ଓଡ଼ିଶା ଊର୍ଦୁ ‘କାମଚଳା ଏକାଡେମି’; ୧୬ ବର୍ଷ ହେଲା ଦିଆଯାଇନି ପୁରସ୍କାର

ଗଠନ ହୋଇନାହିଁ ସାଧାରଣ ପରିଷଦ, ଅନୁଦାନ ସମୁଦ୍ରକୁ ଶଙ୍ଖେ

ଭୁବନେଶ୍ବର: ଊର୍ଦ୍ଦୁ ଭାଷାର ବିକାଶ ଓ ପ୍ରଚାର ପ୍ରସାର ଉଦ୍ଦେଶ୍ୟ ନେଇ ଓଡ଼ିଶା ଊର୍ଦ୍ଦୁ ଏକାଡେମି ଗଠନ ହୋଇଛି। ମାତ୍ର ଏକାଡେମି ପ୍ରତିଷ୍ଠାର ୩୩ ବର୍ଷ ପରେ ବି ଅବସ୍ଥା ସୁଧୁରୁ ନାହିଁ। ଊର୍ଦ୍ଦୁ ଏକାଡେମି ବଦଳରେ ଏହା ‘କାମଚଳା ‌ଏକାଡେମି’ରେ ପରିଣତ ହୋଇଛି। କେବଳ ବହି ଛପା, କୱାଲି ଓ ମେଧାବୃତ୍ତିରେ ଏହା ସୀମିତ ରହିଯାଇଛି। ଖୋଦ୍‌ ମୁଖ୍ୟମନ୍ତ୍ରୀ ଏହାର ସଭାପତି ଓ ସଂସ୍କୃତି ମନ୍ତ୍ରୀ ଉପସଭାପତି ରହି ଆସିଥିଲେ ହେଁ ଏକାଡେମିର ଭାଗ୍ୟ ବଦଳୁ ନାହିଁ।

ରାଜ୍ୟରେ ଉର୍ଦ୍ଦୁ ଲେଖକଙ୍କୁ ପ୍ରୋତ୍ସାହନ ନିମନ୍ତେ ଏକାଡେମି ପୁରସ୍କାରର ବ୍ୟବସ୍ଥା ରହିଛି। ଉର୍ଦ୍ଦୁ ପାଣ୍ଡୁଲିପି ଓ ଉର୍ଦ୍ଦୁ ସାହିତ୍ୟକୁ ଜୀବନବ୍ୟାପୀ ଅବଦାନ ପାଇଁ ୩ଟି ବର୍ଗରେ ପୁରସ୍କୃତ କରାଯାଏ। ହେଲେ ଦୀର୍ଘ ୧୬ ବର୍ଷ ହେଲା ଊର୍ଦ୍ଦୁ ଏକାଡେମି ପୁରସ୍କାର ଦିଆଯାଇନାହିଁ। ଶେଷଥର ପାଇଁ ୨୦୦୪ରେ ଏହି ପୁରସ୍କାର ଦିଆଯାଇଥିଲା। ଦୀର୍ଘଦିନ ଧରି ପୁରସ୍କାର ଦିଆ ନଯିବାରୁ ଊର୍ଦ୍ଦୁ ସାହିତ୍ୟିକମାନେ ଏନେଇ ସ୍ବର ଉଠାଇଥିଲେ। କିନ୍ତୁ ୧୬ବର୍ଷ ଭିତରେ କୌଣସି ମନ୍ତ୍ରୀ କି ମୁଖ୍ୟମନ୍ତ୍ରୀ ସମୟ ଦେଲେନାହିଁ। ତେଣୁ ବାରମ୍ବାର ସ୍ବର ଉତ୍ତୋଳନ ପରେ ସେମାନେ ନିରବ ରହିବାକୁ ଉଚିତ ମଣିଲେ। ଏବେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଅଧୀନ ଏକାଡେମିର ପୁରସ୍କାର ରାଶି ବଢ଼ି ୨ଲକ୍ଷ ଛୁଇଁଥିଲେ ହେଁ ଏଥିରୁ ଦୀର୍ଘ ବର୍ଷ ହେଲା ଊର୍ଦ୍ଦୁ ସାହିତ୍ୟିକମ‌ାନେ ବଞ୍ଚିତ ରହିଛନ୍ତି। ବିଡ଼ମ୍ବନା ଏହି ଯେ ଦୀର୍ଘ ୧୬ ବର୍ଷ ହେଲା ଓଡ଼ିଶା ଊର୍ଦ୍ଦୁ ଏକାଡେମିର ସାଧାରଣ ପରିଷଦଟିଏ ଗଠନ ହୋଇପାରୁନାହିଁ। ବାରମ୍ବାର ପ୍ରସ୍ତାବ ଯାଉଛି। ଯିଏ ଏକାଡେମି ସଚିବ ରହୁଛନ୍ତି, ସେମାନେ ସାଧାରଣ ପରିଷଦ ପାଇଁ ପ୍ରସ୍ତାବ ପଠାଉଛନ୍ତି। ସଂସ୍କୃତି ବିଭାଗର ନିର୍ଦେଶକ-ଶାସନ ସଚିବ-ସଂସ୍କୃତି ମନ୍ତ୍ରୀଙ୍କ ମାଧ୍ୟମ ଦେଇ ତାହା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଯାଉଛି। ହେଲେ ସେଠୁ ଅନୁମୋଦନ ମିଳି ପାରୁନାହିଁ। ଦୀର୍ଘ ବର୍ଷ ହେଲା ପ୍ରସ୍ତାବ ଯାଉଥିଲେ ମଧ୍ୟ କାହିଁକି ତାହା ସେଠାରେ ଅନୁମୋଦନ ଲାଭ ନ କରିପାରି ପଡ଼ି ରହୁଛି, ତାହା ରହସ୍ୟମୟ ହୋଇଯାଇଛି। କେଉଁ କାରଣ ପାଇଁ ଏହାକୁ ବାରମ୍ବାର ଅଣଦେଖା କରାଯାଉଛି, ସେ ପ୍ରଶ୍ନ ପଚାରିଲେ ମନ୍ତ୍ରୀଙ୍କଠୁ ନେଇ ନିର୍ଦେଶକ ସ‌ମସ୍ତେ ନିରବ। ୪୮ ଜଣିଆ ସାଧାରଣ ପରିଷଦ ନଥିବାରୁ ପୁରସ୍କାର ଚୟନ ହୋଇପାରୁ ନାହିଁ କି ଏକାଡେମିକୁ ଠିକଣା ମାର୍ଗରେ ପରିଚାଳନା କରିବା ସମ୍ଭବ ହେଉନାହିଁ।

ବାସ୍ତବରେ ଯେ ଓଡ଼ିଶା ଊର୍ଦ୍ଦୁ ଏକାଡେମି ପାଇଁ ଦରଦ ନାହିଁ, ତାହା ଏକାଡେମିକୁ ମିଳୁଥିବା ଅନୁଦାନ ରାଶିରୁ ସ୍ପଷ୍ଟ। ବର୍ଷକୁ ୯୯ଲକ୍ଷ ଟଙ୍କାର ଅନୁଦାନ ରାଶି ମିଳୁଥିବା ବେଳେ ସେଥିରୁ କେବଳ ଏକାଡେମି କର୍ମଚାରୀଙ୍କ ଦରମା ସୂତ୍ରରେ ଚାଲିଯାଉଛି ପାଖାପାଖି ୬୦ ଲକ୍ଷ। ତେଣୁ ଆଉ ମାତ୍ର ୩୯ ଲକ୍ଷ ଟଙ୍କା ବଳୁଥିବାରୁ ଏକାଡେମି କୌଣସି ବଡ଼ ପଦକ୍ଷେପ ନେଇପାରୁନାହିଁ। ଏନେଇ ଓଡ଼ିଶା ଊର୍ଦ୍ଦୁ ଏକାଡେମି ସଚିବ ସଇଦ୍‌ ମୁସିର୍‌ ଆଲମ କହିଛନ୍ତି, ୨୦୧୬ରେ ସେ ଏକାଡେମିର ସାଧାରଣ ପରିଷଦ ପାଇଁ ପ୍ରସ୍ତାବ ଦେଇଥିଲେ। ଫାଇଲ୍‌ ମୁଖ୍ୟମନ୍ତ୍ରୀଙ୍କ ଦପ୍ତରକୁ ବି ଯାଇଥିଲା। ହେଲେ ଅନୁମୋଦନ ମିଳିନଥିଲା। ତେବେ ଏଇ ନିକଟରେ ୧୩ ଦିନ ତଳେ ଆଉଥରେ ସେ ସାଧାରଣ ପରିଷଦ ଗଠନ ନେଇ ପ୍ରସ୍ତାବ ପଠାଇଛନ୍ତି। ଅନୁମୋଦନ ପାଇଁ ଫାଇଲ୍‌ ପଠାଯାଇଥିଲେ ହେଁ ଅନୁମୋଦନ ମିଳିବ କି ନାହିଁ, ତାହା ବି ସନ୍ଦେହଘେରରେ।

ସମ୍ବନ୍ଧିତ ଖବର