ଭୁବନେଶ୍ୱର: ବଦଳିବ ଓଡ଼ିଶା ପର୍ଯ୍ୟଟନର ମାନଚିତ୍ର। ବଢ଼ିବ ଷ୍ଟାର୍ ହୋଟେଲ୍। ଉଡ଼ିବ ନୂଆ ବିମାନ। ଉନ୍ନତ ଭିତ୍ତିଭୂମି ସହ ମିଳିିବ ଅତ୍ୟାଧୁନିକ ସୁବିଧା। ଓଡ଼ିଶାର ପର୍ଯ୍ୟଟନସ୍ଥଳୀଗୁଡ଼ିକର ପ୍ରଚାର ପ୍ରସାର ପାଇଁ ଭିଡିଓ ପ୍ରସ୍ତୁତ ହେବ। ହୋଟେଲ୍ ଆଣ୍ଡ୍ ରେଷ୍ଟୁରାଣ୍ଟ୍ ଆସୋସିଏସନ୍ ଅଫ ଓଡ଼ିଶା (ହାରୋ) ପକ୍ଷରୁ ଶୁକ୍ରବାର ସ୍ୱସ୍ତି ପ୍ରିମିୟମରେ ଅନୁଷ୍ଠିତ ‘ଓଡ଼ିଶା ପର୍ଯ୍ୟଟନ କନ୍କ୍ଲେଭ୍’ରେ ଓଡ଼ିଶାର ପର୍ଯ୍ୟଟନକୁ ନେଇ ଏପରି ଆଶା ଜାଗିଛି। ଲ୍ୟାଣ୍ଡ୍ ବ୍ୟାଙ୍କ୍ ଜରିଆରେ ହୋଟେଲ୍ ପାଇଁ ଆହ୍ଵାନ କରାଯାଇଥିବା ବେଳେ କିଛି ଅନ୍ତର୍ଜାତୀୟ ହୋଟେଲ୍ ଆଗାମୀ ଦିନରେ ଏଠାରେ ନିଜର ଚେନ୍ ବିସ୍ତାର କରିବାକୁ ଯାଉଛନ୍ତି ବୋଲି କହିଛନ୍ତି ପର୍ଯ୍ୟଟନ ସଚିବ ବିଶାଲ୍ ଦେବ। ଏଥିସହ ବହୁ ପ୍ରତିକ୍ଷୀତ ଶାମୁକା ପ୍ରକଳ୍ପକୁ କମଦିନ ମଧ୍ୟରେ ସବୁଜ ସଙ୍କେତ ମିଳିବାକୁ ଯାଉଥିବା ସୂଚନା ମିଳିଛି। ପୁରୀ ସମୁଦ୍ରକୂଳ ନିକଟ ସିପସରୁବାଲିରେ ହେବାକୁ ଯାଉଥିବା ଏହି ପ୍ରକଳ୍ପ ପାଇଁ ବର୍ତମାନ ସୁଦ୍ଧା ହଜାରେ ଏକର ଜମି ଚିହ୍ନଟ ହୋଇସାରିଛି। ଏହା ମଧ୍ୟରେ ୪ଟି ପଞ୍ଚ ତାରକା ହୋଟେଲ୍ ସହ ୧୫୦୦ ଲୋକଙ୍କ ବସିବା ଭଳି ଅନ୍ତର୍ଜାତୀୟ ସ୍ତରର ସମ୍ମିଳନୀ କକ୍ଷ, ବୁଟିକ୍ ହୋଟେଲ୍, ଅନ୍ତର୍ଜାତୀୟ ସ୍ପା ଓ େଓ୍ଵଲ୍ନେସ୍ ସେଣ୍ଟର୍, ମନୋରଂଜନ ତଥା ବିନୋଦନ ଜୋନ୍ ଏବଂ କ୍ରୀଡ଼ା ଜୋନ୍ ରହିବ। ବର୍ତମାନ ସୁଦ୍ଧା ସରକାର ଶାମୁକା ପ୍ରକଳ୍ପ ମଧ୍ୟରେ ହୋଟେଲ୍ କରିବା ପାଇଁ ୩ଟି ହୋଟେଲ ନିବେଶକାରୀ ଶେଷ ନିଲାମ ପର୍ଯ୍ୟାୟରେ ଅଛନ୍ତି। ଏଥିସହ ତାଜ୍ ଗ୍ରୁପ୍ ଅଫ୍ ହୋଟେଲ୍ସ ଆଣ୍ଡ୍ ରିସୋର୍ଟ୍ସ, ଆଇଟିସି ପାର୍କ ହୋଟେଲ୍ସ, ଆନନ୍ଦ ସ୍ପା, ହାୟାତ ହୋଟେଲ୍ ମଧ୍ୟ ଏଥିପାଇଁ ଆଗ୍ରହ ପ୍ରକାଶ କରିଛନ୍ତି।
