‘ଓଡ଼ିଶା ରାଜ୍ୟ ପୁସ୍ତକ ମହୋତ୍ସବ’ର ପଞ୍ଚମ ସଂଧ୍ୟା: ପୁସ୍ତକର ଚିରନ୍ତନ ଆବେଦନ ଚିରକାଳ ସ୍ବୀକାର୍ଯ୍ୟ

ଭୁବନେଶ୍ବର,: ପୁସ୍ତକ ହେଉଛି ବିଶ୍ବକୁ ଗବାକ୍ଷ। ଏହା ପାଠ କରି ବିଶ୍ବ ବ୍ରହ୍ମାଣ୍ଡ ଭ୍ରମଣର ଅନୁଭବ ମିଳେ। ପୁସ୍ତକର ଚିରନ୍ତନ ଆବେଦନ ଚିରକାଳ ସ୍ବୀକାର୍ଯ୍ୟ ବୋଲି ବିଶିଷ୍ଟ କଥାକାର ତଥା ଭିଜିଲାନ୍ସ ଡିଜି ଦେବାଶିଷ ପାଣିଗ୍ରାହୀ କହିଛନ୍ତି। ଆଜି ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଆୟୋଜିତ ଦ୍ବିତୀୟ ଓଡ଼ିଶା ରାଜ୍ୟ ପୁସ୍ତକ ମହୋତ୍ସବ ‘ଅକ୍ଷର’ର ୫ମ ସଂଧ୍ୟାରେ ଅନୁଷ୍ଠିତ ସାରସ୍ବତ କାର୍ଯ୍ୟକ୍ରମରେ ଯୋଗଦେଇ ଶ୍ରୀ ପାଣିଗ୍ରାହୀ ଏହା କହିଛନ୍ତି। ବିଶିଷ୍ଟ ସାହିତ୍ୟିକ ତଥା ସ୍ତମ୍ଭକାର ଅଧ୍ୟାପକ ବିଶ୍ବରଞ୍ଜନ ପୁସ୍ତକକୁ ଶ୍ରେଷ୍ଠ ବନ୍ଧୁ ବୋଲି ଦର୍ଶାଇଥିଲେ। ସେ କହିଥିଲେ, ପୁସ୍ତକ କେବେ ପାଠକ ସହ ବିଶ୍ବାସଘାତକତା କରେ ନାହିଁ। ଉପେନ୍ଦ୍ର କୁମାର ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ୫ଟି ପୁସ୍ତକ ଲୋକାର୍ପିତ ହୋଇଥିଲା। ବିଭାଗୀୟ ଯୁଗ୍ମ ନିର୍ଦ୍ଦେଶିକା ସଂଘମିତ୍ରା ଶତପଥୀ ସ୍ବାଗତ ଭାଷଣ ଦେଇଥିଲେ। ସୁନିତା ନାୟକ କାର୍ଯ୍ୟକ୍ରମ ସଂଯୋଜନା କରିଥିବା ବେଳେ ଶୁଚିସ୍ମିତା ମନ୍ତ୍ରୀ ଧନ୍ୟବାଦ ଦେଇଥିଲେ।

‘ସମ୍ବାଦ- ଆମ ଓଡ଼ିଶା’ ଷ୍ଟଲରେ ସ୍ବତନ୍ତ୍ର ରିହାତି
ଓଡ଼ିଶା ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ପ୍ରଦର୍ଶନୀ ପଡ଼ିଆଠାରେ ଆୟୋଜିତ ୨ୟ ‘ଓଡ଼ିଶା ରାଜ୍ୟ ପୁସ୍ତକ ମହୋତ୍ସବ’ର ଆଜି ଥିଲା ୫ମ ଦିନ। ଗତ ୪ ଦିନ ଧରି ମେଳାରେ ପାଠକଙ୍କ ବେଶ୍‌ ଭିଡ଼ ଦେଖିବାକୁ ମିଳୁଥିବା ବେଳେ ବିଭିନ୍ନ ଷ୍ଟଲ ପକ୍ଷରୁ ସ୍ବତନ୍ତ୍ର ରିହାତି ମୂଲ୍ୟରେ ପାଠକଙ୍କ ପାଇଁ ପୁସ୍ତକ ଉପଲବ୍ଧ ହେଉଛି। ମେଳା ପରିସରର ବି-୧୦ ରେ ଥିବା ‘ସମ୍ବାଦ-ଆମ ଓଡ଼ିଶା’ ଷ୍ଟଲରେ ବିଭିନ୍ନ ପୁସ୍ତକ ୩୦ ପ୍ରତିଶତ ରିହାତିରେ ଉପଲବ୍ଧ ହେଉଛି। ‘ଷ୍ଟଲରେ ପିଲାଙ୍କ ମହାଭାରତ’, ‘ପିଲାଙ୍କ ଭାଗବତ’ ଓ ‘ପିଲାଙ୍କ ରାମାୟଣ’ ଆଦି ତିନିଟି ପୁସ୍ତକର ମୂଲ୍ୟ ୪୫୦ ଟଙ୍କା ଥିବା ବେଳେ ଏବେ ସ୍ବତନ୍ତ୍ର ରିହାତିରେ ତାହା ପାଠକଙ୍କୁ ୩୦୦ ଟଙ୍କାରେ ଉପଲବ୍ଧ ହେଉଛି। ସେହିପରି କଥା ଶତକ (୧ରୁ ୫)ର ମୂଲ୍ୟ ୫୬୦ ଟଙ୍କା ଥିବା ବେଳେ ତାହା ଏଠାରେ ୪୦୦ ଟଙ୍କାରେ ମିଳୁଛି। ଏହାଛଡ଼ା ଷ୍ଟଲରେ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ‘ଭାଗବତ’, ପଣ୍ଡିତ ପତିତପାବନ ହୋତାଙ୍କ ‘ତୁଳସୀ ଦାସ ରାମାୟଣ’, ଦାଶ ବେନହୁରଙ୍କ ‘ପଗଡ଼ି ପୁରୁଷ’, ଅଖିଳ ମୋହନ ପଟ୍ଟନାୟକଙ୍କ ‘ଅଖିଳାୟନ’, ଭଗବାନ ପ୍ରକାଶଙ୍କ ‘ଦ୍ବିତୀୟ ପୃଥିବୀ’, ‌ଗୌରହରି ଦାସଙ୍କ ‘କଥାଟିଏ’, ସ୍ବରାଜ ମିଶ୍ରଙ୍କ ‘ନୂଆ ଅବୋଲକରା କାହାଣୀ’ ଓ ବିମଳେନ୍ଦୁ ମହାନ୍ତିଙ୍କ ‘ଓଡ଼ିଶା ବୌଦ୍ଧ ଧର୍ମ ବୌଦ୍ଧ କୀର୍ତି’ ଆଦି ଭିନ୍ନ ଭିନ୍ନ ସ୍ବାଦର ପୁସ୍ତକ ଉପଲବ୍ଧ ହେଉଛି।

ସମ୍ବନ୍ଧିତ ଖବର