ପାଠାଗାର ବ୍ୟବସ୍ଥା ସୁଦୃଢ଼ କରିବାକୁ ଚିଠି ଲେଖିଲା ଓଡ଼ିଶା ସୋସାଇଟି ଅଫ୍‌ ଆମେରିକା

ଭୁବନେଶ୍ବର: ଓଡ଼ିଶାରେ ସର୍ବସାଧାରଣ ପାଠାଗାର ବ୍ୟବସ୍ଥାକୁ ସୁବ୍ୟବସ୍ଥିତ ଓ ମଜଭୁତ କରିବା ପାଇଁ ଦାବି କରିଛି ଉତ୍ତର ଆମେରିକାରେ ରହୁଥିବା ପ୍ରବାସୀ ଓଡ଼ିଆ ସଂଗଠନ ‘ଦି ଓଡ଼ିଶା ସୋସାଇଟି ଅଫ୍‌ ଆମେରିକାସ୍‌’। ବିଶେଷକରି ଓଡ଼ିଶା ସର୍ବସାଧାରଣ ପାଠାଗାର ଆଇନ ୨୦୦୧କୁ କାର୍ଯ୍ୟକାରୀ କରିବା ସହ ରାଜ୍ୟର ୩୦ଟି ଜିଲ୍ଲାରେ ସୁସଂଗଠିତ ଆଧୁନିକ ସର୍ବସାଧାରଣ ପାଠାଗାର ବ୍ୟବସ୍ଥା ଆରମ୍ଭ କରିବା ନିମନ୍ତେ ରାଜ୍ୟ ବଜେଟ୍‌ ଆବଣ୍ଟନ କରିବା ପାଇଁ ସୋସାଇଟି ପକ୍ଷରୁ ପର୍ଯ୍ୟଟନ ଓ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀଙ୍କୁ ଚିଠି ଲେଖାଯାଇଛି।

ସୋସାଇଟିର ସଭାପତି କୁକୁ ଦାସଙ୍କ କହିବା ମୁତାବକ, ସରକାରଙ୍କର ଓଡ଼ିଶା ରାଜ୍ୟ ସର୍ବସାଧାରଣ ପାଠାଗାର ପରିଷଦ ଦିଗରେ ପଦକ୍ଷେପ, ଜିଲ୍ଲା ସ୍ତରରେ ‘ଜିଲ୍ଲା ପରିଷଦ’ ଗଠନ ଦିଗରେ ଜିଲ୍ଲାର ଜିଲ୍ଲାପାଳଙ୍କୁ ଦିଆଯାଇଥିବା ନିର୍ଦେଶ, ଏ ବାବଦରେ କର୍ପସ ପାଣ୍ଠି ପ୍ରତିଷ୍ଠା, ଏନ୍‌ଆଇସି ଦ୍ବାରା ଜାତୀୟ ପାଠାଗାର ମିସନ ସହାୟତାରେ ରାଜ୍ୟ ସର୍ବସାଧାରଣ ପାଠାଗାର ପାଇଁ ନିଆଯାଉଥିବା ପଦକ୍ଷେପ ପ୍ରଶଂସନୀୟ। ତେବେ ଏଥିସହ ରାଜ୍ୟର ସବୁ ଜିଲ୍ଲା ଓ ବ୍ଲକରେ ପାଠାଗାର ବ୍ୟବହାରକାରୀଙ୍କ ପାଇଁ ‘ଆରଏଫ ଏନେବଲ୍‌ଡ ଲାଇବ୍ରେରି କାର୍ଡ’ କରିବା ନିମନ୍ତେ‘ଓଡ଼ିଶା ସର୍ବସାଧାରଣ ପାଠାଗାର ନିୟମ’ ପ୍ରଣୟନ କରିବାକୁ ଅନୁରୋଧ କରାଯାଇଛି। ଏତଦ୍‌ବ୍ୟତୀତ ସର୍ବସାଧାରଣ ପାଠାଗାରଗୁଡ଼ିକ ପରିଚାଳନା ପାଇଁ ଆସୁଥିବା ବଜେଟ୍‌ ଅଧିବେଶନରେ ସ୍ବତନ୍ତ୍ର ଭାବେ ‘ରାଜ୍ୟ ବାର୍ଷିକ ପାଣ୍ଠି’ ଆବଣ୍ଟନ ନିମନ୍ତେ ରିଜୋଲୁସନ ପାସ୍‌ କରିବା, ପ୍ରତି ଜିଲ୍ଲା ପାଠାଗାରରେ ହାଇସ୍ପିଡ୍‌ ବ୍ରଡବ୍ୟାଣ୍ଡ ଇଣ୍ଟରନେଟ୍‌ ବ୍ୟବସ୍ଥା, କମ୍ପ୍ୟୁଟର ରୁମ୍‌, ଅଡିଓ-ଭିଡିଓ ଇଣ୍ଟରନେଟ୍‌ ବ୍ୟବସ୍ଥା, ସଭାଗୃହ, ପାଠାଗାର ଗୃହ ସହ ଦକ୍ଷ ଲାଇବ୍ରେରିଆନ ନିଯୁକ୍ତ, ‘୫-ଟି’ କାର୍ଯ୍ୟକ୍ରମ ମୁତାବକ ପାଠାଗାରଗୁଡ଼ିକୁ ସ୍ବୟଂଚାଳିତ ଓ ଡିଜିଟାଇଜେସନ୍‌ କରିବା, ସମସ୍ତ ପାଠାଗାରକୁ ଗୋଟିଏ ଛତା ତଳକୁ ଆଣି ପରିଚାଳନା କରିବା, ନିଷ୍ଠାବାନ ଓ ଆଧୁନିକ ପାଠାଗାର ଚଳାଇପାରିବା ଭଳି ‘ରାଜ୍ୟ ସର୍ବସାଧାରଣ ପାଠାଗାର ନିର୍ଦେଶକ’ ନିଯୁକ୍ତ କରିବା, ପ୍ରାବଧାନ ପ୍ରସ୍ତୁତି ସହ ପାଠାଗାର ଆନ୍ଦୋଳନକୁ ଜାରି ରଖିବା, ରାଜ୍ୟରେ ଥିବା ପାଠାଗାର ସମ୍ବନ୍ଧୀୟ ସର୍ବେକ୍ଷଣ ତଥା କେନ୍ଦ୍ରୀୟ ଡାଟାବେସ ପ୍ରସ୍ତୁତ କରିବା ପାଇଁ ଆଇଟି କମ୍ପାନି ବିଶେଷଜ୍ଞ ତଥା ଏନଆଇସିକୁ ଦାୟିତ୍ବ ଦେବା, ୟୁନାଇଟେଡ୍‌ ନେସନ୍‌ସର ସଷ୍ଟେନେବୁଲ୍‌ ଡେଭଲପମେଣ୍ଟ ଗୋଲ୍‌କୁ ଛୁଇଁବା ନିମନ୍ତେ ସ୍ବତନ୍ତ୍ର ଖସଡ଼ା ପ୍ରସ୍ତୁତ କରିବା, ମୋ ସ୍କୁଲ୍ କାର୍ଯ୍ୟକ୍ରମ କରି ଦାନ ପାଇବା ଭଳି ‘ମୋ ପବ୍ଲିକ-ଲାଇବ୍ରେରି ସ୍କିମ୍‌’ ପାଇଁ ପ୍ରାବଧାନ ପ୍ରସ୍ତୁତ କରିବା, ଆସନ୍ତା ୪ ବର୍ଷ ମଧ୍ୟରେ ପାଠାଗାର ବ୍ୟବସ୍ଥାକୁ କାର୍ଯ୍ୟକାରୀ ଓ ପରିଚାଳନା ପାଇଁ ଟାସ୍କ ଫୋର୍ସ ଗଠନ କରିବା ନେଇ ମନ୍ତ୍ରୀ ଶ୍ରୀ ପାଣିଗ୍ରାହୀଙ୍କୁ ଚିଠି ମାଧ୍ୟମରେ ନିବେଦନ କରାଯାଇଛି ବୋଲି କୁକୁ ଦାସ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର