ଖଣ୍ଡଗିରି : ଓଡ଼ିଶା ଷ୍ଟାର୍ଟଅପ୍ କନ୍କ୍ଲେଭ୍ ପରଠାରୁ ପ୍ରାୟ ୩୬୦୦ ଉଦ୍ୟୋଗୀ ଓଡ଼ିଶାରେ ବିଭିନ୍ନ ଶିଳ୍ପ ପ୍ରତିଷ୍ଠା ପାଇଁ ଆଗ୍ରହ ପ୍ରକାଶ କରିବା ସହ ସରକାରୀ ସ୍ୱୀକୃତି ଅପେକ୍ଷାରେ ଅଛନ୍ତି। ଏମାନଙ୍କ ମଧ୍ୟରେ କିଛି ବୃହତ୍ ଶିଳ୍ପ ସମେତ କିଛି ମଧ୍ୟମ ଶିଳ୍ପ ଏବଂ କ୍ଷୁଦ୍ର ଶିଳ୍ପ ମଧ୍ୟ ରହିଛି। ସେହିଭଳି ଏମାନଙ୍କ ମଧ୍ୟରେ ବହୁ ନୂତନ ଉଦ୍ୟୋଗୀ ମଧ୍ୟ ସାମିଲ୍ ହୋଇଛନ୍ତି। ଆଇଟି କମ୍ପାନିମାନଙ୍କ ବାଦ୍ ବହୁ ଉତ୍ପାଦନକାରୀ ସଂସ୍ଥାମାନେ ସରକାରୀ ମଂଜୁରି ପାଇଁ ଅପେକ୍ଷା କରିଛନ୍ତି। ଗୁରୁବାର ସ୍ଥାନୀୟ ଆଇଟିଇଆର୍ କଲେଜ କ୍ୟାମ୍ପସ-୧ସ୍ଥିତ ପ୍ରେକ୍ଷାଳୟରେ ଓଡ଼ିଶା ଷ୍ଟାଟ୍ ଅପ୍ ସମିତ୍ -୨୦୧୮ର ଉଦ୍ଘାଟନ ପର୍ବ ଅବସରରେ ମୁଖ୍ୟ ଅତିଥିଭାବେ ଯୋଗ ଦେଇ ରାଜ୍ୟ ଶିଳ୍ପ ବିଭାଗର ପ୍ରମୁଖ ସଚିବ ସଂଜୀବ ଚୋପ୍ରା ଏହି ସୂଚନା ଦେଇଛନ୍ତି।
ଉଦ୍ୟୋଗୀ ସାକ୍ୟସିଂହ ମହାପାତ୍ରଙ୍କ ଉଦ୍ୟମରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଶ୍ରୀ ଚୋପ୍ରା କହିଲେ ଯେ ଓଡ଼ିଶାର ବହୁ ନୂତନ ଉଦ୍ୟୋଗୀ ବେଙ୍ଗାଲୁର୍ ଓ ଗୁଡ଼୍ଗାଓଁରେ ସେମାନଙ୍କ ସଂସ୍ଥା କରିବାକୁ ଆଗ୍ରହ ପ୍ରକାଶ କରୁଛନ୍ତି। ବର୍ତମାନ ରାଜଧାନୀ ଭୁବନେଶ୍ୱର ବହୁ ଉନ୍ନତ ଅବସ୍ଥାରେ ପହଞ୍ଚି ସାରିଛି। ତେଣୁ ସେଭଳି ଉଦ୍ୟୋଗୀମାନଙ୍କୁ ଭୁବନେଶ୍ୱର ପ୍ରତି ଆକୃଷ୍ଟ କରିବା ପାଇଁ ସରକାର ପଦକ୍ଷେପ ଗ୍ରହଣ କରୁଛନ୍ତି। ସିଙ୍ଗଲ୍ ଓ୍ଵିଣ୍ଡୋ ପଦ୍ଧତିରେ ଉଦ୍ୟୋଗପତିମାନଙ୍କୁ ଭିତ୍ତିଭୂମିଠାରୁ ଆରମ୍ଭ କରି ସମସ୍ତ ସୁବିଧା ଯୋଗାଇ ଦେବାକୁ ରାଜ୍ୟ ସରକାର ପ୍ରତିଶ୍ରୁତିବଦ୍ଧ। ଏହି ଅବସରରେ ମାତୃଦତ୍ତ ମିଶ୍ର, ଦେବାଶିଷ ପଟ୍ଟନାୟକ, ଡ. ସୁର୍ୟନିଲ୍ ଘୋଷ ପ୍ରମୁଖ ବକ୍ତବ୍ୟ ରଖିଥିଲେ। କାର୍ଯ୍ୟକ୍ରମରେ ବିଭିନ୍ନ ପ୍ରସଙ୍ଗ ଆଲୋଚନା କରାଯାଇଥିଲା। ବିଶେଷକରି ବହୁ ସମୟରେ ଷ୍ଟାଟ୍ ଅପ୍ ପଲିସି ବିଫଳ ହେଉଥିବା ସମ୍ପର୍କରେ ଗୁରୁତ୍ୱ ଦିଆଯାଇଥିଲା। ସେହିଭଳି ନୂତନ ଉଦ୍ୟୋଗୀମାନଙ୍କୁ ପ୍ରୋତ୍ସାହିତ କରିବାକୁ କି କି ପଦକ୍ଷେପ ନିଆଯିବା ଜରୁରି ସେ ବାବଦରେ ବି ଆଲୋକପାତ କରାଯାଇଥିଲା। ୩ ଦିନ ଧରି ଚାଲିବାକୁ ଥିବା ଏହି କାର୍ଯ୍ୟକ୍ରମର ପ୍ରଥମ ଦିନରେ ବେଙ୍ଗାଲୁର୍ ଓ ଗୁଡ଼୍ଗାଓଁରେ ପ୍ରତିଷ୍ଠିତ ବହୁ ଓଡ଼ିଆ ଓ ଅଣଓଡ଼ିଆ ଉଦ୍ୟୋଗୀ ଅଂଣ ଗ୍ରହଣ କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/01/start.jpg)