ସପନର ପଥେ ପଥେ…

କଳା, ସଂସ୍କୃତି ଓ ପର୍ଯ୍ୟଟନ

ସରିବ ସରିବ ହେଲାଣି ସତର। ବର୍ଷତମାମ କଳା, ସଂସ୍କୃତି ଓ ପର୍ଯ୍ୟଟନର ବିକାଶ ପାଇଁ ଅନେକ ସ୍ୱପ୍ନ ଓ ସମ୍ଭାବନା ସରକାର ଦେଖାଇଥିଲେ। କିନ୍ତୁ ବାସ୍ତବ କ୍ଷେତ୍ରରେ ତାହାର ସଫଳ ରୂପାୟନ ହୋଇ ପାରିଲାନି। ସାଂସ୍କୃତିକ ଦୃଷ୍ଟିକୋଣରୁ ୨୦୧୭ ଚଳଚଞ୍ଚଳ ଥିଲା। କିନ୍ତୁ ବିବାଦ ପିଛା ଛାଡ଼ିଲାନି। ପର୍ଯ୍ୟଟନ କ୍ଷେତ୍ରରେ ପର୍ଯ୍ୟାପ୍ତ ସମ୍ଭାବନା ଥିଲେ ବି ଭିତ୍ତିଭୂମିର ଅଭାବ ଯୋଗୁଁ ଅନେକ ପ୍ରକଳ୍ପ ଅଧାଅଧୁରା ରହିଗଲା। କେବେ ଓଡ଼ିଆ ଚଳଚ୍ଚିତ୍ର ଉପରେ ଜିଏସ୍‌ଟି ଚଡ଼କ ପଡ଼ିଲା ତ ବିଦେଶୀ ଅତିଥିଙ୍କୁ ଆତିଥ୍ୟ ପ୍ରଦାନ ନାଁରେ ଚଞ୍ଚକତା ଯୋଗୁଁ ରାଜ୍ୟ ବଦାନମ ହେଲା। ବ୍ରିଟିସ୍‌ ଲାଇବ୍ରେରିରୁ ଓଡ଼ିଶାକୁ ତା’ର ଐତିହ୍ୟ ଦସ୍ତାବିଜ୍‌ ଫେରାଇ ଆଣିବାକୁ ସ୍ୱପ୍ନ ଦେଖା ହୋଇଥିଲେ ବି ତାହା ପୂରଣ ହୋଇ ପାରିଲାନି। ଐତିହ୍ୟ ଓ ପର୍ଯ୍ୟଟନର ପ୍ରାଚୁର୍ଯ୍ୟ ଥାଇ ବି ଦସ୍ତାବିଜ୍‌ ତଳେ କଏଦ ହୋଇ ରହିଗଲା ଗଦାଗଦା ପ୍ରସ୍ତାବ। ସରକାରୀ ସ୍ତରରେ ବିଭିନ୍ନ ବିଭାଗ ମଧ୍ୟରେ ସମନ୍ଵୟ ଓ ଆନ୍ତରିକତାର ଅଭାବ ଯୋଗୁଁ ବହୁ ପ୍ରକଳ୍ପ ଲଟକି ରହିଲା। ବର୍ଷ ଶେଷରେ ଏସବୁକୁ ନେଇ ଆମର ସ୍ୱତନ୍ତ୍ର ଉପସ୍ଥାପନା।
ଉପସ୍ଥାପନା: ସତ୍ୟ ନାରାୟଣ ରାଉତରାୟ
ଫଟୋ: ବିଭୂତି ସାହୁ
ଅଳଙ୍କରଣ: ରବିନାରାୟଣ ସାହୁ

ଧଉଳିରେ ଭିତ୍ତିଭୂମି ସ୍ୱପ୍ନ

ଶାନ୍ତି ସ୍ତପ ଧଉଳିରେ ରୋପ୍‌ ଓ୍ଵ ବ୍ୟବସ୍ଥା ଭଳି ଧୁଆଁବାଣ କରାଯାଇଥିବା ବେଳେ ତାହାକୁ ନେଇ ଆଉ ସ୍ୱରଶବ୍ଦ ନାହିଁ। ବଣଭୋଜି ସ୍ଥଳ ଭାବେ ଲୋକପ୍ରିୟତା ବଢ଼ୁଥିଲେ ହେଁ ପାର୍କିଂ ସ୍ଥଳ ନଥିବାରୁ ଗାଡ଼ିମାନ ଧଉଳି ସ୍ତପ ନିକଟକୁ ଯାଉଥିବାରୁ ବାରମ୍ବାର ଦୁର୍ଘଟଣା ଘଟିଛି। ୬ବର୍ଷରେ ୪ଟି ଦୁର୍ଘଟଣା ଘଟିଥିବା ବେଳେ ୭ଜଣ ମରିଛନ୍ତି। ଚଳିତ ବର୍ଷ ମଧ୍ୟ ଏକ ବସ୍‌ ଓଲଟି ପଡ଼ି ଅନେକ ଆହତ ହୋଇଛନ୍ତି। ମାତ୍ର ପାର୍ବତୀ ପୋଖରୀ ନିକଟରେ ଦେଢ଼ କୋଟି ଟଙ୍କା ବ୍ୟୟରେ ନିର୍ମିତ ପାର୍କିଂ ସ୍ଥଳ ୫ ବର୍ଷ ହେଲା କାର୍ଯ୍ୟକାରୀ ହୋଇପାରିନି। ପାର୍କିଂ ସ୍ଥଳରେ ୪୦ଟି ଦୋକାନ ଘର ନିର୍ମାଣ ଚାଲିଥିବା ବେଳେ ଏଯାଏଁ ଧଉଳି କଳା ବଜାର ଖୋଲିପାରିନି।

୫୭ବର୍ଷର ରେକର୍ଡ ଭାଙ୍ଗିଲା ନନ୍ଦନକାନନ

ଚଳିତ ବର୍ଷ ନୂଆବର୍ଷର ପ୍ରଥମ ଦିନ ନନ୍ଦନକାନନ ଇତିହାସରେ ନୂଆ ଫର୍ଦ ଯୋଡ଼ି ହୋଇଥିଲା। ୫୭ ବର୍ଷର ରେକର୍ଡ ଭାଙ୍ଗିଥିଲା। ପ୍ରଥମ ଦିନ ୫୦ହଜାର ୬୪୮ଟି ଟିକେଟ୍‌ ବିକ୍ରି ହୋଇଥିବା ବେଳେ ୧୧ଲକ୍ଷ ୩୨ ହଜାର ୭୪୬ ଟଙ୍କା ଆୟ ହୋଇଥିଲା। ଭିଡ଼ ଏତେ ହୋଇଥିଲା ଯେ ଆହୁରି ୫ହଜାର ପର୍ଯ୍ୟଟକ ଟିକେଟ୍‌ ନପାଇ ଫେରଥିଲେ। ତେବେ କଟକ ବାଲିକୁଦର ଜଣେ ଆଡ଼ପାଗଳ ବାଘଘର ଜାଲି ଉପରକୁ ଚଢ଼ି ଯାଇଥିବା ଚର୍ଚାର ବିଷୟ ହୋଇଥିଲା। ପୁଣି ନୂଆକରି ବିଲୁଆ ଗଧିଆ ନୂତନ ଏନ୍‌କ୍ଲୋଜର ସହ ପର୍ଯ୍ୟଟକଙ୍କ ପାଇଁ ସ୍ୱଚ୍ଛ ପାନୀୟ ଜଳ ଏବଂ ମା’ମାନେ ଶିଶୁକୁ କ୍ଷୀର ପିଆଇବା ପାଇଁ ଶିଶୁ ଯତ୍ନଘର ଖୋଲାଯାଇଛି।

