ଭୁବନେଶ୍ବର: ଦୀର୍ଘ ଦିନର ବ୍ୟବଧାନ ପରେ ସୁଟିଂ ଫ୍ଲୋର୍କୁ ଫେରିଛି ଧାରାବାହିକ। ମେଗା ଧାରାବାହିକକୁ ଅନେକ ଦର୍ଶକ ଉତ୍ସୁକ ହୋଇ ଅପେକ୍ଷା କରିଥିବା ବେଳେ ସେମାନଙ୍କ ମନରେ ରୋମାଞ୍ଚ ଭରିବାକୁ ସଜବାଜ ଆରମ୍ଭ ହୋଇଯାଇଛି। ଦୁଇ ପ୍ରମୁଖ ଘରୋଇ ଚ୍ୟାନେଲ୍ ମଧ୍ୟରୁ ‘ଜି-ସାର୍ଥକ’ ସୁଟିଂ ଫ୍ଲୋରକୁ ଆଜିଠୁ ଓହ୍ଲାଇଛି। ‘ତରଙ୍ଗ’ ଆସନ୍ତାକାଲିଠୁ ସୁଟିଂକୁ ଓହ୍ଲାଇବ ବୋଲି ସୂଚନା ମିଳିଛି। ତେବେ ମିଳିଥିବା ସୂଚନା ମୁତାବକ, କିଛି ପ୍ରମୁଖ ଧାରାବାହିକ ଅଧାରୁ ବନ୍ଦ ହୋଇଯିବା ଭଳି ସ୍ଥିତି ମଧ୍ୟ ସୃଷ୍ଟି ହୋଇଛି। ଅଢ଼େଇ ମାସର ଅନ୍ତର ହିଁ କିଛି ଧାରାବାହିକ ବନ୍ଦ ହେବା ପଛର କାରଣ ସାଜିଛି।
ଜି-ସାର୍ଥକ ପକ୍ଷରୁ ମିଳିଥିବା ସୂଚନା ମୁତାବକ, ଆଜିଠୁ କିଛି ଧାରାବାହିକର ସୁଟିଂ ପୁନଃ ଆରମ୍ଭ ହୋଇଛି। ଇଣ୍ଡିଆନ୍ ବ୍ରଡକାଷ୍ଟିଂ ଫେଡେରେସନ୍ ପକ୍ଷରୁ ଜାରି ହୋଇଥିବା ଏସ୍ଓପିକୁ ପାଥେୟ କରି ସୁଟିଂ ଆରମ୍ଭ ହୋଇଛି। କଳାକାରମାନେ ୧୪ ଦିନର କ୍ବାରାଣ୍ଟିନ୍ ପରେ ସୁଟିଂକୁ ଓହ୍ଲାଇଛନ୍ତି। ପ୍ରତ୍ୟେକ କଳାକାରଙ୍କର ଥର୍ମାଲ ଚେକଅପ୍ ପରେ ସେମାନଙ୍କୁ ସୁଟିଂ ପାଇଁ ଅନୁମତି ମିଳିଛି। ଆରୋଗ୍ୟ ସେତୁରେ ପ୍ରତ୍ୟେକ କଳାକାର ଓ ଅନ୍ୟାନ୍ୟ ସଦସ୍ୟଙ୍କ ପଞ୍ଜୀକରଣ କରାଯାଇଛି। ଖୁବ୍ଶୀଘ୍ର ଦର୍ଶକ ସେମାନଙ୍କର ପ୍ରିୟ ଧାରାବାହିକ ଜି-ସାର୍ଥକ ଚ୍ୟାନେଲ୍ରେ ଦେଖିବାକୁ ପାଇବେ ବୋଲି ସୂଚନା ଦିଆଯାଇଛି। ‘ତରଙ୍ଗ’ ଚ୍ୟାନେଲ୍ର ଅଧିକାରୀ ଶ୍ୟାମପ୍ରସାଦ ମିଶ୍ର କହିଛନ୍ତି, ଶୁକ୍ରବାରଠାରୁ କିଛି ଧାରାବାହିକର ସୁଟିଂ ଆରମ୍ଭ ହେବ। ଏଥିସହ ଅଟକି ରହିଥିବା କିଛି ଧାରାବାହିକ ୧ ତାରିଖରୁ ପ୍ରସାରଣ କରାଯିବ। ସୁଟିଂ ବେଳେ ସରକାରଙ୍କ ସମସ୍ତ ଗାଇଡ୍ଲାଇନ୍କୁ ସାବଧାନତାର ସହିତ ଅନୁକରଣ କରାଯାଉଛି। ସୁଟିଂରେ ସାମିଲ୍ ହେଉଥିବା ସଦସ୍ୟଙ୍କ ସଂଖ୍ୟା ୨୦ରୁ ୨୫ଜଣରେ ସୀମିତ ରହିଛି। ୬୦ ବର୍ଷରୁ ଊର୍ଧ୍ବ ବୟସର ବ୍ୟକ୍ତିବିଶେଷଙ୍କୁ ସେଟ୍କୁ ଆସିବାକୁ ଅନୁମତି ମିଳିନାହିଁ। କେବଳ ଇନଡୋର୍ ସୁଟିଂ ହେଉଥିବା ବେଳେ ଷ୍ଟୁଡିଓକୁ ସାନିଟାଇଜ୍ କରାଯାଇଛି। ଖାଦ୍ୟପେୟ ବେଳେ ୟୁଜ୍ ଆଣ୍ଡ୍ ଥ୍ରୋ ଜିନିଷର ବ୍ୟବହାର କରାଯାଉଛି। କଳାକାରମାନେ ଆସୁଥିବା ଗାଡ଼ିକୁ ସାନିଟାଇଜ୍ କରାଯାଉଛି।
ଏସବୁ ସତ୍ତ୍ବେ କିଛି ଧାରାବାହିକ ବନ୍ଦ ହେଇଯିବା ଆଶଙ୍କା ପ୍ରକାଶ ପାଇଛି। ପାଖାପାଖି ଅଢ଼େଇ ମାସର ଅନ୍ତର ଯୋଗୁଁ କଳାକାରମାନେ ସମୟ ଦେବା ନେଇ ନିଶ୍ଚିତ ହୋଇପାରୁନାହାନ୍ତି। ଏହାବ୍ୟତୀତ ଆଉ କିଛି ପ୍ରଯୋଜକ ନିଜର ପାଉଣାର କିଛି ପ୍ରତିଶତ କଟିଯିବା ଚୁକ୍ତି ଯୋଗୁଁ ନିଜର ଧାରାବାହିକ ବନ୍ଦ କରିବା ନେଇ ବିଶ୍ବସ୍ତ ସୂତ୍ରରୁ ଖବର ମିଳିଛି।