ରାଜ୍ୟ ସଂଗ୍ରହାଳୟ କହିବ ‌ନୌବାଣିଜ୍ୟର ଐତିହ୍ୟ

ସମଗ୍ର ଦେଶର ପ୍ରାଚୀନ ବନ୍ଦରଠୁ ନେଇ ଓଡ଼ିଶାର ପ୍ରାଚୀନ ବନ୍ଦରର ଇତିହାସ ଅବଲୋକନ କରିବାର ସୁଯୋଗ ଦେବ ସ୍ୱତନ୍ତ୍ର ଗ୍ୟାଲେରି

ସଂଗ୍ରହାଳୟକୁ ୨୦୧୯ରେ ଆସିଛନ୍ତି ୧ଲକ୍ଷ ୩୯ ହଜାର ପର୍ଯ୍ୟଟକ
୧୮ ବର୍ଷରୁ ଊର୍ଧ୍ବ ବୟସର: ୧୧୬୫୧୮
ଶିଶୁ: ୮୫୫୨
ବିଦେଶୀ: ୭୫୭
ବିନା ଦେୟରେ ଭ୍ରମଣ: ୧୩୩୯୨

ଭୁବନେଶ୍ବର : ନୌବାଣିଜ୍ୟର ଐତିହ୍ୟ ବଖାଣିବ ରାଜ୍ୟ ସଂଗ୍ରହାଳୟ। ସମଗ୍ର ଦେଶର ପ୍ରାଚୀନ ବନ୍ଦରଠୁ ନେଇ ଓଡ଼ିଶାର ପ୍ରାଚୀନ ବନ୍ଦରର ଇତିହାସ ଅବଲୋକନ କରିବାର ସୁଯୋଗ ଦେବ ସ୍ବତନ୍ତ୍ର ଗ୍ୟାଲେରି। କଟକରେ ନୌବାଣିଜ୍ୟ ସଂଗ୍ରହାଳୟ ଥିଲେ ହେଁ, ରାଜ୍ୟ ସଂଗ୍ରହାଳୟରେ ଏହାର ଏକ ମିନି ପ୍ରତିରୂପ ଦେଖିବାକୁ ମିଳିବ। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଅଧୀନସ୍ଥ ଓଡ଼ିଶା ନୌବାଣିଜ୍ୟ ଓ ଦକ୍ଷିଣ ପୂର୍ବ ଏସିଆ ଷ୍ଟଡିଜ୍‌ ପ୍ରତିଷ୍ଠାନ ଏନେଇ ପ୍ରାରମ୍ଭିକ ପ୍ରକ୍ରିୟା ଆରମ୍ଭ କରିଛି।

