ଓଡ଼ିଶା ସ୍କିଲ୍ସର ଉଦ୍‌ଯାପନୀ ସମାରୋହ: ସାଂଘାଇ-୨୦୨୨ ପାଇଁ ମିସନ ୨-୩-୪

ଭୁବନେଶ୍ବର: ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣ ଦ୍ୱାରା ବିଶ୍ବ ଦକ୍ଷତା କେନ୍ଦ୍ରଠାରେ ରାଜ୍ୟସ୍ତରୀୟ ଓଡ଼ିଶା ସ୍କିଲ୍ସ-୨୦୨୧ ପ୍ରତିଯୋଗିତାର ଉଦ୍‌ଯାପନୀ ସମାରୋହ ଅନୁଷ୍ଠିତ ହୋଇଯାଇଛି। ଓଡ଼ିଶା ସ୍କିଲ-୨୦୨୧ର ବିଜେତାମାନଙ୍କୁ ଶୁଭେଚ୍ଛା ଜଣାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଲେ, ଓଡ଼ିଶା ସ୍କିଲ୍ସ ଯୁବଗୋଷ୍ଠୀଙ୍କର ପ୍ରତିଭାକୁ ବୃଦ୍ଧି କରିଛି। ବିଶ୍ୱରେ ଶ୍ରେଷ୍ଠ ହେବା ପାଇଁ ସେମାନଙ୍କର ଦକ୍ଷତା ପ୍ରଦର୍ଶନ କରିବା ପାଇଁ ଏହା ଏକ ପ୍ରକୃଷ୍ଟ ମଞ୍ଚ। ଆଗାମୀ ୪୬ତମ ସାଂଘାଇ ୱାର୍ଲ୍ଡ ସ୍କିଲ୍‌ ପ୍ରତିଯୋଗିତାରେ ଓଡ଼ିଶାର ମିସନ ୨-୩-୪ ଅର୍ଥାତ ଦୁଇଟି ସ୍ୱର୍ଣ୍ଣ, ୩ଟି ରୌପ୍ୟ ଓ ୪ଟି ତାମ୍ର ପଦକ ହାସଲ କରିବା ଆମର ଲକ୍ଷ୍ୟ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି।

ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣର ଅଧ୍ୟକ୍ଷ ସୁବ୍ରତ ବାଗ୍‌ଚୀ ଯୋଗଦେଇ କହିଲେ, ପ୍ରତିଭାଙ୍କୁ ତିଆରି କରି ରାଜ୍ୟ ତଥା ଦେଶର ସୁନାମ ଆଣିବା ଲକ୍ଷ୍ୟରେ ଓଡ଼ିଶା ସ୍କିଲ୍ସ-୨୦୨୧ ଆୟୋଜନ ହୋଇଛି। ଏଠାରେ ଜଣେ ସାଧାରଣ ମଣିଷ ଅସାଧାରଣ ପ୍ରତିଭା ଆବିଷ୍କାର କରିବାର ସୁଯୋଗ ପାଇଥାଏ। ଉଦ୍‌ଯାପନୀ ସମାରୋହରେ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ପ୍ରେମାନନ୍ଦ ନାୟକ ଯୋଗଦେଇ ସ୍କିଲ କ୍ଷେତ୍ରରେ ଜାତୀୟ ଏବଂ ଅର୍ନ୍ତଜାତୀୟସ୍ତର‌ରେ ଓଡ଼ିଶା ନିଜର ସ୍ୱତନ୍ତ୍ର ପରିଚୟ ହାସଲ କରିପାରିଛି ବୋଲି ମତପ୍ରକାଶ କରିଥିଲେ। ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ସଚିବ ହେମନ୍ତ ଶର୍ମା, ବୈଷୟିକ ଶିକ୍ଷା ଓ ପ୍ରଶିକ୍ଷଣ ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ତଥା ଓଏସ୍‌ଡିଏ ସିଇଓ ରେଘୁ ଜି ଯୋଗଦେଇ ଯୁବଗୋଷ୍ଠୀଙ୍କର ଉତ୍ସାହ ବୃଦ୍ଧି କରି ସେମାନଙ୍କ ପାଇଁ ସୁଯୋଗର ସମ୍ଭାର ସୃଷ୍ଟି କରିବା ଆମର ଲକ୍ଷ୍ୟ ବୋଲି କହିଥିଲେ।

