ଓଡ଼ିଶାର ସଂସ୍କୃତି ବିଶ୍ୱ ଦରବାରରେ ପହଞ୍ଚୁ

ସଂଗ୍ରହାଳୟର ହୀରକ ଜୟନ୍ତୀ

ଭୁବନେଶ୍ୱର : ଅତୀତର ସାଂସ୍କୃତିକ ଗାରିମାକୁ ସାଇତି ରଖି ପରପିଢ଼ି ନିକଟରେ ପହଞ୍ଚାଇବା ସଂଗ୍ରହାଳୟର ମୁଖ୍ୟ ଆଭିମୁଖ୍ୟ। ସେହିପରି ଆମ ଗାରିମାମୟ ସଂସ୍କୃତିକୁ ବିଶ୍ୱ ଦରବାରରେ ଉପସ୍ଥାପନ କରିବା ସଂଗ୍ରହାଳୟର ଦ୍ୱିତୀୟ ଆଭିମୁଖ୍ୟ ହେଉ ବୋଲି ଆହ୍ଵାନ ଦେଇଛନ୍ତି ରାଜ୍ୟପାଳ ଏସ୍‌ସି ଜମିର୍‌। ଓଡ଼ିଶା ରାଜ୍ୟ ସଂଗ୍ରହାଳୟର ୬୦ତମ ହୀରକ ପ୍ରତିଷ୍ଠା ଦିବସର ଉଦ୍‌ଯାପନୀ ଭାଷଣ ଦେଇ ଏପରି କହିଛନ୍ତି ଶ୍ରୀ ଜମିର୍‌।

ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ, ଆସନ୍ତା ୫ ବର୍ଷ ଭିତରେ ରାଜ୍ୟ ସଂଗ୍ରହାଳୟକୁ ବିଶ୍ୱସ୍ତରୀୟ ସଂଗ୍ରହାଳୟରେ ପରିଣତ କରିବା ପାଇଁ ଲକ୍ଷ୍ୟ ସ୍ଥିର କରିବାକୁ ଆହ୍ଵାନ ଦେଇଛନ୍ତି। ସଂସ୍କୃତି ପ୍ରତି ହରେକୃଷ୍ଣ ମହତାବଙ୍କ ଅବଦାନକୁ ସ୍ମରଣ କରିବା ସହ ସଂଗ୍ରହାଳୟ ପରିସରରେ ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ ରାଜ୍ୟପାଳଙ୍କ ଫଟୋକୁ ନେଇ ସ୍ୱତନ୍ତ୍ର ଗ୍ୟାଲେରି କରିବା ପାଇଁ ମତ ରଖିଥିଲେ। ସଂସ୍କୃତି ବିଭାଗର ଶାସନ ସଚିବ ମନୋରଂଜନ ପାଣିଗ୍ରାହୀ କହିଲେ, ଓଡ଼ିଆ ଚଳଚ୍ଚିତ୍ରର ୮୦ ବର୍ଷ ପୂର୍ତି ପାଳନ ହୋଇ ସାରିଥିବା ବେଳେ ଓଡ଼ିଆ ଚଳଚ୍ଚିତ୍ରର ସ୍ମୃତିକୁ ନେଇ ଏକ ଗ୍ୟାଲେରି କରିବାକୁ ପ୍ରସ୍ତାବ ଦେଇଥିଲେ। ସଂଗ୍ରହାଳୟର ପୂର୍ବତନ ଅଧୀକ୍ଷକ ତଥା ଐତିହାସିକ ମହେଶ ପ୍ରସାଦ ଦାଶ ବକ୍ତବ୍ୟ ରଖିଥିଲେ। ଏହି ଅବସରରେ ‘ଓଡ଼ିଶା ଷ୍ଟେଟ୍‌ ମ୍ୟୁଜିୟମ ଗ୍ଲିମ୍ପ୍‌ସ’, ଭାରତୀ ପାଲଙ୍କ ଦ୍ୱାରା ପ୍ରସ୍ତୁତ ‘କାଟାଲଗ୍‌ ଅନ୍‌ କପର ପ୍ଲେଟ୍‌ ଇନ୍‌ସ୍କ୍ରିପ୍‌ସନ୍‌ସ ପ୍ରିଜର୍ଭ୍‌ଡ ଇନ୍‌ ଓଡ଼ିଶା ଷ୍ଟେଟ୍‌ ମ୍ୟୁଜିୟମ’, ମହେଶ ପ୍ରସାଦ ଦାଶଙ୍କ ‘ଏକ୍ସପ୍ଲୋରେସନ୍‌ ଅଫ୍‌ ପ୍ରାଚୀ ଭ୍ୟାଲି’ ଏବଂ ରମେଶ ପ୍ରସାଦ ମହାପାତ୍ରଙ୍କ ‘ଡେକୋରେଟିଭ୍‌ ଆର୍ଟ ଅଫ୍‌ ପର୍ଶୁରାମେଶ୍ୱର ଟେମ୍ପୁଲ୍‌’ ପୁସ୍ତକ ଉନ୍ମୋଚିତ ହୋଇଥିଲା।

