ଓଡ଼ିଶା ଊର୍ଦ୍ଦୁ ଏକାଡେମିର ୩୩ତମ ପ୍ରତିଷ୍ଠା ଦିବସ: ସାହିତ୍ୟ ମଣିଷକୁ ଯୋଡ଼ି ଥାଏ

ଭୁବନେଶ୍ବର: ରାଜନୀତି, ଧର୍ମ, ଭାଷା, ଭୌ‌ଗୋଳିକ ସ୍ଥିତି ଲୋକଙ୍କୁ ବିଭାଜିତ କରିଥାଏ। ମାତ୍ର ସାହିତ୍ୟ ଲୋକଙ୍କୁ ଯୋଡ଼ିଥାଏ। ଅନୁବାଦ ହେଉଛି ଏହାର ସେତୁ। ଆଜି ଏକ ସେତୁବନ୍ଧ ବନ୍ଧା ହୋଇଛି ବୋଲି କହିଛନ୍ତି ବିଶିଷ୍ଟ ସାହିତ୍ୟିକା ପ୍ରତିଭା ରାୟ। ଆଜି ଊର୍ଦ୍ଦୁ ଏକାଡେମିର ୩୩ତମ ପ୍ରତିଷ୍ଠା ଦିବସ ଓ ଶ୍ରୀମତୀ ରାୟଙ୍କ ଓଡ଼ିଆ ଗଳ୍ପର ଊର୍ଦ୍ଦୁ ଅନୁବାଦ ପୁସ୍ତକ ଉନ୍ମୋଚନ ଉତ୍ସବ ସଂସ୍କୃତି ଭବନ ପ୍ରେକ୍ଷାଳୟରେ ଅନୁଷ୍ଠିତ ହୋଇଯାଇଛି। ଏକାଡେମିର ସଂପାଦକ ସୟଦ୍‌ ମୁଶିର୍‌ ଆଲମ୍‌ଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶ୍ରୀମତୀ ରାୟ କହିଲେ, ଊର୍ଦ୍ଦୁ ଏକ ପ୍ରାଚୀନ ଭାଷା, ଏହାର ସାହିତ୍ୟ ବେଶ୍‌ ସମୃଦ୍ଧ। ଊର୍ଦ୍ଦୁ ସାହିତ୍ୟ ପଢ଼ି ନ ଥିବା‌ ଲୋକ ଅଧାପଢ଼ା। ଆଜିର ସମୟରେ ୩ଟି ପ୍ରମୁଖ ଧର୍ମ ଭିତରେ ବିବାଦ ଚାଲିଛି। ଏଭଳି ପରିସ୍ଥିତିରେ ତାଙ୍କର ‘ଶେଷ ଈଶ୍ବର’ ଧର୍ମକୁ ଏକାଠି କରିବାରେ ସଫଳ ହୋଇପାରିବ ବୋଲି ଶ୍ରୀମତୀ ରାୟ କହିଥିଲେ। କବି ହୁସେନ ରବି ଗାନ୍ଧି କହିଲେ, ପରସ୍ପରକୁ ଯୋଡ଼ିବା ହେଉଛି ସାହିତ୍ୟର ଶକ୍ତି। ଊର୍ଦ୍ଦୁ ସାହିତ୍ୟରେ ଯେଉଁ ନୂତନ ଯୁବପିଢ଼ି କବିତା, ଉପନ୍ୟାସ ଓ ଗଳ୍ପ ଲେଖୁଛନ୍ତି, ତାହାକୁ ଅନ୍ୟ ଭାଷାରେ ଓ ଅନ୍ୟ ଭାଷାରେ ଲେଖା ଯାଉଥିବା ସାହିତ୍ୟକୁ ଊର୍ଦ୍ଦୁ ଭାଷାରେ ଅନୁବାଦ କରିବାର ଆବଶ୍ୟକତା ରହିଛି। ଊର୍ଦ୍ଦୁ ଏକାଡେମି ଏକ ଆଦର୍ଶ ସୃଷ୍ଟି କରୁ ବୋଲି ସେ କହିଥିଲେ। ଓଡ଼ିଶା ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ନିର୍ଦେଶକ ବିଜୟ ନାୟକ କହିଲେ, ଶ୍ରୀମତୀ ରାୟଙ୍କ ବଛାବଛା ୨୫ଟି ଗଳ୍ପ ଊର୍ଦ୍ଦୁ ପାଠକଙ୍କ ନିକଟରେ ପହଞ୍ଚିବ। ଏଭଳି ପଦକ୍ଷେପ ବଳରେ ଉର୍ଦ୍ଦୁ ଏକାଡେମି ନିଜର ସ୍ଥିତି ଜାହିର କରିପାରିଛି ବୋଲି ଶ୍ରୀ ନାୟକ କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ୨୦ଟି ଗଳ୍ପକୁ ଅନୁବାଦ କରିଥିବା ଅବଦୁଲ ମତି ଜାମି ଓ କବି ଖାଲିଦ ରହିମ ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ +୨, +୩ର ପ୍ରଥମ ବର୍ଷ ଓ ଏମ୍‌.ଏର ପ୍ରଥମ ବର୍ଷର ଯେଉଁ ଛାତ୍ରଛାତ୍ରୀମାନେ ଊର୍ଦ୍ଦୁ ଏମ୍‌ଆଇଏଲ ରଖିଛନ୍ତି, ସେମାନଙ୍କୁ ଛାତ୍ରବୃତ୍ତି ପ୍ରଦାନ କରାଯାଇଥିଲା। ପରେ ଓଡ଼ିଆ, ହିନ୍ଦୀ ଓ ଊର୍ଦ୍ଦୁ କବିମାନେ କବିତା ପାଠ କରିଥିଲେ।

ସମ୍ବନ୍ଧିତ ଖବର