ଏହି ପ୍ରତିଯୋଗିତାରେ ୪୧ଟି ସ୍କିଲ ନିମନ୍ତେ ବିଭିନ୍ନ ଆଇଟିଆଇ, ପଲିଟେକ୍‌ନିକ୍‌, ଇଞ୍ଜିନିୟରିଂ କଲେଜ୍‌, ହୋଟେଲ ମ୍ୟାନେଜମେଣ୍ଟ ଅନୁଷ୍ଠାନ ଓ ବିଭିନ୍ନ ସ୍କିଲ୍‌ ପ୍ରତିଷ୍ଠାନର ୩୯୭ ଜଣ ପ୍ରତିଯୋଗୀ କୃତକାର୍ଯ୍ୟ ହୋଇଥିଲେ। ସେଞ୍ଚୁରିଆନ ବିଶ୍ୱବିଦ୍ୟାଳୟ, ସିଭି ରମଣ, ଆଇଏଚ୍‌ଏମ୍‌, ଇଣ୍ଟରନାସନାଲ ମାନେଜମେଣ୍ଟ ଇନଷ୍ଟିଚ୍ୟୁଟ୍‌, କଳିଙ୍ଗ ଇନିଷ୍ଟିଚ୍ୟୁଟ୍‌ ଅଫ୍‌ ଆର୍ଟ୍ସ, ୱାର୍ଲ୍ଡ ସ୍କିଲ ସେଣ୍ଟର, ନିଫ୍ଟ, ଆଞ୍ଚଳିକ ଉଦ୍ଭିଦ ସମ୍ପଦ କେନ୍ଦ୍ର, ଆରଟିଟିସି ବିଏସଏନଏଲ, ଏସଡିଆଇ, ସିଲିକନ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନୋଲଜି, ଭିଏଲ୍‌ସିସି, କଟକ ସରକାରୀ ଆଇଟିଆଇ ଭଳି ମୋଟ ୧୫ଟି ସ୍ଥାନ ପାଇଁ ସ୍କିଲ ପ୍ରତିଯୋଗିତା ହୋଇଥିଲା। ସାରା ଦେଶରୁ ୫୦ ଜଣ ବିଚାରକ ଏହି ପ୍ରତିଯୋଗିତାରେ ଭାଗ ନେଇଥିଲେ। ଏହି ପ୍ରତିଯୋଗିତାରେ କୃତକାର୍ଯ୍ୟ ହୋଇଥିବା ପ୍ରତିଯୋଗୀ ଆଗାମୀ ଆଞ୍ଚଳିକ ଓ ଜାତୀୟସ୍ତରୀୟ ପ୍ରତିଯୋଗିତାରେ ପ୍ରତିନିଧିତ୍ବ କରିବେ। ଜାତୀୟସ୍ତରରେ କୃତକାର୍ଯ୍ୟ ହୋଇଥିବା ପ୍ରତିଯୋଗୀ ୨୦୨୨ରେ ସାଂଘାଇରେ ହେବାକୁ ଥିବା ୪୬ତମ ୱାର୍ଲ୍ଡ ସ୍କିଲ୍ସ ପ୍ରତିଯୋଗିତାରେ ଭାଗ ନେବେ। ଆଜିର ଉଦ୍‌ଯାପନୀ ସମାରୋହରେ ୧୩୩ଜଣ ବିଜେତାଙ୍କୁ ପ୍ରମାଣପତ୍ର ଏବଂ ପୁରସ୍କାର ପ୍ରଦାନ କରାଯାଇଥିଲା। ଅନ୍ୟମାନଙ୍କ ମଧ୍ୟରେ ଏସ୍‌ଡିଟିଇ ଅତିରିକ୍ତ ସଚିବ ସୁଦର୍ଶନ ପଣ୍ଡା, ପିନାକୀ ପଟ୍ଟନାୟକ, ଯୁଗ୍ମ ସଚିବ ଶ୍ରୀ ଅଜୟ ନାୟକ, ରେଣୁପ୍ରଭା ନାୟକ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର