ଭୁବନେଶ୍ବର: ବଦଳି ଯାଇଛି ଉର୍ଦ୍ଦୁ ଏକାଡେମିର ବର୍ଷ ବର୍ଷର ପରମ୍ପରା। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଅନ୍ୟ ୩ ଏକାଡେମି ଭଳି ଓଡ଼ିଶା ଉର୍ଦ୍ଦୁ ଏକାଡେମି ପାଇଁ ମଧ୍ୟ ଯୋଗ୍ୟ ସଭାପତି ଓ ଉପସଭାପତି ଚୟନ କରାଯିବ। ୩୫ ବର୍ଷର ପରମ୍ପରା ଭାଙ୍ଗି ବିଭାଗ ପକ୍ଷରୁ ଏହି ଦୁଇ ପଦବି ପାଇଁ ଜାନୁଆରିରେ ବିଜ୍ଞପ୍ତି ପ୍ରକାଶ ପାଇବା ସହ ଦରଖାସ୍ତ ଆହ୍ବାନ କରାଯାଇଥିଲା। ଏହାକୁ ନେଇ ଉର୍ଦ୍ଦୁ ଲେଖକଙ୍କ ମଧ୍ୟରେ ନୂତନ ଆଶା ସଞ୍ଚାର ହୋଇଥିଲା ବେଳେ ପରମ୍ପରା ବଦଳିବା ସହ ଏକାଡେମିର ଭାଗ୍ୟଦୀପ ପୁଣି ପ୍ରଜ୍ଜ୍ବଳିତ ହୋଇପାରିବ କି ବୋଲି ପ୍ରଶ୍ନ ଉଠିଛି? ଅବହେଳିତ ଉର୍ଦ୍ଦୁ ଏକାଡେମି କ’ଣ ପ୍ରକୃତ ସମ୍ମାନ ପାଇପାରିବ, ୧୮ବର୍ଷ ହେଲା ଅଟକି ରହିଥିବା ପୁରସ୍କାର ପ୍ରକ୍ରିୟା କ’ଣ ତ୍ବରାନ୍ବିତ ହୋଇପାରିବ, ଯୋଗ୍ୟମାନେ କ’ଣ ପୁରସ୍କୃତ ହୋଇପାରିବେ; ଏଭଳି ଅନେକ ପ୍ରଶ୍ନ ଏବେ ଉଙ୍କି ମାରିଥିବା ବେଳେ ସଂସ୍କୃତି ବିଭାଗର ଆଗାମୀ ପଦକ୍ଷେପ ଉପରେ ସମସ୍ତଙ୍କ ନଜର ରହିଛି।
ଉର୍ଦ୍ଦୁ ଭାଷାର ବିକାଶ ଓ ପ୍ରଚାରପ୍ରସାର ଉଦ୍ଦେଶ୍ୟ ନେଇ ୧୯୮୭ ମସିହାରେ ପ୍ରତିଷ୍ଠା ହୋଇଥିଲା ‘ଓଡ଼ିଶା ଉର୍ଦ୍ଦୁ ଏକାଡେମି’।

Advertisment

ଏକାଡେମି ପ୍ରତିଷ୍ଠା ଦିନରୁ ଆଜି ପର୍ଯ୍ୟନ୍ତ ଏକାଡେମିର ସଭାପତି ପଦବି ମଣ୍ଡନ କରି ଆସୁଥିଲେ ମୁଖ୍ୟମନ୍ତ୍ରୀ। ସଂସ୍କୃତି ମନ୍ତ୍ରୀ ରହୁଥିଲେ ଏହାର ଉପସଭାପତି। ୩୫ ବର୍ଷ ଧରି ଏହା ପରମ୍ପରା ଚାଲି ଆସୁଥିବା ବେଳେ ବହୁ ବର୍ଷ ଧରି ଏକାଡେମି କାର୍ଯ୍ୟକଳାପ ବ୍ୟବସ୍ଥିତ ଢଙ୍ଗରେ ଚାଲିଲା। କିନ୍ତୁ ଦୀପ ତଳ ଅନ୍ଧାର ଭଳି ଖୋଦ ମୁଖ୍ୟମନ୍ତ୍ରୀ ଓ ସଂସ୍କୃତି ମନ୍ତ୍ରୀଙ୍କ ସିଧାସଳଖ ନେତୃତ୍ବାଧୀନ ଏକାଡେମିର ଭାଗ୍ୟ ଆକାଶରେ ଅନ୍ଧାର ଘୋଟି ଆସିଲା। ୨୦୦୪ ମସିହାରୁ ଓଡ଼ିଶା ଉର୍ଦ୍ଦୁ ଏକାଡେମିର ପୁରସ୍କାର ପ୍ରଦାନ ପ୍ରକ୍ରିୟା ସମ୍ପୂର୍ଣ୍ଣ ଠପ୍‌ ହୋଇଗଲା। ଆଜକୁ ପ୍ରାୟ ୧୮ ବର୍ଷ ହେଲା କୌଣସି ଉର୍ଦ୍ଦୁ ସାହିତ୍ୟିକଙ୍କୁ ପୁରସ୍କାର ଦିଆଯାଇନାହିଁ। ଏହା ଭିତରେ ପୁରସ୍କାର ରାଶି ବଢ଼ି ଗଲାଣି।
୨୦୨୦ ମସିହାର ନିୟମ ଅନୁସାରେ ସଂସ୍କୃତି ବିଭାଗ ଅଧୀନ ସମସ୍ତ ଏକାଡେମିର ସର୍ବୋଚ୍ଚ ସମ୍ମାନ ଯଥା ଅତିବଡ଼ୀ, କବି ସମ୍ରାଟ ଉପେନ୍ଦ୍ରଭଞ୍ଜ, ଧର୍ମପଦ ସମ୍ମାନ ସହ ବ୍ୟାସକବି ପୁରସ୍କାର ବାବଦକୁ ୫ଲକ୍ଷ ଟଙ୍କା, ଏକାଡେମି ପୁରସ୍କାର ୨ଲକ୍ଷ ଟଙ୍କା ଓ ସାରସ୍ବତ ସମ୍ବର୍ଧନା ରାଶି ୧ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି। କିନ୍ତୁ ଉର୍ଦ୍ଦୁ ଏକାଡେମିର ପୁରସ୍କାର ରାଶି ବଢ଼ିବ କି ନାହିଁ, ସେ ନେଇ କୌଣସି ସ୍ପଷ୍ଟତା ଆସିନାହିଁ।

ଏବେ ଉର୍ଦ୍ଦୁ ଏକାଡେମି କେବଳ ବହି ଛପା, କୱାଲି ପ୍ରତିଷ୍ଠା ଦିବସ ପାଳନ ଓ ମେଧାବୃତ୍ତି ପ୍ରଦାନରେ ସୀମିତ ରହିଯାଇଛି। ରାଜ୍ୟରେ ଉର୍ଦ୍ଦୁ ଲେଖକଙ୍କୁ ପ୍ରୋତ୍ସାହନ ନିମନ୍ତେ ଏକାଡେମି ପୁରସ୍କାରର ବ୍ୟବସ୍ଥା ରହିଛି। ଉର୍ଦ୍ଦୁ ପାଣ୍ଡୁଲିପି ଓ ଉର୍ଦ୍ଦୁ ସାହିତ୍ୟକୁ ଜୀବନବ୍ୟାପୀ ଅବଦାନ ପାଇଁ ୩ଟି ବର୍ଗରେ ପୁରସ୍କୃତ କରାଯାଏ। ହେଲେ ଦୀର୍ଘ ୧୮ ବର୍ଷ ହେଲା ଉର୍ଦ୍ଦୁ ଏକାଡେମି ପୁରସ୍କାର ଦିଆଯାଇନାହିଁ। ଶେଷ ଥର ପାଇଁ ୨୦୦୪ରେ ଏହି ପୁରସ୍କାର ଦିଆଯାଇଥିଲା। ଦୀର୍ଘ ଦିନ ଧରି ପୁରସ୍କାର ଦିଆ ନଯିବାରୁ ଉର୍ଦ୍ଦୁ ସାହିତ୍ୟିକମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ତେଣୁ ଏକାଡେମିର ନବକଳେବର କରିବା ପାଇଁ ସଂସ୍କୃତି ବିଭାଗ ଅଣ୍ଟା ଭିଡ଼ିଛି।
ଗତ ଜାନୁଆରିରେ ଏକାଡେମିର ସଭାପତି ଓ ଉପସଭାପତି ପଦ ପାଇଁ ସଂସ୍କୃତି ବିଭାଗ ପକ୍ଷରୁ ଦରଖାସ୍ତ ଆହ୍ବାନ କରାଯାଇଛି। ଉର୍ଦ୍ଦୁ ଭାଷା ଓ ସାହିତ୍ୟ କ୍ଷେତ୍ରରେ ପ୍ରସିଦ୍ଧି ଲାଭ କରିଥିବା ବ୍ୟକ୍ତିବିଶେଷଙ୍କୁ ଉର୍ଦ୍ଦୁ ଏକାଡେମିର ସଭାପତି ଓ ଉପସଭାପତି ଭାବେ ଅବସ୍ଥାପିତ କରାଯିବ। ଜାନୁଆରି ୩୦ ତାରିଖ ଆବେଦନର ଶେଷ ତାରିଖ ରହିଥିବା ‌ବେଳେ ଏପ୍ରିଲ ସୁଦ୍ଧା ସଭାପତି ଓ ଉପସଭାପତି ନିଯୁକ୍ତି ଦିଆଯିବ। ଫଳରେ ଉର୍ଦ୍ଦୁ ଏକାଡେମି ପୁଣି ବ୍ୟବସ୍ଥିତ ଢଙ୍ଗରେ ଚାଲିବ ବୋଲି ଆଶା କରାଯାଉଛି।

ଏକାଡେମିର ସଚିବ ସୟଦ ମୁସିର୍‌ ଆଲମ୍‌ କହିଛନ୍ତି, ଅକ୍ଟୋବରରେ ଏକାଡେମିର ସାଧାରଣ ପରିଷଦ ଗଠନ ହୋଇଥିଲା। ଏହାପରେ ବହୁ ଆଲୋଚନା ପରେ ସଭାପତି ଓ ଉପସଭାପତି ପଦବି ପାଇଁ ଜାନୁଆରିରେ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଏବେ ଆମେ ସମସ୍ତ ଆବେଦନପତ୍ର ପାଇ ସାରିଛୁ। ଉଭୟ ପଦବି ଚୟନ ପାଇଁ ସର୍ଚ୍ଚ କମିଟି ଗଠନ ହୋଇସାରିଛି। ଉଭୟ ପଦବି ପାଇଁ ୩ଜଣଙ୍କ ନାମ ସୁପାରିଶ ହେବ। ଯାହା ନାମ କମିଟି ଚୟନ କରି‌ବେ, ତାହା ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ମଞ୍ଜୁର ହେବା ପରେ ନିଯୁକ୍ତି ଦିଆଯିବ। ସାଧାରଣ ପରିଷଦ ଗଠନ ଓ ସଭାପତି, ଉପସଭାପତି ନିଯୁକ୍ତି ପରେ ବର୍ଷ ବର୍ଷ ଧରି ପଡ଼ି ରହିଥିବା ପୁରସ୍କାର ପ୍ରକ୍ରିୟା ତ୍ବରାନ୍ବିତ ହେବ। ତେବେ ଏହା ଭିତରେ ପୁରସ୍କାର ରାଶି ବଢ଼ି ଯାଇଥିବାରୁ ସର୍ବସମ୍ମତିକ୍ରମେ କିଛି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯିବ ବୋଲି ମୁସିର୍‌ ଆଲମ୍‌ କହିଛନ୍ତି।