ସିଂହଙ୍କ ମେଳରେ ଅଧଘଣ୍ଟା

ନନ୍ଦନକାନରେ ଚଳିତ ବର୍ଷ ନଭେମ୍ବର ୧୮ ତାରିଖରେ ଏକ ଅଭାବନୀୟ ଘଟିଥିଲା। ୩୦ ଜଣ ଯାତ୍ରୀଙ୍କୁ ନେଇ ସିଂହ ସଫାରି ମଧ୍ୟରେ ଯାଉଥିବା ଯାତ୍ରୀବାହୀ ବସ୍‌ ରାସ୍ତାକଡ଼କୁ ଖସି ପଡ଼ିଥିଲା। ବସ୍‌ ଖାଲରୁ ଉଠିନପାରିବାରୁ ସିଂହଙ୍କ ମେଳରେ ଗାଡ଼ି ଅଧଘଣ୍ଟା ଅଟକି ରହିଥିଲା। ନନ୍ଦନକାନନ କାର୍ଯ୍ୟାଳୟକୁ ଫୋନ୍‌ ଲଗାଇ ଜଣାଇବା ପରେ ବସ୍‌ ପାଖରେ ବୁଲୁଥିବା ୨ ସିଂହକୁ ବସ୍‌ ନିକଟରୁ ଖାଇବାକୁ ଡକାଯାଇଥିଲା। ସିଂହ ଦୁଇଟି ସେଠାରୁ ଆସିବା ପରେ ଆଉ ଏକ ସଫାରି ବସ୍‌ ଯାଇ ଯାତ୍ରୀଙ୍କୁ ଉଦ୍ଧାର କରି ଆଣିଥିଲା।

ଜେବ୍ରା ବଂଶ ଲୋପ

ନନ୍ଦନକାନରେ ଚଳିତ ବର୍ଷ ୨ଟି ଜେବ୍ରାର ମୃତ୍ୟୁ ସହ ପୂରା ଜେବ୍ରା ବଂଶ ଲୋପ ପାଇଯାଇଛନ୍ତି। ସେହିଭଳି ୧୧ଟି ଛୁଆ ଜନ୍ମ କରିଥିବା ଧଳା ବାଘୁଣୀ କୁସୁମର ମୃତ୍ୟୁ ହୋଇଥିବା ବେଳେ ହାତୀ ଚନ୍ଦନ, ସିପାଞ୍ଜି ଜନ୍‌ର ମୃତ୍ୟୁ ହୋଇଛି। ଭିକିର ହାଡ଼ ଭାଙ୍ଗି ଯାଇଥିବା ବେଳେ ପ୍ରଥମଥର ଓୟୁଏଟି ଭେଟେରିନାରିରେ ଅସ୍ତ୍ରୋପଚାର ହୋଇ ହାଡ଼ ଯୋଡ଼ାଯାଇଛି।

ହୋଇପାରିଲାନି ବ୍ୟାଖ୍ୟାନ କେନ୍ଦ୍ର

ଖଣ୍ଡଗିରି ଓ ଉଦୟଗିରି ପାଦଦେଶରେ ୫୦୦୦ ବର୍ଗମିଟର ଅଞ୍ଚଳରେ ନିର୍ମିତ ବ୍ୟାଖ୍ୟାନ ଏବର୍ଷ ବି କାର୍ଯ୍ୟକାରୀ ହୋଇପାରିନି। ୩୦୦ ଆସନ ବିଶିଷ୍ଟ ମୁକ୍ତାକାଶ ରଙ୍ଗମଞ୍ଚ, ହସ୍ତଶିଳ୍ପ ଗ୍ରାମ, ଫୁଡ୍‌କୋର୍ଟ, ଜନସୁବିଧା କେନ୍ଦ୍ର, ଦୃଶ୍ୟଶ୍ରାବ୍ୟ ବ୍ୟବସ୍ଥାର ପ୍ରସ୍ତାବ ସବୁ ସ୍ୱପ୍ନ ହୋଇଯାଇଛି। ବାରମ୍ବାର ଲକ୍ଷଲକ୍ଷ ଟଙ୍କା ଏଥିପାଇଁ ଟେଣ୍ଡର ହେଉଥିଲେ ହେଁ କାମ ହୋଇପାରୁନି।

ନନ୍ଦନକାନନରେ ନୂଆ ଅତିଥି
ଚଳିତ ବର୍ଷ ବାଘୁଣୀ ମେଘା ନନ୍ଦନର ଛୁଆ ବାହୁବଳୀ ଓ ନନ୍ଦନ ପର୍ଯ୍ୟଟକଙ୍କ ସାମ୍ନାକୁ ଆସିଛି। କଳ୍ପନା ସିଂହୀର ଶାବକ, ସ୍ନେହା ବାଘୁଣୀର ଛୁଆ ଚିନୁ ଓ ମୌସୁମୀ (ଧଳା ବାଘ) ଏବଂ ବିରଳ କଳାପଟା ଚିହ୍ନ ବାଘ ଭିକି ସମେତ ନନ୍ଦନ ବାଘକୁ ମଧ୍ୟ ଦେଖିବାକୁ ମିଳିଛି। ସିପାଞ୍ଜି ପୂର୍ଣ୍ଣିମାର ଗୋଟେ ଛୁଆ ହୋଇଥିବା ବେଳେ ଚେନ୍ନାଇରୁ ସ୍ପେକ୍ଟାକଲ୍‌ କେମ୍‌ନି କୁମ୍ଭୀର, ନୀଳଗିରିରୁ ହନୁ, ନୂଆପଡ଼ାରୁ ମଣିଷଖିଆ କଲରାପତରିଆ ୨ ବାଘ, ଉଦ୍ଧାର ହୋଇଥିବା ୨ ହାତୀ ଛୁଆ, ଉଦ୍ଧାର ଗୋଟିଏ ଭାଲୁ ଏବଂ ଗୋଟିଏ ହେଟାବାଘ ଆସିଛି।

