ନଦୀ ନୀତି ଆଣିବାକୁ ପ୍ରସ୍ତାବ: ଓଡ଼ିଶା ପରିବେଶ କଂଗ୍ରେସର ଦ୍ୱିତୀୟ ଦିବସ

ଭୁବନେଶ୍ୱର: ଆଞ୍ଚଳିକ ପ୍ରାକୃତିକ ବିଜ୍ଞାନ ସଂଗ୍ରହାଳୟ ପରିସରରେ ଚାଲିଥିବା ଓଡ଼ିଶା ପରିବେଶ କଂଗ୍ରେସର ଦ୍ୱିତୀୟ ଦିବସରେ ଓଡ଼ିଶା ନଦୀ ନୀତି ଉପରେ ବ୍ୟାପକ ଆଲୋଚନା କରାଯାଇଛି। ବିଭିନ୍ନ ରାଜ୍ୟର ବିଶେଷଜ୍ଞଙ୍କୁ ନେଇ ପ୍ରାୟ ୩ ଘଣ୍ଟା ଧରି ମାନସମନ୍ଥନ କରାଯିବା ପରେ ୫ଟି ପ୍ରସ୍ତାବକୁ ନେଇ ଡ୍ରାଫ୍ଟ ପ୍ରସ୍ତୁତ ହୋଇଛି। ଶୁକ୍ରବାର ଏହାକୁ ରାଜ୍ୟ ସରକାରଙ୍କୁ ପ୍ରଦାନ କରାଯିବ ବୋଲି ରମନ ମାଗାସେସ୍‌ ପୁରସ୍କାର ବିଜେତା ତଥା ଜଳ ମାନବ ରାଜେନ୍ଦ୍ର ସିଂ କହିଛନ୍ତି।

ଶ୍ରୀ ସିଂଙ୍କ କହିବାନୁଯାୟୀ ନଦୀ ନୀତି ପ୍ରସ୍ତୁତ କରାଯାଇ ପୂର୍ବରୁ ଓଡ଼ିଶା ସରକାରଙ୍କୁ ପ୍ରଦାନ କରାଯାଇଥିଲା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତକାଲି ପରିବେଶ କଂଗ୍ରେସକୁ ଉଦ୍‌ଘାଟନ କରିବା ଅବସରରେ ନୀତି ଉପରେ ବ୍ୟାପକ ଆଲୋଚନା କରିବାକୁ ପରାମର୍ଶ ଦେଇଥିଲେ। ସେହି ଅନୁଯାୟୀ ଆଜି ଏକ ସ୍ୱତନ୍ତ୍ର ଅଧିବେଶନ କେବଳ ଓଡ଼ିଶା ନଦୀ ନୀତି ଉପରେ ଅନୁଷ୍ଠିତ ହୋଇଥିଲା। ଏଥିରେ ଦେଶର ବିଭିନ୍ନ ଅଞ୍ଚଳରେ ନଦୀ ପାଇଁ ଲଢ଼େଇ କରୁଥିବା ବ୍ୟକ୍ତିବିଶେଷଙ୍କ ସମେତ ଓଡ଼ିଶାର ବିଶେଷଜ୍ଞମାନେ ଭାଗନେଇଥିଲେ।

୫ଟି ପ୍ରସ୍ତାବକୁ ଅନୁମୋଦନ କରାଯାଇଛି। ପ୍ରଥମତଃ ନଦୀ ପାଇଁ ଥିବା ଜଳ କେବଳ ନଦୀର। ତାହାର ସଂରକ୍ଷଣ ଲାଗି ପ୍ରସ୍ତାବରେ ଉଲ୍ଲେଖ ହୋଇଛି। ଦ୍ୱିତୀୟତଃ ନଦୀର ଜଳକୁ ରୋକା ନ ଯାଉ। ମହାନଦୀକୁ ଛତିଶଗଡ଼ ସରକାର ଅଟକାଉଛନ୍ତି। ଏଭଳି ନ କରିବା ଆବଶ୍ୟକ। ନଦୀକୁ ବିଭିନ୍ନ ବିଭାଗରେ ବିଭକ୍ତ କରିବା ଆବଶ୍ୟକ। ସେହି ଅନୁଯାୟୀ ନଦୀରେ କିଭଳି ଜଳ ରହିବ ସେଥିପ୍ରତି ଧ୍ୟାନ ଦେବାକୁ ହେବ। ନଦୀର ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ହେବାର ସମୟ ଆସିଛି। ତୃତୀୟରେ ନଦୀକୁ ସ୍ୱଚ୍ଛ ରଖିବାକୁ ପଡ଼ିବ। ଆବର୍ଜନା ଜଳ ଯେପରି ନଦୀରେ ନ ମିଶେ ସେଥିପ୍ରତି ଧ୍ୟାନ ଦେବାକୁ ହେବ। ବୈଷୟିକ ଜ୍ଞାନ ପ୍ରୟୋଗ କରି ସ୍ୱଚ୍ଛ ଜଳ ନଦୀକୁ ଛାଡ଼ିବାର ଆବଶ୍ୟକତା ରହିଛି। ୪ର୍ଥରେ ନଦୀରୁ ଯେପରି ଜଳ ନ ଶୁଖିବ ସେଥିପ୍ରତି ଧ୍ୟାନ ଦେବାକୁ ପଡ଼ିବ। ୫ମରେ ପରିବେଶ ବିରୋଧୀ କାର୍ଯ୍ୟକ୍ରମକୁ ରୋକିବାକୁ ହେବ। ଅଧିବେଶନରେ ଉପସ୍ଥିତ ଥିବା ସମସ୍ତ ସଦସ୍ୟଙ୍କ ମତାମତ ପରେ ଏଭଳି ରିପୋର୍ଟ ପ୍ରସ୍ତୁତ ହୋଇଛି। ରାଜ୍ୟ ସରକାର ଅନୁଧ୍ୟାନ କରିବା ପରେ ପ୍ରସ୍ତାବରେ ପରିବର୍ତନ କରିପାରିବେ ବୋଲି ସେ କହିଥିଲେ।

ସେ ଆହୁରି କହିଲେ ଆନ୍ଧ୍ର ପ୍ରଦେଶରେ ନଦୀ ଅଧିକ ପ୍ରଭାବିତ ହୋଇଛି। କ୍ରିଷ୍ଣା ନଦୀ ଉପରେ ଆନ୍ଧ୍ର ରାଜଧାନୀ ଅମରାବତୀ ନିର୍ମାଣ କରିବାକୁ ନିଷ୍ପତ୍ତି ନିଆଯାଇ ଥିବାରୁ ଏହାର ବିରୋଧ କରାଯାଉଛି। ମହାରାଷ୍ଟ୍ର, ମଧ୍ୟପ୍ରଦେଶ, ରାଜସ୍ଥାନରେ ବି ନଦୀ ପ୍ରଭାବିତ ହେଉଛି। ଓଡ଼ିଶାରେ କେତେକ ନଦୀକୁ ଜବରଦଖଲ କରାଯାଉଥିବା ସେ କହିଥିଲେ। ଆଜି ୩ଟି ଅଧିବେଶନ ଅନୁଷ୍ଠିତ ହୋଇଥିଲା।

ସମ୍ବନ୍ଧିତ ଖବର