ଅନେକ ପ୍ରମୁଖ ପର୍ଯ୍ୟଟନସ୍ଥଳୀରେ ଶୌଚାଳୟ ପାଇଁ ସମସ୍ୟା ଥିବାରୁ ପର୍ଯ୍ୟଟନ ବିଭାଗ ପକ୍ଷରୁ ପୂର୍ତ ବିଭାଗକୁ ଦାୟିତ୍ୱ ଦିଆଯାଇଛି। ବର୍ତମାନ ସୁଦ୍ଧା ୨ଟି ନୂଆ ପର୍ଯ୍ୟଟନସ୍ଥଳୀ ଚିହ୍ନଟ ହୋଇଛି। ସେହିପରି ଆହୁରି ୫୦ଟି ଜୈବ ବିବିଧତା ପର୍ଯ୍ୟଟନସ୍ଥଳୀ ଚିହ୍ନଟ କରାଯିବ ବୋଲି ଜଙ୍ଗଲ ଓ ପରିବେଶ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର କନ୍କ୍ଲେଭ୍ରେ ସୂଚନା ଦେଇଛନ୍ତି।
ଏହି ଅବସରରେ ହାରୋର ଅଧ୍ୟକ୍ଷ ଜେ.କେ ମହାନ୍ତି କହିଲେ, ସମ୍ମିଳନୀ ପର୍ଯ୍ୟଟନ ପାଇଁ ବିପୁଳ ସୁଯୋଗ ରହିଛି। ଅଧିକ ସଂଖ୍ୟାରେ ବିଦେଶୀଙ୍କୁ ଅନ୍ତର୍ଜାତୀୟ ସମ୍ମିଳନୀ ପାଇଁ ସୁଯୋଗ ସୃଷ୍ଟି କରିବାକୁ ସ୍ୱରାଷ୍ଟ୍ର ମନ୍ତ୍ରାଳୟ କନ୍ଫରେନ୍ସ ଭିସା ପ୍ରଦାନ ଆରମ୍ଭ କରିଛନ୍ତି। ତେଣୁ ଓଡ଼ିଶା ସରକାର ଅଧିକ ସଂଖ୍ୟାରେ ଅନ୍ତର୍ଜାତୀୟ ସମ୍ମିଳନୀ, ଆଲୋଚନାଚକ୍ର ଓ କର୍ମଶାଳା ଆୟୋଜନ କରି ଏହାର ଫାଇଦା ନେବା ସହ ଏଥିପାଇଁ ସ୍ୱତନ୍ତ୍ର ବ୍ରୋଚର ପ୍ରସ୍ତୁତ କରିବା ଉଚିତ୍। ସେ ଏକଥା ବି କହିଲେ, ‘ଓ୍ଵାର୍ଲ୍ଡ ଟ୍ରାଭେଲ୍ ଆଣ୍ଡ୍ ଟୁରିଜିମ୍ କାଉନ୍ସିଲ୍ସ ଇକୋନୋମିକ୍ ଇମ୍ପାକ୍ଟ’ ମୁତାବକ ୨୦୧୭ରେ ଭାରତର ପର୍ଯ୍ୟଟନ କ୍ଷେତ୍ରରେ ୪ହଜାର ୭୮୦ କୋଟି ଡଲାର ନିବେଶ ପାଇଁ ସୁଯୋଗ ସୃଷ୍ଟି ହୋଇଥିଲା। ୨୦୨୮ ବେଳକୁ ଏହା ୯୫୦୦ କୋଟି ଡଲାର୍ରୁ ଅଧିକରେ ପହଞ୍ଚିବ। ତେବେ ଦେଶରେ ଅନେକ ଅନ୍ତର୍ଜାତୀୟ ହୋଟେଲ୍ ଚେନ୍ ବୃଦ୍ଧି ପାଉଥିଲେ ହେଁ ଓଡ଼ିଶାର ପର୍ଯ୍ୟଟନ କ୍ଷେତ୍ରମାନଙ୍କରେ ଏତେଟା ବିନିଯୋଗ ହେଉନାହିଁ। ଏ ଦିଗରେ ମଧ୍ୟ ଦୃଷ୍ଟି ଦେବାକୁ ପଡ଼ିବ ବୋଲି ସେ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/08/DSCN1843.jpg)