ରାଜ୍ୟ ସଂଗ୍ରହାଳୟରେ ନୂଆ ଗ୍ୟାଲେରି
ପାଇକ ବିଦ୍ରୋହର ୨୦୦ ବର୍ଷ ପୂର୍ତି ଉପଲକ୍ଷେ ରାଜ୍ୟ ସଂଗ୍ରହାଳୟରେ ଖୋଲିଛି ପାଇକ ଗ୍ୟାଲେରି। ଏହା ମଧ୍ୟରେ ୫୦ ଲକ୍ଷ ଟଙ୍କା ବ୍ୟୟରେ ଲାଇଟ୍‌ ଆଣ୍ଡ୍‌ ସାଉଣ୍ଡ୍‌ ସୋ ଉପଭୋଗ କରିବାର ବ୍ୟବସ୍ଥା ହୋଇଛି। ସେହିପରି ୪୦ଟି କାଠ ଓ କାଗଜ ମୁଖାକୁ ନେଇ ଏକ ମୁଖା ଗ୍ୟାଲେରି ଲୋକାର୍ପିତ ହୋଇଛି।

ଶ୍ରୀଲିଙ୍ଗରାଜ ୨୪ ଘଣ୍ଟା ଉପାସ, ଭାଙ୍ଗିଲା ୧୨ ବର୍ଷର ପରମ୍ପରା
ସେବାୟତଙ୍କ ମଧ୍ୟରେ କଳି ଯୋଗୁଁ ଶ୍ରୀଲିଙ୍ଗରାଜଙ୍କୁ ୨୪ ଘଣ୍ଟା ଉପାସ ରହିବାକୁ ପଡ଼ିଥିଲା। ମାର୍ଚ ୨୫ ସାଢ଼େ ୫ଟାରୁ ୨୬ତାରିଖ ସାଢ଼େ ୫ଟା ପର୍ଯ୍ୟନ୍ତ ପ୍ରଭୁ ଉପାସ ରହିବା ପରେ ନୀତି ହୋଇଥିଲା। ପୁଣି ବିବାଦ ଯୋଗୁଁ, ୧୨ ବର୍ଷ ପରେ ପଡ଼ୁଥିବା ମହାବରୁଣେଶ୍ୱର ବୁଡ଼ ବି ହୋଇପାରିନଥିଲା। ତେଣୁ ୧୨ ବର୍ଷର ପରମ୍ପରା ଭଙ୍ଗ ହୋଇଥିଲା।

ବାହୁବଳୀ-କଟପ୍ପା ଚର୍ଚା
ବାହୁବଳୀକୁ କଟପ୍ପା କାହିଁକି ମାରିଲା। ଏହିଭଳି ଏକ ପ୍ରଶ୍ନର ଉତ୍ତର ଖୋଜୁଥିବା ଦର୍ଶକଙ୍କ ନିକଟରେ ଉତ୍ତର ରଖିଥିଲା ଚଳଚ୍ଚିତ୍ର ‘ବାହୁବଳୀ ଦି କନ୍‌କ୍ଲୁଜନ୍‌’। ଚଳିତ ବର୍ଷ ଏ ଚଳଚ୍ଚିତ୍ର ଓଡ଼ିଶାରେ ରେକର୍ଡ ସଂଖ୍ୟକ ୧୧୨ଟି ହଲ୍‌ରେ ମୁକ୍ତିଲାଭ କରିଥିଲା। ଅନ୍‌ଲାଇନ୍‌ରେ ୨୪ ଘଣ୍ଟାରେ ୧୦ ଲକ୍ଷ ଟଙ୍କାର ଟିକେଟ୍‌ ବିକ୍ରି ହୋଇଥିବା ବେଳେ ସକଳା ୭ଟାରୁ ଓଡ଼ିଶାର ବିଭିନ୍ନ ସିନେମା ହଲ୍‌ ସମ୍ମୁଖରେ ଲମ୍ବା ଲାଇନ୍‌ ଲାଗିଥିଲା। ପୁଣି ପ୍ରଥମ ଦିନରେ ରାଜଧାନୀର ୯ଟି ପ୍ରେକ୍ଷାଳୟରେ ୪୩ଟି ସୋ ହାଉସ୍‌ଫୁଲ୍‌ ହୋଇ ରେକର୍ଡ ସୃଷ୍ଟି ହୋଇଥିଲା।

