ଓଡ଼ିଶା ପର୍ଯ୍ୟଟନକୁ ଟୁରିଜିମ୍‌ ଲିଡରସିପ୍‌ ପୁରସ୍କାର

ଭୁବନେଶ୍ବର: ମୁମ୍ବାଇରେ ଅନୁଷ୍ଠିତ ‘ଗ୍ଲୋବାଲ୍‌ ମାଇସ୍‌ ଆଣ୍ଡ୍‌ ଲକ୍‌ଜରି ଟ୍ରାଭେଲ୍‌ କଂଗ୍ରେସ’ କାର୍ଯ୍ୟକ୍ରମରେ ଓଡ଼ିଶା ପର୍ଯ୍ୟଟନ ‘ଟୁରିଜିମ୍‌ ଲିଡରସିପ୍‌ ପୁରସ୍କାର’ ଲାଭ କରିଛି। ଏହି ଅନ୍ତର୍ଜାତୀୟ କାର୍ଯ୍ୟକ୍ରମରେ ୨୯ ଦେଶର ପ୍ରତିନିଧି ଅଂଶଗ୍ରହଣ କରି ପର୍ଯ୍ୟଟନ ସମ୍ବନ୍ଧରେ ଆଲୋଚନା କରିଥିଲେ। ଏହି ଅବସରରେ ଓଡ଼ିଶା ପର୍ଯ୍ୟଟନ ବିଭାଗର ସହ ନିର୍ଦେଶକ ସୁନିଲ କୁମାର ପଟ୍ଟନାୟକ ଓଡ଼ିଶା ପର୍ଯ୍ୟଟନ ପାଇଁ ଏହି ପୁରସ୍କାର ଲାଭ କରିଥିଲେ। ନିକଟରେ ନୂଆଦିଲ୍ଲୀରେ ଅନୁଷ୍ଠିତ ‘ଏସ୍‌ଏଟିଟିଇ ୨୦୧୯’ କାର୍ଯ୍ୟକ୍ରମରେ ମଧ୍ୟ ଓଡ଼ିଶା ପର୍ଯ୍ୟଟନ ‘ଟୁରିଜିମ୍‌ ବ୍ରାଣ୍ଡ୍‌ ଅଫ୍ ଦି ଇୟର’ ପୁରସ୍କାର ଲାଭ କରିଥିଲା। ରାଜ୍ୟ ପର୍ଯ୍ୟଟନ ସଚିବ ବିଶାଲ କୁମାର ଦେବ ଏ‌ ବାବଦରେ ମତ ରଖି କହିଛନ୍ତି, ଓଡ଼ିଶାକୁ ନୂଆ ପର୍ଯ୍ୟଟନ ବ୍ରାଣ୍ଡ୍‌ରେ ପରିଣତ କରିବା ପାଇଁ ଆମର ପ୍ରୟାସ ଜାରି ରହିଛି। ଏହି ପୁରସ୍କାର ଆମକୁ ଏ ଦିଗରେ ଆହୁରି ଅଗ୍ରସର ହେବାରେ ସହଯୋଗ କରିବ ବୋଲି ସେ କହିଛନ୍ତି। ଏଥିସହ ଓଡ଼ିଶାକୁ ଏହି ସମ୍ମାନ ପାଇଁ ଚୟନ କରିଥିବାରୁ ସେ ଚୟନକର୍ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ସମ୍ବନ୍ଧିତ ଖବର