୧୯ ମହିଳା ବ୍ୟକ୍ତିତ୍ୱଙ୍କୁ ‘ଓଡ଼ିଶା ଉତ୍କର୍ଷ ସମ୍ମାନ’

ଭୁବନେଶ୍ୱର: ସବୁର ସ୍ରଷ୍ଟା ନାରୀ ନିଜେ ଅବହେଳିତ! ପୁଣି ସେ ନିଜ ପରିଚୟ ବି ଖୋଜୁଛି! ଏଭଳି କଥା ଶୁଣିଲେ ଓ ପରିସ୍ଥିତି ଦେଖିଲେ ଆଶ୍ଚର୍ଯ୍ୟ ଲାଗୁଥିବ ନିଶ୍ଚୟ। ଏତେ ସତ୍ତ୍ବେ ପୁରୁଷ ପ୍ରାଧାନ୍ୟ ପେସ‌ାରେ ନାରୀ ନିଜକୁ ସାମିଲ କରି ନିଜର ଉତ୍କର୍ଷ ପ୍ରତିପାଦିତ କରୁଛି। ସେଭଳି ମହିଳାଙ୍କ କାର୍ଯ୍ୟକୁ ସ୍ୱୀକୃତି ଦେବା ପାଇଁ ଆଜି ଏହି ‘ଓଡ଼ିଶା ମହିଳା ଉତ୍କର୍ଷ ସମ୍ମାନ’ର ଆୟୋଜନ କରାଯାଇଛି। ଏଥିରେ ଯୋଗଦେଇ ଅତିଥିମାନେ କହିଛନ୍ତି, ଯଦି ଆମେ ସେମାନଙ୍କ ଉତ୍କର୍ଷକୁ ସମ୍ମାନ ଦେଉଛେ ତା’ ସହ ଆମର କିଛି ଦାୟିତ୍ବ ବି ବଢ଼ିଯାଇଛି। ‘ଅନ୍ତର୍ଜାତୀୟ ମହିଳା ଦିବସ’ ଅବସରରେ ‘ବ୍ରାଇଟ୍ ଓଡ଼ିଆ ଫାଉଣ୍ଡେସନ’ ପକ୍ଷରୁ ଜୟଦେବ ଭବନରେ ଆୟୋଜିତ ‘ଓଡ଼ିଶା ମହିଳା ଉତ୍କର୍ଷ ସମ୍ମାନ’ ସମାରୋହରେ ନାରୀ ସୁରକ୍ଷା ଓ ପ୍ରଗତି ସମ୍ପର୍କରେ ଆଲୋଚନା କରାଯାଇଥିଲା।

ଲୁବୁନ୍‌-ଟୁବୁନ୍‌ଙ୍କ ନୃତ୍ୟ ନିର୍ଦ୍ଦେଶନାରେ ଅଙ୍କିତା ଭୌମିକ ଓ ସୁନିତା ମଣ୍ଡଳଙ୍କ ନୃତ୍ୟ ପରିବେଷଣ

ଏହି ଅବସରରେ ରାଜ୍ୟର ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ୨୧ଜଣ ଶ୍ରେଷ୍ଠ ମହିଳା ବ୍ୟକ୍ତିତ୍ୱଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। କାର୍ଯ୍ୟକ୍ରମରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ବିଶିଷ୍ଠ ଅଭିନେତା ତଥା ପୂର୍ବତନ ସାଂସଦ ସିଦ୍ଧାନ୍ତ ମହାପାତ୍ର, ରାଜ୍ୟ ହାଉସିଂବୋର୍ଡର ଅଧ୍ୟକ୍ଷ ପ୍ରିୟଦର୍ଶୀ ମିଶ୍ର, ମୋ ସ୍କୁଲର ଅଧ୍ୟକ୍ଷ ଆକାଶଦାସ ନାୟକ ଓ ଶିକ୍ଷାବିତ୍ ବଦ୍ରିନାଥ ପଟ୍ଟନାୟକ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମରେ ପାରମିତା ପଣ୍ଡା, ଇତି ସାମନ୍ତ, ସ୍ମୃତିରେଖା ତାରେଣିଆ, ରଶ୍ମି ମହାପାତ୍ର, ସୁଜାତା ମହାପାତ୍ର, ଅନିନ୍ଦିତା ଦାସ, ଅନୁ ଚୌଧୁରୀ, ଲତିକା‌ ପ୍ରଧାନ, ସୁଚିସ୍ମିତା ଦାସ, ଚିଦାତ୍ମିକା ଖଟୁଆ, ସ୍ବୀକୃତି ପଟ୍ଟନାୟକ, ସୁଚିସ୍ମିତା ପୃଷ୍ଟି, ଲିଙ୍କନ ସୁବୁଦ୍ଧି, ପଦ୍ମିନୀ ପାଣିଗ୍ରାହୀ, ଅନୁରାଧା ବିଶ୍ବାଳ, ନିବେଦିତା ଶତପଥୀ, ମ୍ରିଣାଳି ପାଢ଼ୀ, ସମାପ୍ତି ମୋଡ଼ା ଓ ଦିପ୍ତୀ ଦେବୀଙ୍କୁ ବିଭିନ୍ନ ବିଭାଗରେ ସମ୍ମାନିତ କରାଯାଇଥିଲା। କାର୍ଯ୍ୟକ୍ରମରେ ଅନୁଷ୍ଠାନର ମୁଖ୍ୟ ଉପଦେଷ୍ଟା ରୋଜାଲିନ୍ ପାଟ୍ଟଶାଣୀ, ନମ୍ରତା ଚଢା ଓ ସଞ୍ଜୟ ମହାକୁଡ ପ୍ରମୁଖ ଉପସ୍ଥିତ ଥିଲେ।

ଏହି ଅବସରରେ ଲୁବୁନ୍‌-ଟୁବୁନ୍‌ଙ୍କ ନୃତ୍ୟ ନିର୍ଦ୍ଦେଶନାରେ ଅଙ୍କିତା ଭୌମିକ ଓ ସୁନିତା ମଣ୍ଡଳ ନୃତ୍ୟ ପରିବେଷଣ କରିଥିଲେ ।

ସମ୍ବନ୍ଧିତ ଖବର