ସାରଳାଙ୍କ ନାମରେ ଓଡ଼ିଆ ବିଶ୍ୱବିଦ୍ୟାଳୟ ନାମିତ ହେଉ: ସୀତାକାନ୍ତ ମହାପାତ୍ର

ଶାସ୍ତ୍ରୀୟ ମାନ୍ୟତା ଓଡ଼ିଆ ଭାଷା କ୍ରିୟାନୁଷ୍ଠାନ କମିିଟିର ଶାସ୍ତ୍ରୀୟ ଓଡ଼ିଆ ଭାଷା ଦିବସ

ଭୁବନେଶ୍ୱର: ଶାସ୍ତ୍ରୀୟ ଓଡ଼ିଆ ଭାଷା କ୍ରିୟାନୁଷ୍ଠାନ କମିଟି ଏବଂ କିସ୍‌ ଫାଉଣ୍ଡେସନ୍‌ ପକ୍ଷରୁ ‘ଶାସ୍ତ୍ରୀୟ ମାନ୍ୟତା ଓଡ଼ିଆ ଭାଷା ଦିବସ’ ରାଜ୍ୟ ଅଭିଲେଖାଗାରରେ ଅନୁଷ୍ଠିତ ହୋଇଯାଇଛି। ବିଶିଷ୍ଟ କବି ପଦ୍ମବିଭୂଷଣ ଡ.ସୀତାକାନ୍ତ ମହାପାତ୍ର କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରି କହିଲେ, ଓଡ଼ିଆ ଭାଷା ସମେତ ପ୍ରତ୍ୟେକ ଭାଷାର ଶାସ୍ତ୍ରୀୟ ପରମ୍ପରା ରହିଛି। ତେଣୁ ପ୍ରତ୍ୟେକ ଓଡ଼ିଆର ଓଡ଼ିଆ ଭାଷା ପ୍ରତି ଶ୍ରଦ୍ଧା ଓ ଅନୁରକ୍ତି ରହିବା ଆବଶ୍ୟକ।