ଖୋଲିପାରିଲାନି ଜୟଦେବ ଭବନ ନୂଆ ପ୍ରେକ୍ଷାଳୟ
୧୫ ମାସର ପ୍ରକଳ୍ପ ପାଇଁ ୪ ବର୍ଷ ଲାଗିଗଲା। ତଥାପି ୨୦୧୩ ନଭେମ୍ବରରେ ଶିଳାନ୍ୟାସ ହୋଇଥିବା ଜୟଦେବ ଭବନ ନୂଆ ପ୍ରେକ୍ଷାଳୟ ଖୋଲିପାରିଲାନି। ନଭେମ୍ବର ୨୯ରେ ମୁଖ୍ୟମନ୍ତ୍ରୀ ଏହାକୁ ଉଦ୍‌ଘାଟନ କରିବାକୁ ଥିଲେ ହେଁ ୮କୋଟି ୨୫ ଲକ୍ଷ ଟଙ୍କାରେ ନିର୍ମିତ ଏହି ପ୍ରେକ୍ଷାଳୟର ସୁବିଧା ଚଳିତ ବର୍ଷ ଲୋକେ ପାଇପାରିନାହାନ୍ତି।

ଆମଅତିଥି

କୈଳାସ ସତ୍ୟାର୍ଥୀ, ନେପାଳ ରାଷ୍ଟ୍ରପତି ବିଦ୍ୟାଦେବୀ ଭଣ୍ଡାରି, ରାମଦେବ ବାବା, ଶତ୍ରୁଘ୍ନ ସିହ୍ନା, ସିଦ୍ଧାର୍ଥ ମଲହୋତ୍ରା, ହିନ୍ଦୀ କବି ଲୀଳାଧର ଜାଗୁରି, ବଲିଉଡ୍‌ ଡ୍ରିମ୍‌ଗାର୍ଲ ହେମାମାଳିନୀ, କଣ୍ଠଶିଳ୍ପୀ ଉଦିତ୍‌ ନାରାୟଣ, ଉର୍ବଶୀ ରଉତେଲା, ବଂଶୀବାଦକ ହରିପ୍ରସାଦ ଚୌରାସିଆ, ଚଣ୍ଡୀପ୍ରସାଦ ଭଟ୍ଟ, ହରିକିସନ୍‌ ଦୁଆ, ସିଦ୍ଧାର୍ଥ କାକ୍‌, ଉର୍ମିଳା ମାତୋଣ୍ଡକର, ବିନୋଦ ରାଥୋଡ୍‌, ରାଜ୍‌ ଜୁତ୍‌ସି, ଆସେଲ୍‌ ଜୁଡ୍‌, ରାକ୍ଷୀ ସାଓ୍ଵନ୍ତ, ଅମିଷା ପଟେଲ୍‌, କୋଲାକାଲୁରି, ନାସିରା ଶର୍ମା, ଅଭିଜିତ୍‌

