ଡିସେମ୍ବର ୬ରୁ ଓଡ଼ିଶା ରାଜ୍ୟ ପୁସ୍ତକ ମହୋତ୍ସବ, ମିଶିଲେ ୩ ପୁସ୍ତକ ମେଳା କମିଟି

ଭୁବନେଶ୍ବ: ଏଣିକି ୩ଟି ପୁସ୍ତକ ମେଳା କମିଟି ସହ ମିଳିତ ଭାବେ ରାଜ୍ୟ ସଂସ୍କୃତି ବିଭାଗ ଆୟୋଜନ କରିବ ରାଜ୍ୟର ସର୍ବବୃହତ୍‌ ପୁସ୍ତକ ମେଳା ‘ଅକ୍ଷର’ ତଥା ‘ଓଡ଼ିଶା ରାଜ୍ୟ ପୁସ୍ତକ ମହୋତ୍ସବ-୨’। ଡିସେମ୍ବର ୬ରୁ ୧୫ତାରିଖ ପର୍ଯ୍ୟନ୍ତ ଏହି ସର୍ବବୃହତ୍‌ ପୁସ୍ତକ ମେଳା ଆୟୋଜନ କରାଯିବ। ଏନେଇ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ଗତ ୧୪ତାରିଖରେ ଏକ ବୈଠକ ବସିଥିବା ବେଳେ ଆଜି ଆୟୋଜିତ ବୈଠକରେ ଏଥିରେ ଚୂଡ଼ାନ୍ତ ମୋହର ବାଜିଛି। ସରକାରଙ୍କ ନିଷ୍ପତ୍ତି ମୁତାବକ, ରାଜଧାନୀ ପୁସ୍ତକ ମେଳା, ଏକାମ୍ର ପୁସ୍ତକ ମହୋତ୍ସବ କମିଟି, କଳିଙ୍ଗ ପୁସ୍ତକ ମେଳା ଓ ଓଡ଼ିଶା ପୁସ୍ତକ ପ୍ରକାଶକ ଓ ବିକ୍ରେତା ସଂଘର ସହଭାଗିତାରେ ଏହା ଆୟୋଜିତ ହେବ। କେବଳ ରାଜଧାନୀର ସବୁଠୁ ପୁରୁଣା ବହି ମେଳା ଭୁବନେଶ୍ବର ପୁସ୍ତକ ମେଳା ଭିନ୍ନ ଭାବେ ପୁସ୍ତକ ମେଳା ଆୟୋଜନ କରିବ। ୧୦ଦିନ ଧରି ଆୟୋଜିତ ହେବାକୁ ଯାଉଥିବା ଏହି ପୁସ୍ତକ ମେଳାରେ ୪୦୦ରୁ ଅଧିକ ଷ୍ଟଲ୍‌ ପଡ଼ିବା ନେଇ ଆଜି‌ ବୈଠକରେ ସ୍ଥିର ହୋଇଛି। ବିଭିନ୍ନ କମିଟିକୁ ଭିନ୍ନ ଦାୟିତ୍ବ ବଣ୍ଟନ କରାଯାଇଛି।

ହରେକୃଷ୍ଣ ମହତାବ ରାଜ୍ୟ ପାଠାଗାରର ଗ୍ରନ୍ଥାଧ୍ୟକ୍ଷ ରାଜ୍ୟ ପୁସ୍ତକ ମହୋତ୍ସବର ନୋଡାଲ୍‌ ଅଧିକାରୀ ଭାବେ ଦାୟିତ୍ବ ନିର୍ବାହ କରିବେ। ରାଜ୍ୟର ସମସ୍ତ ସରକାରୀ ଶିକ୍ଷାନୁଷ୍ଠାନମାନଙ୍କୁ ସେମାନଙ୍କ ଦରକାରୀ ପୁସ୍ତକ ଏହି ମହୋତ୍ସବରୁ କ୍ରୟ କରିବା ପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଏବଂ ଉଚ୍ଚ ଶିକ୍ଷା ବିଭାଗକୁ ଅନୁରୋଧ କରାଯିବ। ଭୁବନେଶ୍ବରର ପ୍ରତ୍ୟେକ ବିଦ୍ୟାଳୟ ଓ ମହାବିଦ୍ୟାଳୟ ସେମାନଙ୍କ ଛାତ୍ରଛାତ୍ରୀଙ୍କୁ ମହୋତ୍ସବ ପରିଦର୍ଶନ ନିମନ୍ତେ ପ୍ରେରଣ କରିବାକୁ ଅନୁରୋଧ କରାଯିବ। ବିଭିନ୍ନ ପୁସ୍ତକ ମେଳା କମିଟିର କର୍ମକର୍ତାଙ୍କ ସମେତ ଆଜିର ବୈଠକରେ ସଂସ୍କୃତି ବିଭାଗର ପ୍ରମୁଖ ଶାସନ ସଚିବ ‌ମନୋରଂଜନ ପାଣିଗ୍ରାହୀ, ନିର୍ଦେଶକ ବିଜୟ କୁମାର ନାୟକ ଓ ହରେକୃଷ୍ଣ ମହତାବ ରାଜ୍ୟ ଗ୍ରନ୍ଥାଗାରର ଗ୍ରନ୍ଥାଧ୍ୟକ୍ଷ ଉପସ୍ଥିତ ଥିଲେ। ତେବେ କଳିଙ୍ଗ ପୁସ୍ତକ ମେଳା ପୂର୍ବରୁ ୧ରୁ ୧୦ ନଭେମ୍ବର ପର୍ଯ୍ୟନ୍ତ ପ୍ରଦର୍ଶନୀ ପଡ଼ିଆ ବୁକିଂ କରିସାରିଥିବାରୁ ଏଠାରେ ପୁସ୍ତକ ମେଳା ଆୟୋଜିତ ହେବ। ଏଥିସହ ଭୁବନେଶ୍ବର ପୁସ୍ତକ ମେଳା ନଭେମ୍ବର ୧୯ରୁ ୨୮ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ।

ସମ୍ବନ୍ଧିତ ଖବର