ଭୁବନେଶ୍ବର : ଶୁକ୍ରବାର ଥିଲା ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ(ଓଟିଡିସି)ର ୪୨ ତମ ପ୍ରତିଷ୍ଠା। ଏହି ଦିବସକୁ ଅଧିକ ସ୍ମରଣୀୟ କରିବା ଲାଗି ଆଜି ଓଟିଡିସି ପକ୍ଷରୁ ରାଜଧାନୀରେ ଖୋଲିଛି ଖାଣ୍ଟି ଓଡ଼ିଆ ରେସ୍ତୋରାଁ ‘ନିମନ୍ତ୍ରଣ’। ରମାଦେବୀ ମହିଳା ବିଶ୍ବବିଦ୍ୟାଳୟ ନିକଟରେ ଏହି ଆଉଟ୍ଲେଟ୍କୁ ଏକ ବିଶାଳ ପୋଡ଼ପିଠା କାଟି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍ଘାଟନ କରିଥିଲେ। ଏହି ଅବସରରେ ଖାଣ୍ଟି ଓଡ଼ିଆ ଖାଦ୍ୟକୁ ବିଶ୍ବ ଦରବାରରେ ପହଞ୍ଚାଇବା ପାଇଁ ଓଟିଡିସିର ଏଭଳି ପ୍ରୟାସକୁ ମୁଖ୍ୟମନ୍ତ୍ରୀ ପ୍ରଶଂସା କରିଥିଲେ। ଅଗାମୀ ଦିନରେ ଏହାର ଅନ୍ୟ ଦୁଇଟି ଶାଖାକୁ ପୁରୀ ବ୍ଲୁ ଫ୍ଲାଗ୍ ସମୂଦ୍ର ବେଳାଭୂମି ଓ ସମ୍ବଲପୁରର ରାନୀବଖ୍ରୀ ପ୍ୟାଲେସ୍ଠାରେ ଖୋଲାଯିବ ବୋଲି ନିଗମ ପକ୍ଷରୁ କୁହାଯାଇଛି। ଏହି ଉତ୍ସବରେ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ, ପର୍ଯ୍ୟଟନ ବିଭାଗ ପ୍ରମୁଖ ସଚିବ ସୁରେନ୍ଦ୍ର କୁମାର, ଓଟିଡିସିର ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର, ପର୍ଯ୍ୟଟନ ନିର୍ଦ୍ଦେଶକ ସଚିନ ଆର୍ ଯାଦବଙ୍କ ସମେତ ଅନ୍ୟ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ।
ପ୍ରଥମ ଦିନରେ ସ୍ପୋସାଲ ଡିସ୍ ଇଲିସି ଝୋଳ, ମାଟି ହାଣ୍ଡି ମଟନ୍