ଶିଖରଚଣ୍ଡୀକୁ ଦୃଷ୍ଟି ଦେଲେନି

ଶିଖରଚଣ୍ଡୀକୁ ଟୁରିଷ୍ଟ୍‍ ହବ୍‌ର ମାନ୍ୟତା ଦେବା ପାଇଁ ଢେର୍‌ ବର୍ଷ ହେଲା ପ୍ରକ୍ରିୟା ଆରମ୍ଭ ହେଲାଣି। ମାତ୍ର ଏହାର ଦାୟିତ୍ୱ ନେଇଥିବା ପର୍ଯ୍ୟଟନ ବିଭାଗ ଓ ଇଡ୍‌କୋ କେବଳ ବଜେଟ୍‌ ସ୍ଥିର କରି ଦାୟିତ୍ୱ ସାରିଦେଇଛନ୍ତି। ୨୦୧୩ରେ ଇଡ୍‌କୋ ସିଏମ୍‌ଡି ବିଶାଳ ଦେବ ଶିଖରଚଣ୍ଡୀକୁ ଚିତ୍ତ ବିନୋଦନ କେନ୍ଦ୍ର କରିବାନେଇ ସୂଚନା ଦେଇଥିଲେ ମାତ୍ର ଚଳିତ ବର୍ଷ ବି ଏହି ସ୍ୱପ୍ନ ବାସ୍ତବ ରୂପ ନେଇପାରିନି।

ଲିଙ୍ଗରାଜ ମନ୍ଦିରରେ ମୋଦି

ବର୍ଷର ମଧ୍ୟ ଭାଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲିଙ୍ଗରାଜ ମନ୍ଦିର ଗସ୍ତ କରିଥିଲେ। ଭୁବନେଶ୍ୱରର ଏହି ପ୍ର୍ରମୁଖ ଶୈବପୀଠକୁ ଭ୍ରମଣ କରିିଛନ୍ତି। ମନ୍ଦିରରେ ପୂଜାର୍ଚନା କରିବା ସହ ପ୍ରାର୍ଥନା କରିଥିଲେ। ପରେ ସେ ମନ୍ଦିରରୁ ବାହାରି ରାସ୍ତାରେ ରୋଡ ସୋ’ କରିଥିଲେ। ମୋଦି ଶ୍ରୀଲିଙ୍ଗରାଜ ମନ୍ଦିରରେ ୨୫ ମିନିଟ୍‌ ବିତାଇ ଆଶ୍ଚର୍ଯ୍ୟ ପ୍ରକଟ କରିବାସହ ଟ୍ଵିଟ୍‌ କରିଥିଲେ।

ଆତିଥ୍ୟରେ କଳଙ୍କ

ଆତିଥ୍ୟରେ କଳଙ୍କର ଛିଟା ଲାଗିଛି। ଭୁବନେଶ୍ୱର ଭଳି ଐତିହ୍ୟ ସହରରେ ଅନ୍‌ଲାଇନ୍‌ରେ ଗେଷ୍ଟ୍‍ହାଉସ୍‌ ବୁକିଂ କରାଇ ଇଟାଲି ପର୍ଯ୍ୟଟକଙ୍କୁ ଠକିଛି ଏକ ସଂସ୍ଥା। ଶିଶୁପାଳଗଡ଼ରେ ଥିବା ଏକ ଗେଷ୍ଟ୍‍ ହାଉସ୍‌ରେ ୩ଷ୍ଟାର୍‌ ସୁବିଧା ଥିବା ଦର୍ଶାଇ ଏକ ସାଧାରଣ ଘରେ ରଖିବା ଆତିଥେୟତାକୁ ଧକ୍କା ପହଞ୍ଚାଇଛି। ଖାଳି ସେତିକି ନୁହେଁ ଚଳିତ ବର୍ଷ ଜାନୁଆରି ୨୯ ତାରିଖରେ ଧଉଳିରେ ମହିଳା ପର୍ଯ୍ୟଟକଙ୍କୁ ଅସଦାଚରଣ କରାଯାଇଥିବା ବେଳେ ଖଣ୍ଡଗିରି ସାଧୁମେଳାରେ ଜଣେ ସାଧୁ ଜଣେ ମାତାଙ୍କୁ ଦୁଷ୍କର୍ମ କରି ଜେଲ୍‌ ଯାଇଥିଲେ।

