତ୍ସବ’ର ଆଜି ଥିଲା ଦ୍ବିତୀୟ ସନ୍ଧ୍ୟା। ଦ୍ବିତୀୟ ସନ୍ଧ୍ୟାରେ ୩ଟି ପର୍ଯ୍ୟାୟରେ କାର୍ଯ୍ୟକ୍ରମ ହୋଇଥିଲା। ନାମୀ କଣ୍ଠଶିଳ୍ପୀ ଓ ଅନୁଷ୍ଠାନ ସମେତ ଗ୍ରାମୀଣ କଳାକାରଙ୍କ ସଂଗୀତ ଶୁଣିବାକୁ ମିଳିଥିଲା। ଦ୍ବିତୀୟ ପର୍ଯ୍ୟାୟରେ ସିଦ୍ଧମହାବୀର ସଂଗୀତ ପରିଷଦ, ବୈଦେହୀ ସଂଗୀତାୟନ, ପ୍ରାଚୀ ସଂଗୀତ ବିଦ୍ୟାଳୟର ଶିଳ୍ପୀମାନେ ବୃନ୍ଦ ଓ ଏକକ ଗାୟନରେ ଦର୍ଶକଙ୍କୁ ବିଭୋର୍‌ କରିଥିଲେ। ସନ୍ଧ୍ୟାରେ ଉତ୍କଳ ସଂଗୀତ ମହାବିଦ୍ୟାଳୟର ପ୍ରଶିକ୍ଷାର୍ଥୀମାନେ ବୃନ୍ଦ ମର୍ଦଳବାଦନ କରି ଦର୍ଶକଙ୍କ ମନୋରଂଜନ କରିଥିଲେ। ପରେ ଶାନ୍ତିଲତା ଛୋଟରାୟ, ଲତା ଘୋଷ, ଚନ୍ଦ୍ରମଣି ଲେଙ୍କା, ବୀଣାପାଣି ନାୟକ, ଅଖିଳ ଲେଙ୍କା, ବିଜୟ ମିଶ୍ର, ଗୀତାମଂଜରି ବେହେରା, ଭାରତୀ ଜେନା, ମାତୃପ୍ରସାଦ ଦାସ, ପ୍ରତିଭା ପ୍ରଧାନ, ସୋନାଲି ମହାପାତ୍ର, ଜଳଧର ପ୍ରଧାନ, ସଂଗୀତା ନାୟକ, ରଘୁନାଥ ପାତ୍ର, ନିମାକାନ୍ତ ରାଉତରାୟ ପ୍ରମୁଖ ସଂଗୀତ ପରିବେଷଣ କରିଥିଲେ। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ଅଧ୍ୟକ୍ଷ ଅମରେନ୍ଦ୍ର କୁମାର ପଟ୍ଟନାୟକ, ଉଚ୍ଚଶିକ୍ଷା ବିଭାଗର ଅତିରିକ୍ତ ସଚିବ କୃପାସିନ୍ଧୁ ମିଶ୍ର ଏବଂ ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ରର କାର୍ଯ୍ୟନିର୍ବାହୀ ସଂଗୀତା ଗୋସାଇଁ ଅତିଥି ଭାବେ ଯୋଗ ଦେଇଥିଲେ। ଅନୁଷ୍ଠାନର ସଭାପତି ଧୀରେନ୍ଦ୍ର କୁମାର ରାୟ, ସମ୍ପାଦକ ରାମହରି ଦାସ ଏବଂ ଅରକ୍ଷିତ ଦାଶ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଅଧ୍ୟାପକ ମୃତ୍ୟୁଞ୍ଜୟ ରଥ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।

ସମ୍ବନ୍ଧିତ ଖବର