ନୃତ୍ୟରେ ଓଡ଼ିଶା ମାଟିର ଗାଥା

ଆରମ୍ଭ ହେଲା ଓଡ଼ିଆ ନବବର୍ଷ ମହୋତ୍ସବ

ଭୁବନେଶ୍ୱର: ଆରମ୍ଭ ହୋଇଛି ସଂସ୍କୃତି, ଐତିହ୍ୟ ଓ ପରମ୍ପରାର ପାର୍ବଣ ‘ଓଡ଼ିଆ ନବବର୍ଷ ମହୋତ୍ସବ’। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଉତ୍କଳ ମଣ୍ଡପରେ ଆୟୋଜିତ ଏହି ରାଜ୍ୟସ୍ତରୀୟ ମହୋତ୍ସବକୁ ଉଦ୍‌ଘାଟନ କରିଛନ୍ତି ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା। ଉଦ୍‌ଘାଟନୀ ଅଭିଭାଷଣରେ ସେ କହିଥିଲେ, କଳା, ସଂସ୍କୃତି ଓ ସାହିତ୍ୟ କ୍ଷେତ୍ରରେ ଆମେ ଅଗ୍ରଗତି କରିଛେ। ଏହି ଧାରାକୁ ବଜାୟ ରଖିବା ପାଇଁ ସମସ୍ତଙ୍କ ସମ୍ମିଳିତ ଆଗ୍ରହ ଓ ଉଦ୍ୟମ ଲୋଡ଼ା ବୋଲି ସେ କହିଥିଲେ।

ଅନ୍ୟମାନଙ୍କ ମଧ୍ୟରେ ବିଶିଷ୍ଟ ସ୍ଥପତି ପଦ୍ମବିଭୂଷଣ ରଘୁନାଥ ମହାପାତ୍ର, ସାଂସଦ ପ୍ରସନ୍ନ କୁମାର ପାଟ୍ଟଶାଣୀ, ବିଧାୟକ ପ୍ରିୟଦର୍ଶୀ ମିଶ୍ର, ମେୟର ଅନନ୍ତ ନାରାୟଣ ଜେନା ପ୍ରମୁଖ ଅତିଥି ଭାବେ ଯୋଗଦେଇ ବକ୍ତବ୍ୟ ରଖିଥିଲେ। ଉତ୍ସବରେ ଔପନ୍ୟାସିକ କାହ୍ନଚରଣ ମହାନ୍ତିଙ୍କ ରଚିତ ‘ଅଦେଖା ହାତ’ ଉପନ୍ୟାସର ହିନ୍ଦୀ ଅନୁବାଦ ଉନ୍ମୋଚିତ ହୋଇଥିଲା। ଅନୁବାଦିକା ସୁରଭି ବେହେରା ଉନ୍ମୋଚନ ବେଳେ ଉପସ୍ଥିତ ଥିଲେ। ପରେ ପଶ୍ଚିମ ଓଡ଼ିଶାର କବି ଖଗେଶ୍ୱର ସେଠ୍‌ଙ୍କ ଜୀବନୀ ଓ ସାହିତ୍ୟକୃତି ସମ୍ବଳିତ ଓ ଦୀପ୍ତିରଂଜନ ସେଠ୍‌ଙ୍କ ଦ୍ୱାରା ରଚିତ ପୁସ୍ତକ ଉନ୍ମୋଚନ ହୋଇଥିଲା।
ସାଂସ୍କୃତିକ କାର୍ଯ୍ୟକ୍ରମରେ ‘ଓଡ଼ିଶା ଆରମ ଜନମ ଭୂଇଁ…ଶୀର୍ଷକ ଗୀତରେ ଓଡ଼ିଶାର ଗାଥା ବଖାଣିଥିଲେ ଓଡ଼ିଶୀ ନୃତ୍ୟଶିଳ୍ପୀବୃନ୍ଦ। ଗୁରୁ ନିରଂଜନ ରାଉତଙ୍କ ନୃତ୍ୟ ସଂଯୋଜନାରେ ଏହି ନୃତ୍ୟାଭିନୟ ବେଶ୍‌ ଚିତ୍ତାକର୍ଷକ ଥିଲା। ଦିଲ୍ଲୀପ ଶ୍ରୀଚନ୍ଦନ ଆଲେଖ୍ୟ ପ୍ରସ୍ତୁତ କରିଥିବା ବେଳେ ରାମହରି ଦାସ ସଂଗୀତ ନିର୍ଦେଶନା ଦେଇଥିଲେ। ତାଙ୍କ ପରେ କେଉଁଝରର ଶିଳ୍ପୀମାନେ ଝୁମର ନୃତ୍ୟ ପରିବେଷଣ କରିଥିଲେ। ଶେଷରେ କଣ୍ଠଶିଳ୍ପୀ ବର୍ଣ୍ଣାଳି ହୋତା ନିଝୁମ୍‌ ରାତିର ସାଥୀ.., ଅଭିମାନିନୀ…ଭଳି ଗୀତ ଗାଇ ଦର୍ଶକଙ୍କ ମନୋରଂଜନ କରିଥିଲେ। ସଂସ୍କୃତି ବିଭାଗର ସଚିବ ମନୋରଂଜନ ପାଣିଗ୍ରାହୀ ସ୍ୱାଗତ ଭାଷଣ ଦେଇଥିବା ବେଳେ ନିର୍ଦେଶକ ବିଜୟ କୁମାର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ। ଡ.ମୃତ୍ୟୁଞ୍ଜୟ ରଥ ଏବଂ ସୁଚେତା ପ୍ରିୟଦର୍ଶିନୀ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ଏହି ଅବସରରେ ଓଡ଼ିଶା ଲଳିତ କଳା ଏକାଡେମି ପକ୍ଷରୁ ଏକ ଚିତ୍ର ପ୍ରଦର୍ଶନୀ ଏବଂ କାରିଗରୀ ପ୍ରସ୍ତୁତିର ପ୍ରଦର୍ଶନୀ ଉଦ୍‌ଘାଟିତ ହୋଇଛି। ଓଡ଼ିଶା ଲଳିତ କଳା ଏକାଡେମିର ସଚିବ ମାନସ ଜେନାଙ୍କ ସମେତ ଅନ୍ୟ ପଦାଧିକାରୀମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର