ଓଡ଼ିଶା ସହରାଞ୍ଚଳ ସ୍ବାସ୍ଥ୍ୟ କନକ୍ଲେଭ୍, ସହରାଞ୍ଚଳରେ ଗରିବ ଲୋକଙ୍କ ସ୍ବାସ୍ଥ୍ୟସେବା ଉପରେ ଗୁରୁତ୍ବ

ଭୁବନେଶ୍ବର: ରାଜ୍ୟରେ ଏବେ ମାତୃ ଓ ଶିଶୁ ମୃତ୍ୟୁହାରରେ ଯଥେଷ୍ଟ ହ୍ରାସ ଘଟିଛି। ଅଧିକରୁ ଅଧିକ ମହିଳା ସ୍ବାସ୍ଥ୍ୟାନୁଷ୍ଠାନରେ ପ୍ରସବ କରାଉଛନ୍ତି। ମାତ୍ର ସହରାଞ୍ଚଳ ଓ ଗ୍ରାମାଞ୍ଚଳ ଭିତରେ ମାତୃ ଓ ଶିଶୁ ମୃତ୍ୟୁହାରରେ ଯଥେଷ୍ଟ ତାରତମ୍ୟ ଦେଖିବାକୁ ମିଳୁଛି। ଏହାକୁ କିଭଳି ଦୂର କରାଯାଇ ପାରିବ ତାହା ଉପରେ ଗୁରୁତ୍ବ ଦେବା ଜରୁରୀ ବୋଲି କହିଛନ୍ତି ଜାତୀୟ ସ୍ବାସ୍ଥ୍ୟ ମିସନ୍‌ର ନିର୍ଦେଶିକା ଶାଳିନୀ ପଣ୍ଡିତ। ଆଜି ଏନ୍‌ଏଚ୍‌ଏମ୍‌, ଟିସିଆଇଏଚ୍‌ସି ଓ ପିଏସ୍‌ଆଇର ମିଳିତ ଉଦ୍ୟମରେ ଓଡ଼ିଶା ସହରାଞ୍ଚଳ ସ୍ବାସ୍ଥ୍ୟ କନକ୍ଲେଭ୍ ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶ୍ରୀମତୀ ପଣ୍ଡିତ କହିଲେ, ସହରାଞ୍ଚଳରେ ରହୁଥିବା ଗରିବ ଲୋକଙ୍କ ପାଇଁ ୟୁଏସ୍‌ଏଡ୍‌ ଓ ବିଲ୍ ଏବଂ ମିଲିଣ୍ଡା ଗେଟ୍‌ସ ଫାଉଣ୍ଡେସନ୍‌ ପକ୍ଷରୁ ସ୍ବାସ୍ଥ୍ୟ ସେବାର ଅଗ୍ରଗତି ଉପରେ ଗୁରୁତ୍ବ ଦିଆଯାଉଛି। ଏହାସହ ଟିସିଆଇଏଚ୍‌ସି ମଧ୍ୟ ସହରାଞ୍ଚଳରେ ଥିବା ସ୍ବାସ୍ଥ୍ୟକେନ୍ଦ୍ରଗୁଡ଼ିକୁ ସୁଦୃଢ଼ କରିବା ଦିଗରେ କାର୍ଯ୍ୟ କରୁଛି ବୋଲି ସେ କହିଥିଲେ। ଟିସିଆଇଏଚ୍‌ସିର କାର୍ଯ୍ୟକ୍ରମ ନିର୍ଦେଶକ ମୁକେଶ, ୟୁଏସ୍‌ଏଡ୍‌ର ଅମିତ ଅରୁଣ ସାହ ଓ ଏନଏଚ୍‌ଏମ୍‌ର ଏଏମ୍‌ଡି ମୃଣାଳକାନ୍ତି ଦାସ ପ୍ରମୁଖ ସ୍ବାସ୍ଥ୍ୟସେବାକୁ କିଭଳି ଉନ୍ନତି କରାଯିବ ତାହା ଉପରେ ଗୁରୁତ୍ବ ଦେଇଥିଲେ। ପରେ ଏକ ଉଚ୍ଚସ୍ତରୀୟ ପ୍ୟାନେଲ ସହରାଞ୍ଚଳରେ ରହୁଥିବା ‌ଗରିବ ଲୋକଙ୍କ କ୍ଷେତ୍ରରେ ପରିବାର ନିୟୋଜନ ଓ ନବଜାତକ ସ୍ବାସ୍ଥ୍ୟ ସଂପର୍କରେ ଆଲୋଚନା କରିଥିଲେ।

ସମ୍ବନ୍ଧିତ ଖବର