୨୦୦ ବର୍ଷ ତଳର ଦୋଳବିମାନ ଦାନ କରିଥିବା ବିଦ୍ୟାଭୂଷଣ ଆଚାର୍ଯ୍ୟ ଏବଂ ଧାନ, କଖାରୁ ମଞ୍ଜି ଓ କଣା ପଇସାରେ କଳାକୃତି ପ୍ରସ୍ତୁତ କରି ଦାନ କରିଥିବା କୁମୁଦିନୀ ପଟ୍ଟନାୟକଙ୍କୁ ସମ୍ବର୍ଧିତ କରାଯାଇଥିଲା। ଏଭରେଷ୍ଟ୍‍ ଶୃଙ୍ଗ ଆରୋହଣ କରିଥିବା ଓଡ଼ିଶା ପ୍ରଥମ ଝିଅ କଳ୍ପନା ଦାସଙ୍କୁ ୨୦ ହଜାର ଟଙ୍କାର ଅର୍ଥରାଶି ସହ ସମ୍ବର୍ଧିତ କରାଯାଇଥିଲା। ପ୍ରାରମ୍ଭରେ ଅଧୀକ୍ଷକ ଡ.ଜୟନ୍ତୀ ରଥ ସ୍ୱାଗତ ଭାଷଣ ଦେଇଥିଲେ। ସଂଗ୍ରହାଳୟରେ ହୋଇଥିବା ଫୁଲ ସଜାରେ ବରିଷ୍ଠ ବିଭାଗରେ ସେଣ୍ଟ୍‌ ଜାଭିୟରକୁ ପ୍ରଥମ ଓ ବଡ଼ଗଡ଼ର ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରକୁ ଦ୍ୱିତୀୟ ଏବଂ କନିଷ୍ଠ ବିଭାଗରେ ୟୁନିଟ୍‌-୮ ଡିଏଭିକୁ ପ୍ରଥମ ଓ ୟୁନିଟ୍‌ ୧ ସରକାରୀ ବାଳିକା ଉଚ୍ଚବିଦ୍ୟାଳୟକୁ ଦ୍ୱିତୀୟ ପୁରସ୍କାର ପ୍ରଦାନ କରାଯାଇଥିଲା। ସଂଗ୍ରହାଧ୍ୟକ୍ଷା ସୂଚିସ୍ମିତା ମନ୍ତ୍ରୀ ଧନ୍ୟବାଦ ଅର୍ପଣ କରିଥିଲେ। ଡ.ମୃତ୍ୟୁଞ୍ଜୟ ରଥ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।

କଟକର ଆନନ୍ଦ ଭବନରେ ହେବ ବିଜୁ କର୍ଣ୍ଣର

ବିଜୁ ପଟ୍ଟନାୟକଙ୍କ ଜନ୍ମ ଶତବାର୍ଷିକୀ ଅବସରରେ ବିଜୁ ପଟ୍ଟନାୟକଙ୍କ ବ୍ୟବହୃତ ଜିନିଷକୁ ନେଇ ସଂଗ୍ରହାଳୟରେ ‘ବିଜୁ କର୍ଣ୍ଣର’ ଗ୍ୟାଲେରି ଖୋଲିବାକୁ ପୂର୍ବବର୍ଷ ନିଷ୍ପତ୍ତି ହୋଇଥିଲା। ଏହା ମଧ୍ୟରେ ବିଜୁ ବାବୁଙ୍କ ଆସବାବପତ୍ର, ଚଷମା, ଚିଠିଠୁ ଆରମ୍ଭ କରି ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ଶୋଭା ପାଇ ୨୦୧୭ ମାର୍ଚ ମାସ ମଧ୍ୟରେ ଉଦ୍‌ଘାଟିତ ହେବା ନେଇ ପୂର୍ବବର୍ଷ ପ୍ରତିଷ୍ଠା ଦିବସରରେ ସୂଚନା ଦିଆଯାଇଥିଲା। ମାତ୍ର ଆଜି ସଂସ୍କୃତି ବିଭାଗର ଶାସନ ସଚିବ ମନୋରଂଜନ ପାଣିଗ୍ରାହୀ ବିଜୁ କର୍ଣ୍ଣର କଟକର ଆନନ୍ଦ ଭବନରେ ହେବ ବୋଲି ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର