ଭୁବନେଶ୍ବର: ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣ ବା ଓଏସ୍ଡିଏ ପକ୍ଷରୁ ଆଜି କୃଷି ଭବନ ପରିସରରେ ଓଡ଼ିଶା ସ୍କିଲ୍ସ ୨୦୨୦ ଉଦ୍ଘାଟିତ ହୋଇଛି। ଟାଟା ଏରୋସ୍ପେସ୍ ଏଣ୍ଡ ଡିଫେନ୍ସର ଏରୋଷ୍ଟ୍ରକ୍ଚର୍ ଆଣ୍ଡ ଏରୋ-ଇଞ୍ଜିନ୍ସର ମୁଖ୍ୟ ମସୁଦ୍ ହୁସେନି ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହାର ଉଦ୍ଘାଟନ କରିଛନ୍ତି। ଏହି ଅବସରରେ ଶ୍ରୀ ହୁସେନି କହିଲେ, ଯୁବକ/ଯୁବତୀମାନେ ନିଜ କାମ ଉପରେ ବିଶ୍ବାସ ରଖିବା ଉଚିତ। ଜଣେ ବ୍ୟକ୍ତି ଭିତରେ ଅଖଣ୍ଡ କ୍ଷମତା ରହିଛି। ଏହାକୁ ଆଖି ଆଗରେ ରଖି ବଢ଼ିବାକୁ ହେବ। ଆସନ୍ତା ବର୍ଷ ସାଂଘାଇରେ ହେବାକୁ ଥିବା ବିଶ୍ବ ଦକ୍ଷତା ପ୍ରତିଯୋଗିତାରେ ଓଡ଼ିଶା ଯେତିକି ପଦକ ପାଇବା ପାଇଁ ଲକ୍ଷ୍ୟ ରଖିଛି, ତା’ଠାରୁ ଅଧିକ ପଦକ ହାସଲ କରିବ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି।
ଓଏସ୍ଡିଏର ଅଧ୍ୟକ୍ଷ ସୁବ୍ରତ ବାଗ୍ଚୀ କହିଲେ, ୨୦୧୮ ମସିହାରେ ଓଡ଼ିଶା ଦକ୍ଷତାରେ ୩ଜଣ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଥିବା ବେଳେ ସେମାନଙ୍କ ଅଭିଭାବକ ସେମାନଙ୍କୁ ଠିକ୍ ଭାବେ ଅନୁପ୍ରାଣିତ କରିପାରି ନ ଥିଲେ। ଫଳରେ ସେମାନେ ତାଲିମ ଅଧାରୁ ଫେରି ଆସିଥିଲେ। ଦକ୍ଷତା କ୍ଷେତ୍ରରେ ସ୍ବାଭିମାନ ଓ ସାମାଜିକ ସ୍ବୀକୃତିର ଆବଶ୍ୟକତା ରହିଛି। ଲଗାତାର ୩ବର୍ଷ ଧରି ଡିଜିକିକେୱାଇରେ ଓଡ଼ିଶାରେ ପ୍ରଥମ ସ୍ଥାନରେ ରହିଛି। ଆସନ୍ତା ୨୦୨୧ ମସିହାରେ ସାଂଘାଇରେ ହେବାକୁ ଥିବା ବିଶ୍ବ ଦକ୍ଷତା ପ୍ରତିଯୋଗିତାରେ ୨ଟି ସ୍ବର୍ଣ୍ଣ, ୪ ରୌପ୍ୟ ଓ ୬ ବ୍ରୋଞ୍ଜ ପଦକ ଭାରତ ପାଇଁ ଓଡ଼ିଶା ହାସଲ କରିବାକୁ ଲକ୍ଷ୍ୟ ରଖାଯାଇଛି। ଏହି ୧୨ପଦକ ଭିତରେ ୪ଜଣ ଝିଅ କିଭଳି ଆଗରେ ରହିବେ, ତାହା ଉପରେ ବିଶେଷ ଧ୍ୟାନ ଦେବାକୁ ହେବ। ବିମାନ ଚଳାଚଳ କ୍ଷେତ୍ରରେ କିଭଳି ଓଡ଼ିଆ ଯୁବକ/ଯୁବତୀ ନିଯୁକ୍ତି ପାଇବେ, ସେଥିପାଇଁ ହୁସେନିଙ୍କ ସହ ଆଲୋଚନା କରାଯିବ ବୋଲି ଶ୍ରୀ ବାଗ୍ଚୀ କହିଥିଲେ। ବୈଷୟିକ ଶିକ୍ଷା ଓ ତାଲିମ ବିଭାଗ ମନ୍ତ୍ରୀ ପ୍ରେମାନନ୍ଦ ନାୟକ କହିଲେ, ଯୁବକ/ଯୁବତୀଙ୍କ ଦକ୍ଷତା ବୃଦ୍ଧି ପାଇଁ ଓଡ଼ିଶା ସ୍କିଲ୍ସର ଉଦ୍ଘାଟନ କରାଯାଇଛି। ବୈଷୟିକ ଓ ଧନ୍ଦାମୂଳକ କ୍ଷେତ୍ରରେ ଅଧିକ ଦକ୍ଷତା ବୃଦ୍ଧି ପାଇଁ ଲକ୍ଷ୍ୟ ରଖାଯାଇଛି। ଅନ୍ୟମାନଙ୍କ ମଧ୍ୟରେ ଦକ୍ଷତା ବିକାଶ ବିଭାଗର ସଚିବ ସଂଜୟ ସିଂ ଓ ପଞ୍ଚାୟତିରାଜ ବିଭାଗର ସ୍ବତନ୍ତ୍ର ପ୍ରକଳ୍ପ ନିର୍ଦେଶକ ରାଜେଶ ପାଟିଲ ଉପସ୍ଥିତ ଥିଲେ। ଓଏସ୍ଡିଏର ସିଇଓ ରଶ୍ମିତା ପଣ୍ଡା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।
ଉଲ୍ଲେଖଯୋଗ୍ୟ, ଓଡ଼ିଶା ସ୍କିଲ୍ସ ପ୍ରତିଯୋଗିତା ପାଇଁ ପ୍ରାୟ ୧୫ ହଜାର ଯୁବକ/ଯୁବତୀ ପଞ୍ଜୀକରଣ କରିଛନ୍ତି। ୬ଟି କ୍ଷେତ୍ରରେ ହେବାକୁ ଥିବା ଏହି ଯୋଗିତାରେ ବିଜୟୀମାନେ ଇଣ୍ଡିଆ ସ୍କିଲ୍ସରେ ପ୍ରତିନିଧିତ୍ବ କରିବେ। ଇଣ୍ଡିଆ ସ୍କିଲ୍ସରେ ବିଜୟୀ ହୋଇଥିବା ପ୍ରତିଯୋଗୀମାନେ ୨୦୨୧ ସାଂଘାଇ ବିଶ୍ବ ଦକ୍ଷତା ପ୍ରତିଯୋଗିତାରେ ଅଂଶଗ୍ରହଣ କରିବେ।