ପୁରସ୍କାରକୁ ନେଇ ଅସନ୍ତୋଷ

ଦୀନନାଥ ପାଠୀଙ୍କ ପରେ ଚଳିତ ବର୍ଷ ଅସୀମ ବସୁ, ଗୋକୁଳି ପଟ୍ଟନାୟକ ତିନିହେଁ ଆଗପଛ ହୋଇ ଚାଲିଗଲେ କିନ୍ତୁ ଧର୍ମପଦ ପୁରସ୍କାର ପାଇଁ ଘୋଷିତ ଏହି ପ୍ରତିଭାମାନେ ପୁରସ୍କାର ପାଇପାରିଲେନି। ଆଜି ବି ଏହି ସମ୍ମାନ କୋର୍ଟରେ ବିଚାର ପାଇଁ ପଡ଼ି ରହିଛି। ସେହିଭଳି ଚଳିତ ବର୍ଷ ‘ଦେଲେ ଧରା କଥା ସରେ’ ଚଳଚ୍ଚିତ୍ରରେ ଅଭିନୟ ପାଇଁ ଶ୍ରେଷ୍ଠ ପାର୍ଶ୍ୱ ଅଭିନେତ୍ରୀ ସମ୍ମାନ ପାଇବାକୁ ମନୋନୀତ ହୋଇଥିବା ମହାଶ୍ୱେତା ବିଚାରକଙ୍କ ଚୟନରେ ଅସନ୍ତୋଷ ଜାହିର୍‌ କରିଥିଲେ।

ଖଣ୍ଡଗିରି ଯାତ୍ରାରେ ବଲିଉଡ୍‌ ଷ୍ଟାର୍‌

ଏଥର ଖଣ୍ଡଗିରି ମେଳାରେ ଆକର୍ଷଣ ସାଜିଥିଲେ ବଲିଉଡ୍‌ ଷ୍ଟାର୍‌। ଅପେରା ଇଷ୍ଟର୍ଣ୍ଣ ବ୍ଲୁରେ ‘ଟିଙ୍ଗ୍‌ ଟିଙ୍ଗ୍‌ ଟିଙ୍ଗ୍‌..ଗୀତରେ ନାଚିବା ସହ ଆକର୍ଷଣୀୟ ସଂଳାପରେ ଦୃଷ୍ଟି ଆକର୍ଷଣ କରିଥିଲେ ଶକ୍ତି କପୁର। ସେହିଭଳି ଯାତ୍ରା ସଚ୍ଚିଦାନନ୍ଦମ୍‌ରେ ୩ ଋଷୀୟ ନୃତ୍ୟଶିଳ୍ପୀଙ୍କ ବେଲି ନୃତ୍ୟ ସାଙ୍ଗକୁ ମୁଖ୍ୟ ଆକର୍ଷଣ ସାଜିଥିଲେ ରାକ୍ଷୀ ସାଓ୍ଵନ୍ତ। ପରଦେଶୀୟା..ଗୀତରେ ନୃତ୍ୟ କରିଥିଲେ। ଅମିଷା ପଟେଲ୍‌ଙ୍କୁ ମଧ୍ୟ କିଛି ସମୟ ପାଇଁ ଯାତ୍ରା ମଞ୍ଚରେ ଦେଖିବାକୁ ମିଳିଥିଲା।

ଆଗେଇ ପାରୁନି କଳାମଣ୍ଡଳ

୨୦୦୩ ମସିହାରେ ପରିକଳ୍ପିତ ୩ ହଜାର ସିଟ୍‌ ବିଶିଷ୍ଟ ବୃହତ୍ତ ସାଂସ୍କୃତିକ ମଣ୍ଡପ କଳାମଣ୍ଡଳ ପ୍ରକଳ୍ପ ପାଇଁ ୨୦୧୫ରୁ ମୁଖ୍ୟମନ୍ତ୍ରୀ ଆଶା ଦେଖେଇଲେଣି। ଭିତ୍ତିପ୍ରସ୍ତର ବି ସ୍ଥାପନ ସରିଛି। ଅଥଚ ପ୍ରକଳ୍ପ ପାଦେ ଆଗେଇଲାନି। କଳାମଣ୍ଡଳ ପ୍ରକଳ୍ପ ୪୫କୋଟିରୁ ଯାଇ ୬୦ କୋଟି ଡେଇଁଲାଣି। ଅଥଚ ଆଜିଯାଏଁ ଇଟାଖଣ୍ଡେ ବି ଏଠି ପଡ଼ିପାରିଲାନି। ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ର ମଧ୍ୟରେ ଥିବା ‘ଉତ୍କଳ ରଙ୍ଗମଞ୍ଚ’ ବି ଅଭିଶପ୍ତ ପାଶାଣୀ ଭଳି ପଡ଼ି ରହିଛି।

ସମ୍ବନ୍ଧିତ ଖବର