‘ନିମନ୍ତ୍ରଣ’ ରେସ୍ତୋରାଁ ଖୋଲିବାର ପ୍ରଥମ ଦିନ ହିଁ ଖାଣ୍ଟି ଓଡ଼ିଆ ଖାଦ୍ୟର ସ୍ବାଦ ଗ୍ରାହକଙ୍କୁ ବେଶ୍ ଆକୃଷ୍ଟ କରିଥିଲା। ଗ୍ରାହକଙ୍କ ପାଇଁ ସ୍ପେସାଲ୍ ଡିସ୍ ଭାବେ ଦେଶୀ ଉଷୁନା ଚାଉଳର ଭାତ ସାଙ୍ଗକୁ ମାଟି ହାଣ୍ଡି ମାଂସ, କଙ୍କଡ଼ା ତରକାରୀ, ଇଲିସି, ପୋହଳା ସୋରିଷ ମସଲା ଝୋଳ ପରସା ଯାଇଥିଲା। ସେହିପରି ଗ୍ରାହକଙ୍କୁ ଆଳୁ, ବାଇଗଣ ଭର୍ତ୍ତା, ବଡ଼ିଚୂରା, ଗୋଟା ଭେଣ୍ଡି ଭଜା, ପୋଟଳଆଳୁ ରସା, ଚିକେନ୍ ଚକୁଳି, ଟଙ୍କ ତୋରାଣି ଭଳି ବିଭିନ୍ନ ଓଡ଼ିଆ ଖାଦ୍ୟକୁ ପିତ୍ତଳ ପାତ୍ରରେ ଦିଆଯାଇଥିଲା। ଏହାଛଡ଼ା ଲୋକେ ଦହିବରା, ଛେନାପୋଡ଼ର ମଜା ମଧ୍ୟ ନେଇଥିଲେ। ଉଦ୍ଘାଟନ ହେଉହେଉ ପ୍ରଥମ ଦିନରେ ହିଁ ରେସ୍ତୋରାଁରେ ଲୋକଙ୍କ ଭିଡ଼ ଜମିଥିଲା। ଆଉ ୧୦୦ରୁ ଊର୍ଧ୍ବ ଗ୍ରାହକ ଖାଣ୍ଟି ଓଡ଼ିଆ ଖାଦ୍ୟର ସ୍ବାଦ ଉପଭୋଗ କରିଥିଲେ। ରେସ୍ତୋରାଁରେ ଏକାସଙ୍ଗେ ୬୦ଜଣ ବସିବା ଭଳି ସ୍ଥାନ ଥିଲେ ବି କୋଭିଡ୍ କଟକଣା ଦୃଷ୍ଟିରୁ ଗ୍ରାହକଙ୍କ ମଧ୍ୟରେ ବ୍ୟବଧାନ ରଖାଯାଇ ଏହି ସଂଖ୍ୟାକୁ କମ୍ କରାଯାଇଥିଲା।
ଓଡ଼ିଶା ମାନଚିତ୍ର ଆକୃତିର ୧୧୩ କେଜିର ପୋଡ଼ପିଠା
ଓଟିଡିସିର ଖାଣ୍ଟି ଓଡ଼ିଆ ରେସ୍ତୋରାଁ ‘ନିମନ୍ତ୍ରଣ’ର ଉଦ୍ଘାଟନୀ ଉତ୍ସବରେ ମୁଖ୍ୟ ଆକର୍ଷଣ ପାଲଟିଥିଲା ଏକ ୧୧୩ କେଜିର ପୋଡ଼ପିଠା। ସ୍ବତନ୍ତ୍ର ଭାବରେ ଏହି ପିଠା ପ୍ରସ୍ତୁତ ହୋଇଥିବା ବେଳେ ଏହାକୁ ଓଡ଼ିଶା ମାନଚିତ୍ର ଆକୃତି ଦିଆଯାଇଥିଲା। ଏହାର ଉପରି ଭାଗକୁ ବିଶେଷ ଭାବେ ଫଳ ଓ ଡ୍ରାଏଫ୍ରୁଟ୍ରେ ସୁସଜ୍ଜିତ କରାଯାଇଥିଲା। ଡାଳିମ୍ବ, କମଳା, ସେଓ, ଅଙ୍ଗରୁ, କାଜୁ, କିସ୍ମିସ୍, ଅଖରୁଟ୍, ବାଦାମ, ନଡ଼ିଆ ଖଣ୍ଡକୁ ଭିନ୍ନଭିନ୍ନ ରଂଗରେ ସଜା ଯାଇଥିଲା। ବିରି ଓ ଚାଉଳରେ ତିଆରି ଏହି ବିଶାଳ ପୋଡ଼ପିଠାକୁ ୨ଜଣ ସେଫ୍ ଓ ୪ଜଣ ସହାୟକ ମିଶି ପ୍ରସ୍ତୁତ କରିଥିଲେ। ଏଥିପାଇଁ ସେମାନଙ୍କୁ ଗୋଟାଏ ଦିନ ସମୟ ଲାଗିଥିଲା।