ଏହି ଅବସରରେ ସେ ଓଡ଼ିଆ ବିଶ୍ୱବିଦ୍ୟାଳୟର ଗୁରୁତ୍ୱ ସମ୍ପର୍କରେ ନିଜର ମତ ରଖି କହିଲେ, ସାରଳାଙ୍କ ନାମରେ ଓଡ଼ିଆ ବିଶ୍ୱବିଦ୍ୟାଳୟର ନାମ ରଖାଯାଉ। ଏ ସମ୍ପର୍କରେ ସେ ସରକାରଙ୍କୁ ଲିଖିତ ଭାବେ ଜଣାଇବେ ବୋଲି କହିଥିଲେ। ଏଥିସହିତ ଭାଷାବିତ୍‌ ପଦ୍ମଶ୍ରୀ ଦେବୀପ୍ରସନ୍ନ ପଟ୍ଟନାୟକଙ୍କୁ ବିଶ୍ୱବିଦ୍ୟାଳୟର ପ୍ରଥମ କୁଳପତି ଏବଂ ସୁବ୍ରତ ପୃଷ୍ଟିଙ୍କୁ ପ୍ରଥମ ୩ ବର୍ଷ ପାଇଁ କୁଳସଚିବ ଭାବେ ରଖାଯାଉ ବୋଲି ନିଜସ୍ୱ ମତ ରଖିଥିଲେ। ଏହି ସମୟରେ ଶ୍ରୀ ପଟ୍ଟନାୟକ ନିଜ ବସିଥିବା ସ୍ଥାନରେ ତାଙ୍କର କୁଳପତି ହେବା ନେଇ ରଖିଥିବା ମତକୁ ହାତ ହଲାଇ ସମର୍ଥନ କରୁନାହାନ୍ତି ବୋଲି ଇଙ୍ଗିତ କରିଥିଲେ। ଜ୍ଞାନପୀଠ ବିଜୟିନୀ ବିଶିଷ୍ଟ ଔପନ୍ୟାସିକା ଡ.ପ୍ରତିଭା ରାୟ ଓଡ଼ିଆ ଭାଷାକୁ ଶାସ୍ତ୍ରୀୟ ମାନ୍ୟତା ଦିଗରେ ଉଦ୍ୟମ କରିଥିବା ବ୍ୟକ୍ତିବିଶେଷଙ୍କ ଉଦ୍ୟମକୁ ପ୍ରଶଂସା କରିଥିଲେ। ବିଜୁ ପଟ୍ଟନାୟକ ବୈଷୟିକ ବିଶ୍ୱବିଦ୍ୟାଳୟର ପ୍ରାକ୍ତନ କୁଳପତି ପ୍ରଫେସର ଓଁକାରନାଥ ମହାନ୍ତି କହିଲେ, ପ୍ରତିଦିନ ଅନେକ ମୂଳ ଓଡ଼ିଆ ଶବ୍ଦର ମୃତ୍ୟୁ ଘଟୁଛି। ଭାଷା ଅପଭ୍ରଂଶ ରୋଗରେ ଆମେ ଆକ୍ରାନ୍ତ। ତେଣୁ ଅତୀତର ଭାଷାକୁ ଗ୍ରହଣ କରିବା ସହ ଭବିଷ୍ୟତ ପାଇଁ ଭାଷାକୁ ତିଆରି କରିବାକୁ ପଡ଼ିବ। ଭାଷାବିତ୍‌ ପଦ୍ମଶ୍ରୀ ଦେବୀପ୍ରସନ୍ନ ପଟ୍ଟନାୟକ ଓଡ଼ିଆ ବିଶ୍ୱବିଦ୍ୟାଳୟର ଆବଶ୍ୟକତା ଓ ଗୁରୁତ୍ୱ ସମ୍ପର୍କରେ କହିଥିଲେ। ପୂର୍ବତନ ମନ୍ତ୍ରୀ ସେଖ୍‌ ମତଲୁବ୍‌ ଅଲ୍ଲୀ ଓଡ଼ିଆ ଭାଷାର ସମୃଦ୍ଧି ପାଇଁ ବିଦ୍ୟାଳୟରୁ ବିଶ୍ୱବିଦ୍ୟାଳୟ ପର୍ଯ୍ୟନ୍ତ ଉଦ୍ୟମ ହେବା ଆବଶ୍ୟକ ବୋଲି କହିଥିଲେ। ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର କମଳକାନ୍ତ ମିଶ୍ର, କିସ୍‌ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ହରେକୃଷ୍ଣ ଶତପଥୀ ଓଡ଼ିଆ ଭାଷାର ଗାରିମା ସମ୍ବନ୍ଧରେ ବକ୍ତବ୍ୟ ରଖିଥିଲେ। ପୂର୍ବତନ ସାଂସଦ ରାମଚନ୍ଦ୍ର ଖୁଣ୍ଟିଆ ଅଧ୍ୟକ୍ଷତା କରି ଓଡ଼ିଆ ଭାଷା, ଆଞ୍ଚଳିକ ଭାଷା ଓ ଆଦିବାସୀ ଭାଷାକୁ ନେଇ ଅଭିଧାନ ପ୍ରଣୟନ କରାଯିବ ବୋଲି କହିଥିଲେ। ଏଥିସହ ସାନ୍ତାଳି ଭାଷା, ଦେଶିଆ ଭାଷା, କୋଇ ଭାଷା ଓ ଆଞ୍ଚଳିକ ଭାଷା ସମ୍ବନ୍ଧରେ ହୋଇଥିବା ଏକ ଦିବସୀୟ ଆଲୋଚନାକୁ ପୁସ୍ତକ ଆକାରରେ ପ୍ରକାଶ କରାଯିବ ବୋଲି ସୂଚନା ଦେଇଥିଲେ। ପ୍ରାରମ୍ଭରେ ଡ.ସୁବ୍ରତ ପୃଷ୍ଟି ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ କିଶୋର ଜେନା, ପଦ୍ମାକର ଗୁରୁ ଧନ୍ୟବାଦ ଅର୍ପଣ କରିଥିଲେ। ବହୁ ବିଶିଷ୍ଟ ବ୍ୟକ୍ତିବିଶେଷ ଏହି ଏକଦିବସୀୟ ଆଲୋଚନାଚକ୍ରରେ ଅଂଶଗ୍ରହଣ କରିଥିଲେ।

ସମ୍ବନ୍ଧିତ ଖବର