୬୯ ଫୁଟ ଲମ୍ବା ଓ ୩୯ ଫୁଟ ଓସାର ବିଶିଷ୍ଟ ଗ୍ୟାଲେରି ପରିସରରେ ନୌବାଣିଜ୍ୟ ଐତିହ୍ୟ ସମେତ ଓଡ଼ିଶାର ପ୍ରାଚୀନ ନଦନଦୀ ଓ ସେଠାରେ ଥିବା ବ୍ୟାବସାୟିକ କେନ୍ଦ୍ର ସମ୍ବନ୍ଧରେ ସବିଶେଷ ଜାଣିବାର ସୁଯୋଗ ମିଳିବ। ସାମୁଦ୍ରିକ ଦେବଦେବୀଙ୍କ ପ୍ରତିକୃତି ସହ ଡଙ୍ଗା ପ୍ରସ୍ତୁତିର ପରମ୍ପରା ଏବଂ ଓଡ଼ିଶାରେ ସମୟାନୁକ୍ରମେ ବିସ୍ତୃତ ହୋଇଥିବା ନୌବାଣିଜ୍ୟର ଐତିହ୍ୟ ପ୍ରସ୍ଫୁଟିତ ହେବ। ସେହିଭଳି ଓଡ଼ିଶାରେ ଉତ୍‌ଖନନ ହୋଇଥିବା ନୌବାଣିଜ୍ୟ ସ୍ଥଳ ସମେତ ସେଠାରୁ ମିଳିଥିବା ମାଟି ଓ ସେରାମିକ୍‌ରେ ପ୍ରସ୍ତୁତ ସାମଗ୍ରୀ ପ୍ରଦର୍ଶିତ ହେବ। ଇଣ୍ଡୋନେସିଆ, ଚୀନ, ଶ୍ରୀଲଙ୍କାର ମୁଦ୍ରା ସହ ଟେରାକୋଟା ସାମଗ୍ରୀ ଓ ଖରୋସ୍ଥି ଶିଳାଲେଖ ମଧ୍ୟ ପ୍ରଦର୍ଶିତ ହେବ। ନୌବାଣିଜ୍ୟ ପରମ୍ପରା ସହ ସଂଶ୍ଳିଷ୍ଟ ପର୍ବପର୍ବାଣି ଏବଂ ସେତେବେଳେ ରପ୍ତାନି ଆମଦାନି କରାଯାଉଥିବା ସାମଗ୍ରୀ ବିଷୟରେ ଜାଣିବାକୁ ସୁଯୋଗ ଦେବ ସଂଗ୍ରହାଳୟ। ନୌବାଣିଜ୍ୟ ହେଉଥିବା ମାର୍ଗ ସମ୍ବନ୍ଧରେ ସୂଚନା ସହ ନୌବାଣିଜ୍ୟ ସହ ସମ୍ପୃକ୍ତ ସାଧବପୁଅ, ଖୁଦୁରୁକୁଣୀ ଓଷା ଓ ଆକାଶ ଦୀପକୁ ମଧ୍ୟ ଗ୍ୟାଲେରିରେ ଚିତ୍ରିତ କରାଯିବ। ପୁଣି କଉଡ଼ିରୁ ଆରମ୍ଭ କରି ବିଭିନ୍ନ ସମୟର ମୁଦ୍ରା ଓ ଆଜିର ଦିନରେ ବ୍ୟବହୃତ କ୍ରେଡିଟ୍‌ କାର୍ଡ ପର୍ଯ୍ୟନ୍ତ କ୍ରମ ପରିବର୍ତନକୁ ଚିତ୍ରିତ କରାଯିବ। ଗ୍ୟାଲେରି ପାଇଁ ୫୦ ଲକ୍ଷ ଟଙ୍କାର ବ୍ୟୟ ଅଟକଳ କରାଯାଇଛି। ଏନେଇ ଟେଣ୍ଡର ମଧ୍ୟ ଡକା ସରିଛି। ଏହି ଗ୍ୟାଲେରି କାର୍ଯ୍ୟ ଆରମ୍ଭର ୭୫ ଦିନ ମଧ୍ୟରେ ସାରିବାକୁ ଲକ୍ଷ୍ୟ ରଖାଯାଇଛି। ଆସନ୍ତା ୨୯ ତାରିଖରେ ରାଜ୍ୟ ସଂଗ୍ରହାଳୟର ପ୍ରତିଷ୍ଠା ଦିବସରେ ବୁଦ୍ଧ ଗ୍ୟାଲେରି ଓ ଡାକ ଐତିହ୍ୟ ଗ୍ୟାଲେରି ଉନ୍ମୋଚନ ହେବାକୁ ଯାଉଥିବା ବ‌େଳେ ନୌବାଣିଜ୍ୟ ଐତିହ୍ୟ ଗ୍ୟାଲେରି ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି।

ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ପ୍ରମୁଖ ସଚିବ ମନୋରଂଜନ ପାଣିଗ୍ରାହୀ କହିଛନ୍ତି ଯେ ରାଜ୍ୟ ସଂଗ୍ରହାଳୟକୁ ସମୃଦ୍ଧ କରିବା ପାଇଁ ଆମେ ଐତିହ୍ୟକୁ ସବୁବେଳେ ପ୍ରାଧାନ୍ୟ ଦେଇ ଆସିଛୁ। ପ୍ରସିଦ୍ଧ ବାଲିଯାତ୍ରା ନୌବାଣିଜ୍ୟ ପରମ୍ପରାର ସ୍ମୃତିକୁ ଉଜାଗର କରୁଥିବା ବେଳେ ସେତେବେଳର ସେଇ ପରମ୍ପରାକୁ ଉତ୍ତର ପିଢ଼ି ଆଗରେ ଭେଟି ଦେବା ପାଇଁ ଦୀର୍ଘଦିନ ପୂର୍ବରୁ ଏହାର ପରିକଳ୍ପନା କରାଯାଇଥିଲା। ସେହିପରି ରାଜ୍ୟ ସଂଗ୍ରହାଳୟକୁ ଅନେକ ବିଦେଶୀ ଓ ରାଜ୍ୟ ବାହାରର ପର୍ଯ୍ୟଟକ ଆସୁଥିବାରୁ ସେମାନେ ଏହି ଗ୍ୟାଲେରି ପରିଦର୍ଶନରେ ଓଡ଼ିଆ ଜାତିର ସମୃଦ୍ଧ ନୌବାଣିଜ୍ୟ ଐତିହ୍ୟ ସମ୍ପର୍କରେ ଅବଗତ ହୋଇପାରିବେ ବୋଲି ଶ୍ରୀ ପାଣିଗ୍ରାହୀ କହିଛନ୍ତି।

ସମ୍ବନ୍ଧିତ ଖବର